ଦୁର୍ଘଟଣା ବେଳେ ବଞ୍ଚାଇଥିଲେ ରିଷଭଙ୍କ ଜୀବନ: ଏବେ ୪ ଜଣଙ୍କୁ ପୁରସ୍କୃତ କଲେ ଉତ୍ତରାଖଣ୍ଡ ସରକାର

463

କନକ ବ୍ୟୁରୋ: ରିଷଭ ପନ୍ତଙ୍କ ଦୁର୍ଘଟଣା କିଏ ବା କେମିତି ଭୁଲିବ । ଡିସେମ୍ବର ୩୦ ତାରିଖର ସେହି କାଳରାତି ପୂରା କ୍ରିକେଟ ଜଗତକୁ ଚମକାଇ ଦେଇଥିଲା । ଏକ ବଡ ଅଘଟଣରୁ ରିଷଭ ବଞ୍ଚିଯାଇଥିଲେ ବି ସେହି ରାତିକୁ କେହି କେବେ ଭୁଲିପାରିବେନି । ଆଉ ସେଦିନ ରିଷଭଙ୍କ ପାଇଁ ଦେବଦୂତ ସାଜିଥିବା ସେହି ୪ ଜଣ ଅଜଣା ବ୍ୟକ୍ତି ହିଁ ଗୋଟେ ବଡ ଅଘଟଣକୁ ଦୂରେଇ ଦେଇଥିଲେ । ଆଉ ସେଥିପାଇଁ ସେହି ୪ ଜଣଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ତରାଖଣ୍ଡ ସରକାରଙ୍କ ତରଫରୁ ପୁରସ୍କୃତ କରାଯାଇଛି ।

ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ସାଧାରଣତନ୍ତ୍ର ଦିବସ ଅବସରରେ ସେହି ୪ ଜଣଙ୍କୁ ମଞ୍ଚ ଉପରେ ସମ୍ମାନୀତ କରାଯାଇଥିଲା । ହରିୟାଣା ରୋଡବେଜର ଡ୍ରାଇଭର ସୁଶୀଲ କୁମାର, କଣ୍ଡକ୍ଟର ପରମଜିତ ଓ ଦୁର୍ଘଟଣାସ୍ଥଳ ପାଖରେ ଥିବା ଚିନି କାରଖାନାରେ କାମ କରୁଥିବା ରଜତ ଓ ନିଶୁଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସୁଶିଲଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ଓ ପରମଜିତଙ୍କ ସ୍ଥାନରେ ତାଙ୍କ ବାପା ସମାରୋହରେ ପହଞ୍ଚି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ସମାରୋହରେ ଉତ୍ତରାଖଣ୍ଡ ରାଜ୍ୟପାଳ ଗୁରମିତ ସିଂ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଓ ପୋଲିସ ଡିଜି ଅଶୋକ କୁମାର ଉପସ୍ଥିତ ଥିଲେ । ପୁଷ୍କର ସିଂ ଧାମୀ ନିଜ ହାତରେ ସେମାନଙ୍କୁ ପୁରସ୍କାର ଦେବା ସହ ସମ୍ବର୍ଦ୍ଧନା ଦେଇଥିଲେ ।

ଡିସେମ୍ବର ୩୦ ତାରିଖ ରାତିରେ ଉତ୍ତରାଖଣ୍ଡର ଗୁରୁକୁଲ ନାରସନ ଏନଏଚ ୫୮ରେ ରିଷଭଙ୍କ ଦୁର୍ଘଟଣା ହୋଇଥିଲା । ସେ ତାଙ୍କ ମାଙ୍କୁ ଭେଟିବାକୁ ରୁଡକୀ ଯାଉଥିଲା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ ମର୍ସେଡିଜ କାର ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ଓଲଟିପଡିଥିଲା । ଆଉ ଗାଡିରେ ଭୟଙ୍କର ନିଆଁ ଲାଗିଯାଇଥିଲା । ପନ୍ତ ସଂଘର୍ଷ କରି ଗାଡି ଭିତରୁ ବାହାରି ଆସିଥିଲେ । ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଡ୍ରାଇଭର ସୁଶିଲ କୁମାର, କଣ୍ଡକ୍ଟର ପରମଜିତ ଓ ରଜତ, ନିଶୁ ରିଷଭଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ନିଆଁରେ କପଡା ଜଳିଯାଇଥିବାରୁ ନିଶୁ ଆଉ ରଜତ ପନ୍ତଙ୍କୁ କମ୍ବଳ ଘୋଡାଇବା ସହ ନିଜ ଜ୍ୟାକେଟ ଦେଇଥିଲେ ।

ଏହି ଦୁର୍ଘଟଣାରେ ରିଷଭ ପନ୍ତଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିଲା । ତାଙ୍କ ଲିଗାମେଣ୍ଟ ମଧ୍ୟ ଫାଟିଯାଇଥିଲା । ତେଣୁ ତାଙ୍କୁ ଡେରାଡୁନରୁ ମୁମ୍ବାଇର କୋକିଲାବେନ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ଲିଗାମେଣ୍ଟର ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ଆଉ ଏବେ ସେ ସୁସ୍ଥ ଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ପନ୍ତ ଏବେ କ୍ରିକେଟଠାରୁ ଦୂରେଇ ରହିଛନ୍ତି । ତେବେ ସେ କେବେ ସୁସ୍ଥ ହୋଇ କ୍ରିକେଟ ଖେଳିବେ ସେ ନେଇ କୌଣସି ସୂଚନା ବିସିସିଆଇ ଦେଇ ନାହିଁ ।