ଋଷିଆ ଟୀକାକୁ ‘ହୁ’ ଟେନସନ । କରୋନା ଟିକା ଘୋଷଣା ପରେ ସର୍ତ୍ତ ରଖିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବ୍ୟବହାର ପୂର୍ବରୁ ସୁରକ୍ଷାର କଡା ଯାଞ୍ଚର ରହିଛି ଆବଶ୍ୟକତା । ହୁ ମାରିଲେ ହଁ ଋଷିଆ ଟୀକା ପାଇଁ ଫିଟିବ ବାଟ

2,643

କନକ ବ୍ୟୁରୋ: ଋଷ ଟୀକା ଉପରେ ସର୍ତ୍ତ ରଖିଲା ହୁ । ସର୍ତ୍ତ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି, ଋଷିଆ ଆଣିଥିବା ଟିକାର ସୁରକ୍ଷା ନେଇ କଡା ଯାଂଚ ଜରୁରୀ । ଟିକାକୁ ମଞ୍ଜୁରି ଦେବା ପୂର୍ବରୁ କଡା ଯାଂଚର ଆବଶ୍ୟକତା ରହିଛି । ଟିକାର ପ୍ରଭାବର ଅନୁଧ୍ୟାନ ପରେ ବ୍ୟବହାର ପାଇଁ ଅନୁମତି ମିଳିବ । ଋଷିଆ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ ଯୋଗାଯୋଗରେ ଅଛି । ବିଚାରବିମର୍ଶ ଚାଲିଛି ।

ତେବେ ଜେନେଭାରେ ଅନଲାଇନ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି ୟୁନାଇଟେଡ ନେସନ ହେଲଥ ଏଜେନ୍ସିର ମୁଖପାତ୍ର ତାରିକ ଜାସାରେଭିକ । ସେପଟେ ଆଜି ସକାଳେ କରୋନାର ପ୍ରଥମ ଟିକା ପ୍ରସ୍ତୁତ ହୋଇଥିବା ଆଜି ଔପଚାରିକ ଭାବେ ଘୋଷଣା କରିଛନ୍ତି ଋଷ ସରକାର । ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଏହି ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କ ଝିଅଙ୍କୁ ପ୍ରଥମ ଟିକା ଦିଆଯାଇଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଟିକାକୁ ସବୁଜ ସଂକେତ ଦେବା ପରେ କରୋନା କାଳରେ ଏହି ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ପୁଟିନ । ସେପଟେ ବିଶ୍ୱରେ ୧୬୦ଟି ଦେଶ କିମ୍ବା ସଂସ୍ଥା କରୋନା ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଏହି ପ୍ରତିଯୋଗିତା ଭିତରେ ଋଷର ଘୋଷଣା ନୂଆ ଆଶାର ସମ୍ଭାବନା ସୃଷ୍ଟି କରିଛି । ସେପଟେ ଆମେରିକୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ କହିଛି ମାନବ ପରୀକ୍ଷଣ ପୂରା ନକରି ଟିକା ଆଣିଛି ଋଷ ।