କିଏ ହେବ ଆଫଗାନିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ? କ୍ଷମତା ପାଇଁ ଚାଲିଛି ରକ୍ତାକ୍ତ ସଂଘର୍ଷ ।

200

କନକ ବ୍ୟୁରୋ: କିଏ ହେବ ଆଫଗାନିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ, କିଏ ହେବ ରାଷ୍ଟ୍ରପତି ? କାହା ହାତରେ ରହିବ କ୍ଷମତାଭାର ? ଏହାକୁ ନେଇ ଏବେ ବି ତାଲିବାନୀ ଆତଙ୍କୀ ସଂଗଠନ ମଧ୍ୟରେ ତୁଟୁନି ବୁଝାମଣା । ଏହାକୁ ନେଇ ଆଫଗାନିସ୍ତାନରେ ସରକାର ଗଢିବାକୁ ଯାଉଥିବା ତାଲିବାନୀ ଆତଙ୍କୀ ସଂଗଠନ ଓ ଅନ୍ୟ ଆତଙ୍କୀ ଗୋଷ୍ଠୀ ଗୁଡିକ ମଧ୍ୟରେ ଦେଖା ଦେଲାଣି ଫାଟ । କ୍ଷମତା ପାଇଁ ମୁଲ୍ଲା ବରାଦର ଓ ହକାନୀ ଗ୍ରୁପ୍ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ ଆହତ ହୋଇଛନ୍ତି ତାଲିବାନ ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରଦାର ।

ଆଫଗାନିସ୍ତାନରେ ସରକାର ଗଠନ ନେଇ ରକ୍ତାକ୍ତ ସଂଘର୍ଷ । କ୍ଷମତା ପାଇଁ ମୁଲ୍ଲା ବରାଦର ଓ ହକ୍କାନୀ ଗ୍ରୁପ ହୋଇଛନ୍ତି ମୁହାଁମୁହିଁ । ଯେଉଁଥିରେ ଆହତ ହୋଇଛନ୍ତି ତାଲିବାନ ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରଦାର । ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ଏବେ ସରକାର ଗଠନ କରିବାକୁ ନେଇ ଅଡୁଆରେ ପଡିଲାଣି । ସରକାର ଗଠନ ପାଇଁ ତାଲିବାନୀ ଆଗକୁ ବଢୁଥିବା ବେଳେ ସମୟ ଗଡିବା ସହିତ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ହୋଇପାରୁନି । ଗତ କିଛି ଦିନ ଧରି କେବଳ ଏହାକୁ ନେଇ ଆକଳନ କରାଯାଉଛି । ତାଲିବାନୀ ମଧ୍ୟ ସରକାର ଗଠନ ଖୁବଶୀଘ୍ର ବୋଲି କହି ବାରମ୍ୱାର ସମୟ ଗଡାଇ ଚାଲିଛି ।

ତାଲିବାନ ପକ୍ଷରୁ ଏହି କଥାକୁ ମଧ୍ୟ ସ୍ୱୀକାର କରାଯାଇଛି କି ଯେପରି ଭାବରେ ତାଲିବାନ ସରକାର ଗଠନ କରିବାକୁ ଚାହୁଁଛି, ସେଥିରେ କିଛି ସମସ୍ୟା ରହିଛି । ତାଲିବାନୀ ଆତଙ୍କୀ ସଂଗଠନ ସହିତ ଅନ୍ୟ ସାଥୀ ଆତଙ୍କୀ ସଂଗଠନ ଗୁଡିକର ସହମତି ହୋଇପାରୁନି । ବିଶେଷ କରି ତାଲିବାନର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହକାନୀ ଗ୍ରୁପ । ସେଥିପାଇଁ ସରକାର ଗଠନରେ ଗଡିଚାଲିଛି ସମୟ ।

ଗତ ସପ୍ତାହରେ ଖବର ଆସିଥିଲା ତାଲିବାନ ଖୁବଶୀଘ୍ର ଗଠନ କରିବାକୁ ଯାଉଛି ସରକାର । ତାଲିବାନ ଆତଙ୍କୀ ସଂଗଠନର ଶୀର୍ଷଧର୍ମ ଗୁରୁ ଅଖୁନ୍ଦଜାଦା ହେବେ ସରକାର ଗଠନରେ ଶୀର୍ଷ ନେତା । ମୁଲ୍ଲା ବରାଦରଙ୍କ ହାତରେ ରହିବ ପ୍ରଧାନମନ୍ତ୍ରୀ ପଦ । ଏହାର ପରଦିନ ଖବର ଆସିଥିଲା ଅଖୁନ୍ଦଜାଦା ନୁହଁ ମୁଲ୍ଲା ବରାଦର ନେବେ ସରକାର ଗଠନର ନେତୃତ୍ୱ । ଏହା ମଧ୍ୟରେ ତାଲିବାନୀ ଆତଙ୍କୀ ସଂଗଠନ ଏହା ବି ସ୍ପଷ୍ଟ କରିପାରିନି, ଅଖୁନ୍ଦଜାଦା ନା ମୁଲ୍ଲା ବରାଦର କାହା ନେତୃତ୍ୱରେ ଗଠନ ହେବ ତାଲିବାନ ସରକାର, ଯାହାକୁ ନେଇ ସୃଷ୍ଟି ହେଉଛି ସନ୍ଦେହ ।