ଓମିକ୍ରନକୁ ନେଇ ଡବ୍ଲୁଏଚଓର ସତର୍କ ବାଣୀ । ଗମନାଗମନ ନେଇ ବିଶ୍ୱ ବ୍ୟାପୀ କଟକଣା  ।

689

କନକ ବ୍ୟୁରୋ: କରୋନାର ନୂଆ ଭ୍ୟାରିଆଣ୍ଟ ନେଇ ସାରା ବିଶ୍ୱକୁ ସତର୍କ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏହି ଭୂତାଣୁ ପୂର୍ବ ସମସ୍ତ ପ୍ରଜାତିଠାରୁ ଭୟଙ୍କର ହୋଇପାରେ ବୋଲି କହିଛି ଡବ୍ଲୁଏଚ୍‌ଓ ।ଏହି ପ୍ରଜାତିର ମ୍ୟୁଟେସନ ଅନ୍ୟ ପ୍ରଜାତି ଠାରୁ ଅଧିକ ।ତେଣୁ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଏହାକୁ ସବୁଠୁ ଉଦବେଗର କାରଣ ବା ‘ଭାରିଆଣ୍ଟ ଅଫ୍ କନସର୍ନ’ ଭାବେ ନାମିତ କରାଯାଇଛି । ଏନେଇ ବିଶ୍ୱବ୍ୟାପୀ ସତର୍କତା ଅବଲମ୍ବନ କରିବାକୁ ଚେତାଇ ଦେଇଛି ଡବ୍ଲୁଏସଓ । ବ୍ରିଟେନରେ ଓମିକ୍ରନର ୨ଠଟି ମାମଲା ଚିହ୍ନଟ କରାଯିବା ପରେ ଟେଷ୍ଟିଙ୍ଗକୁୁ ବଢାଇ ଦିଆଯାଇଛି । ତେବେ ଏହା ଉପରେ ଅଧିକ ଅନୁସନ୍ଧାନ ଓ ଗବେଷଣା ଜାରି ରହିଛି । ଏହା ଉପରେ ବିସ୍ତୃତ ତଥ୍ୟା ଆସିବାକୁ ଆହୁରି ସପ୍ତାହେ ସମୟ ଲାଗିବ ବୋଲି ଡବ୍ଲୁଏଚଓ ମୁଖ୍ୟ ଡକ୍ଟର ଟେଡ୍ରୋସ୍ ଆଧାନୋମ୍ ଘେବ୍ରେୟେସୁସ୍ କହିଛନ୍ତି ।

ଆଫ୍ରିକାରେ ଗତ କିଛି ସପ୍ତାହ ଭିତରେ ଏହାର ସଂକ୍ରମଣ ବୃଦ୍ଧି ପାଇଛି ଏବଂ ବିଭିନ୍ନ ରାଷ୍ଟ୍ର ଆଫ୍ରିକୀୟ ଦେଶଗୁଡ଼ିକ ଉପରେ କଟକଣା ଲଗାଇଛନ୍ତି। ଭାରତରେ ମଧ୍ୟ ଆଫ୍ରିକୀୟ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ ଉରେ ସତର୍କ ନଜର ରଖାଯାଇଛି। ଦକ୍ଷିଣ ଆଫ୍ରିକା ପରେ ୟୁରୋପ୍‌ରେ ଓମିକ୍ରନ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଇସ୍ରାଏଲରେ ମଧ୍ୟ ଏହି ନୂଆ ଭାଇରସ୍‌ ଦେଖିବାକୁ ମିଳିଲାଣି। ଇସ୍ରାଏଲକୁ ମାଲାୱି, ବଟ୍‌ସ୍ବାନା, ବେଲଜିୟମ୍ ଓ ହଂକଂରୁ ଆସିଥିବା ଲୋକଙ୍କଠାରେ ଏହା ଦେଖିବାକୁ ମିଳିଛି। ‌ତେବେ ଗତ ୬୦ ଦିନ ଭିତରେ ଯେତେ ନମୁନା ପରୀକ୍ଷା ହୋଇଛି ସେଥିରୁ ୯୯.୮ ପ୍ରତିଶତ ଡେଲ୍‌ଟା ଥିବା ଜଣାପଡ଼ିଛି।

ଅନ୍ୟପଟେ ନୂଆ ପ୍ରଜାତି ଭୂତାଣୁ ଓମିକ୍ରନ ଦେଖାଦେବା ପରେ ବିଶ୍ବରେ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉକ୍ତ ଭୂତାଣୁକୁ ଚିନ୍ତାଜନକ ଭୂତାଣୁ ବର୍ଗରେ ତାଲିକାଭୁକ୍ତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରାୟ ୨ ଘଣ୍ଟା ଧରି ହୋଇଥିବା ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନୂଆ କରୋନା ଭୂତାଣୁ ଚିହ୍ନଟ ପରିପ୍ରେକ୍ଷୀରେ ଅଧିକ ସତର୍କ ରହିବା ସହିତ ସକ୍ରିୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଲୋକମାନେ ମଧ୍ୟ ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଭାରତକୁ ବିଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କ ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ନିର୍ଦ୍ଦେଶାବଳି ଅନୁସାରେ ସେମାନଙ୍କର ଟେଷ୍ଟିଂ କରିବା ପାଇଁ କହିଛନ୍ତି। ବିଶେଷକରି ବିପଦ ବର୍ଗରେ ଥିବା ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀଙ୍କ ଉପରେ ନିର୍ଦ୍ଦିଷ୍ଟ ଭାବେ ଧ୍ୟାନ ଦେବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।