କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ? ଆଦିତ୍ୟ ନା’ ଦେବେନ୍ଦ୍ର? ଦ୍ୱନ୍ଦ୍ୱ ବଢ଼ାଇଲା ଅଛିଣ୍ଡା ଅଙ୍କ । ଆଭିମୁଖ୍ୟ ସ୍ପଷ୍ଟ କଲା ଶିବସେନା, ଆସନ ଛାଡ଼ିବାକୁ ନାରାଜ ବିଜେପି ।

524

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଂଟ ବହୁମତ ପାଇ ସରକାର ଗଢିବାକୁ ପ୍ରସ୍ତୁତ । ହେଲେ ମୁଖ୍ୟମନ୍ତ୍ରୀ ଅଙ୍କ ଛିଣ୍ଡିବାର ନାଁ ଧରୁନି । ଠାକରେ ପରିବାରର ଦାୟାଦ, ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଜୋର ଧରିଛି ଶିବସେନାର ଦାବି । ଏପରିକି ସହରର ବିଭିନ୍ନ ସ୍ଥାନରେ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଶିବସେନା ପକ୍ଷରୁ ଆଦିତ୍ୟ ଠାକରେଙ୍କ ପୋଷ୍ଟର ଲଗାଯାଇଛି । ସେପଟେ ଫଡନଭିସଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପିର ମହାରାଷ୍ଟ୍ର ଶାଖା ବି ଦାବି କରୁଛି । ଏଭଳି ସ୍ଥିତିରେ ସ୍ପଷ୍ଟ ହୋଇପାରୁନି , କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ।

ମହାରାଷ୍ଟ୍ର ଆସନରେ ବସିବେ କିଏ ? କାର୍ଟୁନ୍ କହୁଛି ମହାରାଷ୍ଟ୍ର କାହାଣୀ । ନିର୍ବାଚନ ଫଳାଫଳର ଅଛିଣ୍ଡା ଅଙ୍କ ଯେମିତି ମହାରାଷ୍ଟ୍ରର ରାଜନୈତିକ ଗଣିତକୁ ଓଲଟପାଲଟ କରିଦେଇଛି । ବିଜେପିର ଆଳକନ ଯେତେବେଳେ ଫେଲ୍ ମାରିଲା, ସେତେବେଳେ ସ୍ୱାଭାବିକ୍ ଭାବେ ବଢ଼ିଗଲା ଶିବସେନାର ଆଶା । ଆଉ ୫୦-୫୦ ଭାଗବଂଟା ଆଧାରରେ ନିର୍ବାଚନ ଲଢ଼ିଥିବା ଦୁଇ ଦଳ, ଏବେ ନିଜ ନିଜ ଜିଦରେ ଅଟଳ । ଶିବସେନାର ନବନିର୍ବାଚିତ ବିଧାୟକଙ୍କ ବୈଠକରେ ଠାକରେ ପରିବାରର ଦାୟାଦ ଆଦିତ୍ୟ ଠାକରେଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କରିବା ପାଇଁ ଜୋର ଧରିଛି ଦାବି ।

ଆଦିତ୍ୟ ଠାକରେଙ୍କ ସମର୍ଥନରେ ମୁମ୍ବାଇ ସହରର ବିଭିନ୍ନ ସ୍ଥାନରେ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଶିବସେନା ପକ୍ଷରୁ ପୋଷ୍ଟର ଲଗାଯାଇଛି । ଆଉ ଏପଟେ ଶିବସେନା ସାଂସଦ ସଂଜୟ ରାଉତ ଏଭଳି ଏକ କାର୍ଟୁନ୍ ଟ୍ୱିଟରରେ ସେୟାର କରିଛନ୍ତି, ଯାହା ପ୍ରମାଣିତ କରିଦେଉଛି ସରକାର ଗଠନରେ ବିଜେପିର ଭୂମିକା କ’ଣ ଏବଂ ଶିବସେନାର ଭୂମିକା କ’ଣ ?

ତେବେ ଏହାରି ଭିତରେ ବଡ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ? ଆଦିତ୍ୟ ନା’ ଦେବେନ୍ଦ୍ର ? ଶିବସେନା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଥିବା ବେଳେ ଏବେ ଦେଖିବାର କଥା ବିଜେପି କରୁଛି କ’ଣ । ବିଜେପିର ମହାରାଷ୍ଟ୍ର ଶାଖା, ଦେବେନ୍ଦ୍ର ଫଡ଼ନବିସଙ୍କ ସପକ୍ଷରେ ଯୁକ୍ତି ବାଢିଛି । ଏମିତି କି ଫଡନବିସ୍ କହିଛନ୍ତି, ବିଜେପି କାହିଁକି ସବୁବେଳେ ସାଲିସ୍ କରିବ । ଏବେ ମୋଦି ଏବଂ ଶାହା, ତଥା ଦଳର କେନ୍ଦ୍ରୀୟ ଶାଖା କେଉଁ ସିଦ୍ଧାନ୍ତରେ ଉପନିତ ହେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।

ଆଉ ଏସବୁ ଭିତରେ ସରକାର ଗଢ଼ିବାକୁ ଶିବସେନାକୁ ସମର୍ଥନ କରିବ ନାହିଁ ବୋଲି ଖୋଲାଖୋଲି ଶୁଣାଇ ଦେଇଛନ୍ତି ଏନସିପି ମୁଖ୍ୟ ଶରତପାୱାର । ତେବେ ଶିବସେନାର ଦାବିକୁ ଯଥାର୍ଥ ବୋଲି କହିଛନ୍ତି ପାୱାର । ଅନ୍ୟପଟେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଏବଂ ପୃଥ୍ୱୀରାଜ ଚୌହାନ, ବିଜେପିରୁ କ୍ଷମତାକୁ ଦୂରରେ ରଖିବା ପାଇଁ କୌଣସି ଦଳକୁ ସହଯୋଗ କରିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି । ଯାହା ମହାରାଷ୍ଟ୍ର ରାଜନୀତିକୁ ଅଧିକ ରୋଚକ କରିଦେଇଛି ।