ଉହାନରୁ ବ୍ୟାପିଥିଲା କି କରୋନା ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହାତରେ ବଡ଼ ପ୍ରମାଣ : ସି ଫୁଡ ମାର୍କେଟରୁ ଭାଇରସ ବ୍ୟାପିଥିବା କହିଲେ ଡବ୍ଲୁଏଚଓ ଟିମର ସଦସ୍ୟ

ଖୁବଶୀଘ୍ର ରିପୋର୍ଟ ପ୍ରକାଶ କରିପାରେ ୧୪ ଜଣିଆ ଯାଂଚକାରୀ ଦଳ

169

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନା ଭୂତାଣୁ, ଚୀନର ଉହାନରୁ ବ୍ୟାପିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହାତରେ ପ୍ରମାଣ ଲାଗିଛି । ଚୀନରେ ଥିବା ଡବ୍ଲୁଏଚଓର ୧୪ ଜଣିଆ ଯାଂଚକାରୀ ଦଳ ଏସଂପର୍କିତ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଥିବା ଜଣାପଡିଛି । ଉହାନରେ ଥିବା ସି-ଫୁଡ ମାର୍କେଟରୁ ଏହି ମାରାତ୍ମକ ଭୂତାଣୁ ବ୍ୟାପିଛି ବୋଲି ଯାଂଚକାରୀ ଟିମର ନେତୃତ୍ୱ ନେଉଥିବା ଜୀବବିଜ୍ଞାନୀ ପିଟର ଦସଜ୍ୟାକ୍ ସୂଚନା ଦେଇଛନ୍ତି । ଏବେ ଡବ୍ଲୁଏଚଓର ୧୪ ଜଣିଆ ତଦନ୍ତକାରୀ ଦଳ ଚୀନରେ ରହି ଛାନଭିନ ଚଳାଇଛନ୍ତି ।

ଆଗାମୀ ୧୦ ତାରିଖରେ ଏହି ଟିମ୍ ଫେରିବ ବୋଲି ଜଣାପଡିଛି । ଡବ୍ଲୁଏଚଓ ଟିମ୍ ଫେରିବା ପରେ କରୋନା ଭୂତାଣୁର ଉତ୍ପତି ନେଇ ସବିଶେଷ ବିବରଣୀ ପ୍ରଦାନ କରିବେ । ହେଲେ ଏହା ପୂର୍ବରୁ ଟିମର ସଦସ୍ୟ, ଉହାନରୁ କରୋନା ବ୍ୟାପିଥିବା ନେଇ ସଂକେତ ଦେଇଛନ୍ତି । ହେଲେ ଚୀନରେଥିବା ବାୟୋସେଫ୍ଟି ଲାବୋରେଟୋରୀରୁ ଏହା ଲିକ ହୋଇଥିବା ନେଇ ଯାଂଚକାରୀ ଦଳ କିଛି କହିନାହାନ୍ତି । ଭୂତାଣୁର ଉତ୍ପତି ସନ୍ଧାନ କରିବା ପାଇଁ ଏହି ଟିମ୍ ଉହାନର ବିଭିନ୍ନ ଫୁଡ ମାର୍କେଟ ଓ ବାୟୋସେଫ୍ଟି ଲାବୋରେଟୋରୀରେ ଯାଂଚ କରି ନମୂନା ସଂଗ୍ରହ କରିଛନ୍ତି । ତଥ୍ୟ, ପ୍ରମାଣ ଭିତିରେ ଭୟାନକ ଭାଇରସର ଉତ୍ପତି ବାବଦରେ ଡବ୍ଲୁଏଚଓ ଯେଉଁ ରିପୋର୍ଟ ପ୍ରଦାନ କରିବ, ତାରି ଆଧାରରେ ଆଗକୁ ଏଭଳି ଭାଇରସକୁ ବ୍ୟାପିବାରେ ରୋକିହେବ ବୋଲି ଆଶା କରାଯାଉଛି ।