କନକ ବ୍ୟୁରୋ :ବିରୋଧୀ ଦଳ ଗଠନ କରିଥିବା ମେଣ୍ଟ I.N.D.I.A ଏବେ ଖୁବ୍ ଚର୍ଚ୍ଚାରେ । ଯାହାର ପୁରା ନାଁ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲିଆନ୍ସ । ଅବଶ୍ୟ ଏହାର ଭିନ୍ନ ଭିନ୍ନ ଅର୍ଥ କଢାଯାଉଛି । ଗୋଟିଏ ସମୟରେ ବିରୋଧୀ ଏଭଳି ଦଳ ମେଣ୍ଟର ନାଁ ଏଭଳି ରଖାଯିବା ଭାରତୀୟ ଆଇନକୁ ଉଲଂଘନ କରୁଛି ବୋଲି କହି ମାମଲା ଦାଏର ହେଲା । ଏସବୁ ଭିତରେ ଭାରତର ନାଁ ଇଣ୍ଡିଆ କାହିଁକି ରହିଲା ବୋଲି ମନରେ ପ୍ରଶ୍ନ ଉଠେ ।

Advertisment

କୁହାଯାଏ ପୂର୍ବରୁ ଇଂରେଜ ଓ ଅନ୍ୟ ୟୁରୋପୀୟ ଭାଷା କହୁଥିବା ଲୋକଙ୍କୁ ପୂର୍ବ ଦେଶର ନାଁ ଗୁଡିକୁ କହିବା କଷ୍ଟକର ହେଉଥିଲା । ସେଥିପାଇଁ ସେମାନେ ନିଜ ସୁବିଧା ଅନୁସାରେ ଦେଶର ନାଁ ରଖୁଥିଲେ । ଏବଂ ଯେତେହୁ ସମସ୍ତଙ୍କ ଉପରେ ସେମାନଙ୍କ ହୁକୁମାତି ଚାଲୁଥିଲା ତେଣୁ ସେହି ନାଁକୁ ସମସ୍ତେ ଅନୁକରଣ କରୁଥିଲେ ।

ପୁରାତନ କାଳରୁ ହିଁ ଆମ ଦେଶର ଏକାଧିକ ନାଁ ରହିଆସିଛି । ଯେପରି ଜମ୍ବୁଦ୍ୱୀପ, ଭାରତଖଣ୍ଡ, ହିମବର୍ଷ, ଅଜନାଭବର୍ଷ, ଭାରତବର୍ଷ, ଆର୍ଯ୍ୟବର୍ତ୍ତ, ହିନ୍ଦ୍, ହିନ୍ଦୁସ୍ତାନ, ଭାରତ , ଇଣ୍ଡିଆ । ହେଲେ ଏସବୁରୁ ସବୁଠୁ ଲୋକପ୍ରିୟ ହେଉଛି ଭାରତ । ଭାରତ ନାଁକୁ ନେଇ ଅନେକ ସମୟରେ ମତଭେଦ ସୃଷ୍ଟି ହୋଇଛି । ଭିନ୍ନ ଭିନ୍ନ ସମୟରେ ଏତିହାସିକ ଓ ପ୍ରାଚୀନ ଗ୍ରନ୍ଥରେ ପର୍ଯ୍ୟାଲୋଚନା ମଧ୍ୟ ହୋଇଛି । ବିଷ୍ଣୁ ପୁରାଣରେ ଉଲ୍ଲେଖ ଅଛି ‘ ସମୁଦ୍ରର ଉତ୍ତରରୁ ନେଇ ହିମାଳୟର ଦକ୍ଷିଣ ଯାଏଁଯେଉଁ ଦେଶ ରହିଛି ତାହା ଭାରତ, ଏବଂ ଏହା ମଧ୍ୟରେ ରହୁଥିବା ଲୋକେ ଭାରତୀୟ ।’ ଏହାର ଅର୍ଥ ହିମାଳୟରୁ କନ୍ୟାକୁମାରୀ ଭାରତ ବୋଲି ବୁଝାଯାଏ ।

ମହାଭାରତ ଅନୁସାରେ ହସ୍ତିନାପୁରର ରାଜା ଦୁଷ୍ୟନ୍ତ ଓ ଶକୁନ୍ତଳାଙ୍କର ପୁଅ ଥିଲେ ଭାରତ । ସେ ଚକ୍ରବର୍ତ୍ତୀ ସମ୍ରାଟ ଥିଲେ ଚତୁର୍ଦ୍ଦିଗରେ ତାଙ୍କର ବିଜୟର ଧ୍ୱଜା ଉଡୁଥିଲା । ତାଙ୍କର ନାଁ ଅନୁସାରେ ଆମ ଦେଶର ନାଁ ଭାରତ ହୋଇଛି ବୋଲି କଥିତ ଅଛି । ଅନ୍ୟକେହି ଏହା ଭରତ ମୁନିଙ୍କ ନାଁରେ ନାମିତ ହୋଇଛି ବୋଲି କୁହାଯାଏ ।
ତାହାଲେ ଇଣ୍ଡିଆ ନାଁ ଆସିଲା କେଉଁଠୁ?

ଯେତେବେଳେ ଇଂରେଜ ମାନେ ଦେଶ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ ସେତେବେଳେ ଭାରତକୁ ହିନ୍ଦୁସ୍ତାନ ବୋଲି କୁହାଯାଉଥିଲା । ହେଲେ ଏହି ନାଁ ତାଙ୍କ ପାଟିରେ ଉଚ୍ଚାରଣ ସମସ୍ୟା ହେଉଥିଲା । ବ୍ରିଟିଶ ସରକାର ଜାଣିଲେ ଯେ, ଭାରତର ସଭ୍ୟତା ସିନ୍ଧୁ ସଭ୍ୟତାରୁ ଆସିଛି । ଯାହାକୁ ଇଣ୍ଡସ୍ ଭ୍ୟାଲି କୁହାଯାଏ । ଏହାକୁ ଲାଟିନ ଭାଷାରେ ଇଣ୍ଡିଆ ବି କୁହାଯାଏ । ତେଣୁ ସେମାନେ ହିନ୍ଦୁସ୍ତାନକୁ ଇଣ୍ଡିଆ କହିବା ଆରମ୍ଭ କଲେ, ଯାହା କ୍ରମେ ଲୋକପ୍ରିୟ ହୋଇଗଲା ।

ତେବେ କେବଳ ଭାରତ ନୁହେଁ ଅନ୍ୟ କିଛି ଦେଶର ମଧ୍ୟ ଏକାଧିକ ନାଁ ରହିଛି ।ଯେପରି ଜର୍ମାନୀକୁ ସ୍ପେନ୍ ଲୋକେ ଅଲେମାନିଆ ବୋଲି କହୁଥିବାବେଳେ ପୋଲାଣ୍ଡବାସୀ ଏହାକୁ ନିଏମ୍ସି ବୋଲି କହିଥାନ୍ତି । ଚୀନର ଇଂରାଜୀ ଏକ୍ସୋନିମ୍ ଚାଇନା ହୋଇଥିବାବେଳେ ଏହାର ପୁରାତନ ନାଁ ଜାଙ୍ଗୱା ।

ତେବେ ଅନେକ ସମୟରେ କୌଣସି ଦେଶର ଭୌଗଳିକ ସ୍ଥିତି, ସାମରିକ ଦକ୍ଷତା, ସ୍ୱତନ୍ତ୍ର କିର୍ତ୍ତୀରାଜି ଓ ସୁଶାସକଙ୍କ ଅନୁସାରେ ସେ ଦେଶର ନାଁ ବଦଳିଯାଏ । ଯାହା ସେ ଦେଶର ପରିଚୟ ବହନ କରେ । ଏହି କାରଣରୁ ମଧ୍ୟ କିଛି ଦେଶର ଏକାଧିକ ନାଁ ରହିଥିବାର ଦେଖାଯାଏ ।