ଆଜି ବାରବାଟୀରେ ସୁପର ସଣ୍ଡେରେ ସୁପର ଶୋ । ଅଢେଇ ବର୍ଷ ପରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ, ଭାରତର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର

100

କନକ ବ୍ୟୁରୋ : ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଟି-୨୦ ମ୍ୟାଚ ଖେଳାଯିବ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ । ଏଥିପାଇଁ ଜୋରଦାର ଅଭ୍ୟାସ କରିଛନ୍ତି । ଦୁଇ ଦଳ ଦୀର୍ଘ ୭ ବର୍ଷ ପରେ ବାରବାଟୀରେ ମୁହାମୁହିଁ ହେବାକୁ ଯାଉଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବେଲ ବଜାଇ ଶୁଭାରମ୍ଭ କରିବେ । ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ମ୍ୟାଚ ପାଇଁ ଦିନ ୩ଟାରୁ ଷ୍ଟାଡିୟମରେ ପ୍ରବେଶ କରିପାରିବେ ଦର୍ଶକ । ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯାଇଥିଲା । ଆଉ ଭାରତୀୟ ଟିମ୍ ପରାଜୟ ବରଣ କରିଥିଲା । ଆଜି ଦ୍ୱିତୀୟ ମ୍ୟାଚ ବାରବାଟୀରେ ଖେଳାଯିବ । ଏହି ପିଚରେ ଦୁଇ ଦଳ ମଧ୍ୟରେ ଗୋଟିଏ ଭଲ ମ୍ୟାଚ ଖେଳାଯିବ ବୋଲି ସମସ୍ତ କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।
ଅନ୍ତିମ ଥର ୭ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ଦଳ ସହ ୨୦୧୫ ଅକ୍ଟୋବର ୫ ତାରିଖରେ ଭାରତ ମ୍ୟାଚ ଖେଳିଥିଲା । ଏହି ମ୍ୟାଚ୍ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳାଯାଇଥିଲା । ଦଳ ମାତ୍ର ୯୨ ରନରେ ଅଲଆଉଟ୍ ହୋଇଯିବା ପରେ ପ୍ରଶଂସକ ଖେଳାଳିଙ୍କ ଉପରକୁ ବୋତଲ ବର୍ଷା କରିଥିଲେ । ଖେଳ ଢେର ସମୟ ଅଟକିରହିବା ପରେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ଜିତିଥିଲା । ଦକ୍ଷିଣ ଆଫ୍ରିକା ଏଠାରେ ଗୋଟିଏ ଟିି-୨୦ ଖେଳି ବିଜୟୀ ହୋଇଥିବାରୁ ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିବ ।
ଅନ୍ୟପଟେ ମ୍ୟାଚ ପୂର୍ବରୁ ଭୁବନେଶ୍ୱର-କଟକ ଆକାଶ ମେଘୁଆ ରହିଛି । ଆଜି କିନ୍ତୁ ବର୍ଷାର ପୂର୍ବାନୁମାନ ନ ଥିବା ମଧ୍ୟ ପାଣିପାଗ ବିଭାଗ କହୁଛି । ତେବେ ମେଘୁଆ ପରିବେଶ ଓ ପିଚରେ ଥିବା ଘାସକୁ ନଜରରେ ରଖିଲେ ଏଠାରେ ଦିଲ୍ଲୀ ଭଳି ବଡ଼ ସ୍କୋର ହେବ ନାହିଁ ବୋଲି ଜଣାପଡୁଛି । ସ୍ଲୋ ପିଚ୍ କାରଣରୁ ବୋଲରଙ୍କୁ ବି ସହାୟତା ମିଳିବ, ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ପେସ୍ ବୋଲରଙ୍କୁ ମଧ୍ୟ ଆଶ୍ୱସ୍ତ କରିଛି ବାରବାଟୀର ଘାସୁଆ ପିଚ୍ । ତାପମାତ୍ରା ୩୭ ଡିଗ୍ରି ଓ ଆର୍ଦ୍ରତା ୬୪% ପ୍ରତିଶତ ରହିବ ବୋଲି ଆକଳନ ରହିଛି ।