କାବୁଲକୁ ତାଲିବାନ କବଜା କରିବା ପରେ ସାରା ବିଶ୍ୱ ଚକିତ । ପଢନ୍ତୁ, କାହିଁକି ତାଲିବାନୀଙ୍କୁ ସାମ୍ନା କରିପାରିଲାନି ଆଫଗାନ୍ ସେନା?

498

କନକ ବ୍ୟୁରୋ: ଦୁଇ ଦଶନ୍ଧୀ ଧରି ଆଫଗାନିସ୍ତାନରେ ରହିଥିଲେ ଆମେରିକା ସେନା । ଆଫଗାନ୍ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ସହ ତାଲିମ ଦେଇଥିଲେ ଆମେରିକାର ବଛା ବଛା କମାଣ୍ଡର । ଆଫଗାନିସ୍ତାନର ସେନାର ଭିତ୍ତିିଭୂମି ପାଇଁ ସାଢ଼େ ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲା ଆମେରିକା । ହେଲେ ଗୋଟିଏ ଝଟକାରେ ସବୁ କିଛିକୁ ପାଣିରେ ପକାଇ ଦେଇଛି ତାଲିବାନ । ବିନା ବାଧାରେ ତାଲିବାନୀଙ୍କ ନିକଟରେ ଆତ୍ମସମର୍ପଣ କରି ଦେଇଛି ଆଫଗାନ୍ ସେନା । କୁହାଯାଉଛି, ଦୁର୍ନୀତି, ଭ୍ରଷ୍ଟାଚାର ଯୋଗୁଁ ସେନା ବାହିନୀ ଦୁର୍ବଳ ହୋଇ ଯାଇଥିଲା । ମାସ ମାସ ଧରି ସେନାକୁ ଦରମା ଦିଆଯାଇନଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି ।

  • ତାଲିବାନୀଙ୍କୁ କାହିଁକି ସାମ୍ନା କରିପାରିଲାନି ଆଫଗାନ୍ ସେନା?
  • କାହିଁକି ବିନା ବାଧାରେ କରିଦେଲା ଆତ୍ମସମର୍ପଣ?

ମାତ୍ର ୧୧୪ ଦିନର ଲଢ଼େଇରେ କାବୁଲ ଦଖଲ କଲା ତାଲିବାନ । କିଛି ସପ୍ତାହର ଲଢ଼େଇକୁ ସାମନା କରି ପାରିଲାନି ଆଫଗାନ୍ ସେନା । ଆମେରିକା ଓ ନାଟୋ ସାମରିକ ଶକ୍ତିର ୨୦ ବର୍ଷର ସାଧନାକୁ ମାତ୍ର ଦିନ କେତେଟା ଭିତରେ ଓଲଟପାଲଟ କରିଦେଲେ ତାଲିବାନ ଆତଙ୍କବାଦୀ । ସ୍ଥିତି ଏପରି ହେଲା ଯେ ଅନେକ ସ୍ଥାନରେ ବିନା ଯୁଦ୍ଧରେ ହାତ ଟେକି ଆତ୍ମସମର୍ପଣ କରିଦେଲା ଆଫଗାନ ସେନା ।

ତେବେ ତାଲିବାନ ସହ ଆଲୋଚନା ପରେ ଏପ୍ରିଲ ୧୪ ତାରିଖରେ ଆମେରିକା ସୈନ୍ୟ ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲେ ବାଇଡେନ ସରକାର । ମେ’ ୧ ରୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ସମସ୍ତ ସୈନ୍ୟ ପ୍ରତ୍ୟାହାର କରିନେବା ପାଇଁ ଡେଡଲାଇନ ରହିଲା । ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ୱାଲ୍ଡ ଟ୍ରେଡ୍ ସେଂଟର ଉପରେ ଆକ୍ରମଣ ହୋଇଥିଲା । ତେଣୁ ଏହାର ଠିକ୍ ୨୦ ବର୍ଷ ପରେ ସୈନ୍ୟ ପ୍ରତ୍ୟାହାର ପାଇଁ ସ୍ଥିର କରିଥିଲା ଆମେରିକା । ମେ’ ୧ରେ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହେବା ମାତ୍ରେ ମେ’ ୪ ତାରିଖରେ ପ୍ରାୟ ୭ଟି ପ୍ରଦେଶ ଉପରେ ଆକ୍ରମଣ କଲା ତାଲିବାନ । ଆଉ ଏହା ପରେ ଗୋଟିଏ ପରେ ଗୋଟିଏ ପ୍ରଦେଶକୁ ନିଜ ଅକ୍ତିଆରକୁ ନେଇଯିବାରେ ସମର୍ଥ ହେଲେ ଆତଙ୍କୀ ।

  • କାହିଁକି ହେଲା ଏପରି ଶୋଚନୀୟ ପରାଜୟ?
  • କାହିଁକି ତାଲିବାନ ଆଗରେ ତିଷ୍ଠି ପାରିଲାନି ଆଫଗାନ୍ ସେନା?

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ତାଲିବାନର ଲଢ଼ୁଆ ବାହିନୀ ପାଖରେ ଯେତିକି କ୍ୟାଡର ଥିଲେ, ଆଫଗାନ ସରକାରଙ୍କର ତା’ଠାରୁ ପ୍ରାୟ ୪ ଗୁଣ ଅଧିକ ସୈନିକ ଥିଲେ । ତାଲିବାନୀଙ୍କ ପାଖରେ ଉନ୍ନତମାନର ଅସ୍ତ୍ରଶସ୍ତ୍ର ନଥିଲା । କିନ୍ତୁ ଆମେରିକାର ଆଧୁନିକ ଅସ୍ତ୍ରଶସ୍ତ୍ର ରହିଥିଲା ସରକାରୀ ସେନା ହାତରେ ।

ତାଲିବାନ ବନାମ ଆଫଗାନ୍ ସେନା

  • ତାଲିବାନ ନିକଟରେ ଅଛନ୍ତି ପ୍ରାୟ ୮୦ ହଜାର ସେନା
  • ସେନାବାହିନୀ ନିକଟରେ ୩ ଲକ୍ଷରୁ ଅଧିକ କ୍ୟାଡର
  • ତାଲିବାନ ପାଖରେ ଉନ୍ନତମାନର ଅସ୍ତ୍ରଶସ୍ତ୍ର ନଥିଲା
  • ଆଧୁନିକ ଅସ୍ତ୍ରଶସ୍ତ୍ର ରହିଥିଲା ଆଫଗାନ୍ ସେନା ହାତରେ
  • କ୍ଷମତା ଦଖଲ ପାଇଁ ତାଲିବାନୀଙ୍କ ମନୋବଳ ଦୃଢ଼ ଥିଲା
  • ଦୁର୍ବଳ ନେତୃତ୍ୱ, ଦୁର୍ନୀତି ଯୋଗୁଁ ସମସ୍ୟାରେ ପଡିଥିଲା ସରକାରୀ ସେନା
  • ଆଫଗାନ୍ ସେନା ଭିତରେ ରହିଥିଲେ ତାଲିବାନୀ ସମର୍ଥକ
  • ତାଲିବାନ ସହ ଲଢ଼େଇ ପାଇଁ ଚାହିଁନଥିଲେ ଅଧିକାଂଶ ସେନା

୨୦ ବର୍ଷ ଧରି ଆଫଗାନ୍ ସେନା ସହ ଆମେରିକା ଓ ନାଟୋର ପ୍ରାୟ ୧୦ ହଜାର ସୈନ୍ୟ ଓ ଅଧିକାରୀ ରହି, ସେମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ଏହି ସମୟ ଭିତରେ ସାଢ଼େ ୬ଲକ୍ଷ କୋଟି ଟଙ୍କା ସେନାର ଭିତ୍ତିଭୂମି, ଅସ୍ତ୍ରଶସ୍ତ୍ର ଆଧୁନିକୀକରଣରେ ଖର୍ଚ୍ଚ କରିଥିଲା ଆମେରିକା । ଏଥିପାଇଁ ପ୍ରାୟ ଅଢ଼େଇ ହଜାର ଆମେରିକା ସୈନ୍ୟ ମଧ୍ୟ ପ୍ରାଣବଳି ଦେଇଥିଲେ । ହେଲେ ଏସବୁ ସତ୍ତ୍ୱେ ,ଏକ ନାଟକୀୟ ପରିସମାପ୍ତି ଘଟିଛି ଆଫଗାନସ୍ତାନରେ ।