ଅଡିସନ୍ ଦେବେ କଂସ ! କିଏ ହେବ ମଥୁରା ନରେଶ

79

କନକ ବ୍ୟୁରୋ: କଂସ ଭୂମିକାରେ ଅଭିନୟ କରିବାକୁ ହେବ ଅଡିସନ୍ । ଆଜି ମଥୁରା ନରେଶ ପାଇଁ ହେବ କଳାକାର ଚୟନ । ବରଗଡ଼ ଡିପିଇପି ହଲରେ ହେବାକୁଥିବା ଏହି ଚୟନ ପ୍ରକ୍ରିୟାରେ ଭାଗନେବେ ୨୪ଜଣ ପ୍ରତିଯୋଗୀ । ଆଜି ବସୁଛି ଧନୁଯାତ୍ର କମିଟିର ବୈଠକ । ଧନୁଯାତ୍ରା କମିଟିର ସଦସ୍ୟ ଏବଂ ଜନସାଧାରଣଙ୍କ ଉପସ୍ଥିତିରେ ଆଶାୟୀ ଅଭିନେତାମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବେ । ଏମାନଙ୍କ ଭିତରେ ଅଛନ୍ତି ଗତ ୮ବର୍ଷ ଧରି କଂସ ଭୂମିକାରେ ନଜର ଆସିଥିବା ହୃଷିକେଶ ଭୋଇ ଏବଂ ଦୀର୍ଘ ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିବା ଗୋପାଳ ସାହୁ ।

ତେବେ ଚଳିତ ବର୍ଷ କିଏ କଂସ ଭୂମିକାରେ ଅଭିନୟ କରିବେ, ସେନେଇ କମିଟି ନିଷ୍ପତି ନେଇନଥିବା ବେଳେ, କିଏ ଏହି ଭୂମିକାରେ ଅଧିକ ଲୋକପ୍ରିୟ ଏବଂ କାହାକୁ କଂସ ଭୂମିକାରେ ବରଗଡ଼ବାସୀ ଦେଖିବାକୁ ଚାହୁଁଛନ୍ତି ସେନେଇ ହୋଇଛି ମତଦାନ । ଆସନ୍ତା ୨୩ ତାରିଖରୁ ବରଗଡ଼ରେ ଚାଲିବ କଂସ ରାଜୁତି । ୧୧ ଦିନ ଧରି ମୁକ୍ତ ମଂଚରେ ଅଭିନୀତ ହେବ ଧନୁଯାତ୍ରାର ମନୋରମ ଦୃଶ୍ୟ । ହେଲେ ଏବର୍ଷ କିଏ ହେବ ବରଗଡ଼ ଧନୁଯାତ୍ରାର କଂସ ? ତାକୁ ନେଇ ଏଯାଏଁ ହୋଇନି ନିଷ୍ପତି । ଆଉ ଏହାରି ଭିତରେ ବରଗଡ଼ ସହରର କିଛି ସଚେତନ ନାଗରିକ ଆରମ୍ଭ କରିଛନ୍ତି ଏକ ଅଭିଯାନ । ଯେଉଁଥିରେ ଭୋଟ୍ ମାଧ୍ୟମରେ କଂସ ବାଛିବାକୁ ଜନସାଧାରଣଙ୍କୁ ମିଳିଛି ସୁଯୋଗ ।