ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଲିନ ଚିଟ । ବିଶେଷଜ୍ଞ ଦଳ କହିଲା, ୨୦୧୯ ଡିସେମ୍ବର ପୂର୍ବରୁ ଭୂତାଣୁ ମୁକ୍ତ ଥିଲା ଉହାନ ।

147

କନକ ବ୍ୟୁରୋ: ଯାହା ସନ୍ଦେହ କରାଯାଉଥିଲା ତାହା ସତ ସାବ୍ୟସ୍ତ ହୋଇଛି । କରୋନା ଭୂତାଣୁ ସମ୍ପର୍କରେ ତଦନ୍ତ ପାଇଁ ଉହାନ ପ୍ରାନ୍ତ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ ଖାଲି ହାତରେ ଫେରୁଛନ୍ତି । ଏପରିକି ବିଶେଷଜ୍ଞ ମାନେ ଚୀନର ପୂର୍ବ ଦାବିକୁ ସମର୍ଥନ କରି କହିଛନ୍ତି ଯେ, ୨୦୧୯ ଡିସେମ୍ବର ପୂର୍ବରୁ ଉହାନ ଭୂତାଣୁ ମୁକ୍ତ ଥିଲା । ଏହାସହ ବାଦୁଡି ଦେହରୁ ଏହି ଭୂତାଣୁ ମଣିଷ ଶରୀରକୁ ଯାଇନଥିବା କୁହାଯାଉଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ପିଟର ବେନ ଏମ୍ବରେକ କହିଛନ୍ତି ଯେ, ଉହାନର ଲେବରୁ ଭୂତାଣୁ ସଂକ୍ରମଣ ହେବା ନେଇ କୌଣସି ସଙ୍କେତ ମିଳିନାହିଁ । ଡିସେମ୍ବର ୧୪ତାରିଖରେ କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ପହଚିଂଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ମଧ୍ୟ ପହଂଚି ଯାଂଚ କରିଥିଲେ । ଚୀନର ଉହାନ ସହରରୁ ୨୦୧୯ ଶେଷ ବେଳକୁ ଏହି ମାରାତ୍ମକ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଥିବା ଆଶଙ୍କା କରାଯାଉଛି । ଯେଉଁଥିରେ ବିଶ୍ୱବ୍ୟାପୀ ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ବିଶ୍ୱର ଅନେକ ରାଷ୍ଟ୍ରର ଅର୍ଥନୀତି ଭୁଶୁଡି ପଡିଛି । ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଆଜି ଯାଏଁ କରୋନା ଜନିତ ଲକଡାଉନ ଓ ସଟଡାଉନ କାରଣରୁ ହୋଇଥିବା ଅର୍ଥନୈତିକ ମାଡରୁ ବାହାରିପାରିନାହାନ୍ତି ।