ପୂର୍ବ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କ ଶବକୁ କାନ୍ଧରେ ବୋହିନେଲେ ରାହୁଲ ଗାନ୍ଧୀ । ଦୁଇଦିନ ପୂର୍ବରୁ ହୋଇଥିଲା ନିଧନ

210

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କର ବୁଧବାର ଦିନ ଗୋଆ ଠାରେ ଦେହାନ୍ତ ହୋଇଥିଲା । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସତୀଶଙ୍କ କୋକେଇକୁ କାନ୍ଧ ଦେଇଥିବା ଦେଖିବାକୁ ମିଳିଛି । ରାହୁଲ ନିଜ କାନ୍ଧରେ ଅନ୍ୟମାନଙ୍କ ସହ ସତୀଶଙ୍କ କୋକେଇ ନେଉଥିବାର ଫଟୋ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି । କହିରଖୁ କି ୭୩ ବର୍ଷିୟ ସତୀଶ ଶର୍ମା କ୍ୟାନସର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି ।

ଗୋଆ ଠାରେ ସତୀଶ୍ ଶର୍ମାଙ୍କର ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ଦିଲ୍ଲୀ ଅଣାଯାଇଥିଲା । ତାଙ୍କ ମୃତଦେହ ନିକଟରେ ସତୀଶଙ୍କର ଏକମାତ୍ର ପୁଅ ଓ ଏକମାତ୍ର ଝିଅ ସହ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ । ଅନ୍ତିମ ସଂସ୍କାର ବେଳେ ଅନେକ କଂଗ୍ରେସ ନେତା ଓ ନିଜେ ରାହୁଲ ଗାନ୍ଧୀ ପହଂଚିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅତି ନିକଟତର କୁହାଯାଉଥିବା ଶ୍ରୀ ଶର୍ମା ନରସିଂମା ରାଓ ସରକାରରେ ୧୯୯୩-୧୯୯୬ ପର୍ଯ୍ୟନ୍ତ କେନ୍ଦ୍ର ପେଟ୍ରୋଲ୍ରିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

୧୯୪୭ ମସିହା ଅକ୍ଟୋବର ୧୧ ତାରିଖରେ ଶ୍ରୀ ଶର୍ମା ଆନ୍ଧ୍ରପ୍ରଦେଶର ସିକନ୍ଦରାବାଦ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ପେଶାରେ ଜଣେ ବାଣିଜ୍ୟିକ ପାଇଲଟ୍ ଥିଲେ । ସେ ରାଜନୀତିକୁ ପ୍ରବେଶ କରିବା ପରେ ୩ ଥର ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହାସହ ରାୟବରେଲି ଓ ଆମେଠି ରୁ ୩ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାସହ ସେ କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ପାଇଁ ପ୍ରତିନିଧିତ୍ତ୍ୱ କରିଛନ୍ତି ।