କିଏ ହେବ ଭୁବନେଶ୍ୱର କ୍ଲବର ନୂଆ ସଭାପତି? ପୁଣି ଥରେ ଦେଖିବାକୁ ମିଳିବ ବାବୁଙ୍କ ଭିତରେ ଲଢ଼େଇ

383

କନକ ବ୍ୟୁରୋ: ରାଜଧାନୀ ଛାତି ଉପରେ ଛିଡ଼ା ହୋଇଥିବା ରାଜ୍ୟର ସବୁଠୁ ନାମୀ ଦାମୀ କ୍ଲବ ଭୁବନେଶ୍ୱର କ୍ଲବ । ଆଉ ଏହାର ସଭାପତି ପଦ, ମର୍ଯ୍ୟାଦା ଓ ସମ୍ମାନର ପ୍ରଶ୍ନ ହୋଇ ରହିଛି । ଆସନ୍ତା ୨୪ ତାରିଖରେ ଏହି ପଦ ପାଇଁ ଦେଖିବାକୁ ମିଳିବ ସମ୍ଭ୍ରାନ୍ତ ଲଢ଼େଇ ।

ଦୁଇ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ହେବ ମୁକାବିଲା । ଏବେକାର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପୁଣି ଥରେ ନିର୍ବାଚନକୁ ଓହ୍ଲାଇଛନ୍ତି । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ପୂର୍ବତନ ଉନ୍ନୟନ କମିସନର ସତ୍ୟପ୍ରକାଶ ନନ୍ଦ । ଏଥିପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ସେମାନଙ୍କ ଟିମ୍ର ବ୍ୟାନର କରିଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଉଦ୍ୟମ ହୋଇଛି ।

ଅସିତ ତ୍ରିପାଠୀଙ୍କ ଟିମର ପ୍ରମୁଖ ସ୍ଲୋଗାନ ହେଉଛି, ତାଙ୍କ ସମୟରେ ହୋଇଥିବା ରୂପାନ୍ତରଣ କାର୍ଯ୍ୟ । ଭିତିଭୂମିକୁ ନୂଆ ରୂପ ଦିଆଯାଇ କିପରି କ୍ଲବର ବହୁମୁଖୀ ଉନ୍ନତି ହୋଇଛି, ଏହି ତାଲିକା କ୍ଳବ ସଦସ୍ୟଙ୍କୁ ଦେଉଛନ୍ତି ଅସିତ । ତାଙ୍କ କହିବା କଥା, ସେ ଦାୟିତ୍ୱ ନେବା ପରେ କ୍ଲବର ଚେହେରା ବଦଳିଯାଇଛି । ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ପଥ ହେବା ସହ ସୁଇମିଂ ପୁଲର ନୂଆ ରୂପ ଦିଆଯାଇଛି । ସେକେଣ୍ଡ ଲନ୍ରେ ବଡ଼ ୱାସରୁମ୍, ପ୍ରାଇଭେଟ ପାର୍ଟିଙ୍କ ପାଇଁ ଲାଉଂଜ କରାଯାଇଛି । ରୂପାନ୍ତରଣ କାମର ଏହି ଧାରା ଆଗକୁ ଜାରି ରହିବ ବୋଲି କହିଛନ୍ତି ଅସିତ ତ୍ରିପାଠୀ ।

ଅସିତ ତ୍ରିପାଠୀଙ୍କ ସ୍ଲୋଗାନ
ଆଗକୁ ଜାରି ରହିବ ରୂପାନ୍ତରଣ କାମ
ଭିତ୍ତିଭୂମିକୁ ନୂଆ ରୂପ ଦିଆଯାଇଛି
ତାଙ୍କ ସମୟରେ କ୍ଲବର ବହୁମୁଖୀ ଉନ୍ନତି ହୋଇଛି
ଦାୟିତ୍ୱ ନେବା ପରେ କ୍ଲବର ଚେହେରା ବଦଳିଛି
ପ୍ରବେଶ ଓ ପ୍ରସ୍ଥାନ ପଥ, ସୁଇମିଂ ପୁଲର ନୂଆ ରୂପ ଦିଆଯାଇଛି
ସେକେଣ୍ଡ ଲନ୍ରେ ବଡ଼ ୱାସରୁମ୍ କରାଯାଇଛି
ପ୍ରାଇଭେଟ ପାର୍ଟିଙ୍କ ପାଇଁ ଏକ ଲାଉଂଜ କରାଯାଇଛି

ସେପଟେ ସତ୍ୟପ୍ରକାଶ ନନ୍ଦଙ୍କ ଆହ୍ୱାନ ହେଉଛି – କ୍ଳବକୁ ବଂଚାନ୍ତୁ, ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭୋଟ ଦିଅନ୍ତୁ । ତାଙ୍କର ଅଭିଯୋଗ, ଉପର ଚିକଚାକ୍ ରହିଛି, କିନ୍ତୁ ସେବା ନିମ୍ନମାନର ରହିଛି । ଘରୋଇ କଂପାନୀ ଭଳି ଚାଲିଛି କ୍ଲବ । ବାରମ୍ବାର ଚିଠି ଲେଖିଲେ ବି ଟଙ୍କା କେଉଁଠୁ ଆସୁଛି, ତାର ହିସାବ ଦିଆଯାଉନି । ସଦସ୍ୟତା ଦେବା ପାଇଁ ଜାଲିଆତି ହେଉଛି, ଭୋଟ କିଣା ହେଉଥିବା ଭଳି ଅଭିଯୋଗ ଲଗାଇଛନ୍ତି ସତ୍ୟପ୍ରକାଶ ନନ୍ଦ ।

ସତ୍ୟପ୍ରକାଶ ନନ୍ଦଙ୍କ ସ୍ଲୋଗାନ
କ୍ଳବକୁ ବଞ୍ଚାଇବା, ଗୌରବକୁ ଅକ୍ଷୁର୍ଣ୍ଣ ରଖିବା
ପରିବର୍ତ୍ତନ ପାଇଁ ଭୋଟ ଦେବା
କ୍ଲବର ଉପର ଚକାଚକ୍, ସେବା ନିମ୍ନମାନର
ଘରୋଇ କଂପାନୀ ଭଳି ଚାଲିଛି କ୍ଲବ
ଟଙ୍କା କେଉଁଠୁ ଆସୁଛି, ହିସାବ ଦିଆଯାଉନି
ବାରମ୍ବାର ଚିଠି ଲେଖିବେ ବି ଉତ୍ତର ମିଳୁନି
ସଦସ୍ୟତା ଦେବା ପାଇଁ ହେଉଛି ଜାଲିଆତି
ଭୋଟ କିଣିବା ପାଇଁ ଚାଲିଛି ଉଦ୍ୟମ

ଆଇଏଏସ୍ ଅଫିସରଙ୍କ ଆଧିପତ୍ୟ ଭୁବନେଶ୍ୱର କ୍ଲବରେ ରହି ଆସିଛି । କ୍ଲବର ସଭାପତି ନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଥାଏ । ଏହି ନିର୍ବାଚନ କେବଳ ଦୁଇ ପକ୍ଷଙ୍କ ମଧ୍ୟରେ ସୀମିତ ରହିନଥାଏ । କ୍ଷମତା ଅଳିନ୍ଦର ଦୁଇ ପ୍ରଭାବଶାଳୀ ଗୋଷ୍ଠୀଙ୍କ ସମ୍ମାନର ପ୍ରଶ୍ନ ହୋଇ ରହିଥାଏ ।

ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର କ୍ଲବ ପାଇଁ ଭୋଟ ହେବ । ସଭାପତି, ଉପସଭାପତି, ସଂପାଦକ, ଯୁଗ୍ମ ସଂପାଦକ, ୬ ଜଣିଆ କାର୍ଯ୍ୟନିବାହୀ କମିଟି ସଦସ୍ୟ ନିର୍ବାଚିତ ହେବେ । ଗତବର୍ଷ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଟିମ୍ ଓ ବିଜୟ ପଟ୍ଟନାୟକଙ୍କ ଟିମ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଅସିତ ତ୍ରିପାଠୀଙ୍କ ଟିମ୍ ବାଜିମାତ କରିଥିଲା ।