ହତ୍ୟା ନା ଆତ୍ମହତ୍ୟା ? ସନ୍ଦେହଜନକ ଅବସ୍ଥାରେ ବ୍ରିଜ ତଳୁ ମିଳିଲା ଆଲବମ ଅଭିନେତ୍ରୀଙ୍କ ମୃତଦେହ, ମୁଣ୍ଡ ଛେଚି ହତ୍ୟା କରାଯାଇଥିବା ସନ୍ଦେହ

633

କନକ ବ୍ୟୁରୋ : ସମ୍ବଲପୁର ମହାନଦୀ ବ୍ରିଜ ତଳୁ ଉଦ୍ଧାର ହେଲା ସମ୍ବଲପୁରୀ ଆଲବମ ଅଭିନେତ୍ରୀଙ୍କ ମୃତଦେହ । ବହୁ ସମ୍ବଲପୁରୀ ଆଲବମରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସିମରନ ମରିଆ । ଘର- ଝାରସୁଗୁଡା ଜିଲ୍ଲା ଭୁଲିଆଟିରା ଅଂଚଳରେ । ପୂର୍ବ ଝଗଡାକୁ କେନ୍ଦ୍ର କରି ସିମରନଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହା ଏକ ହତ୍ୟାକାଣ୍ଡ ନା ଅପମୃତ୍ୟୁ ସେନେଇ ଖୋଳତାଡ ଆରମ୍ଭ ହୋଇଛି ।

ଆଉ ପରଦାରେ ଚମକିବେ ନାହିଁ ସେଲଫି ବେବୋ ଆଲବମର ନାୟିକା ସିମରନ ମରିଆ । ସମ୍ବଲପୁର ମହାନଦୀ ବ୍ରିଜ ତଳୁ ଏହିପରି ସନ୍ଦେହ ଜନକ ଅବସ୍ଥାରେ ମିଳିଛି ସିମରନଙ୍କ ମୃତଦେହ । ସିମରନଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ସିମରନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ୨ ଦିନ ତଳେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭବାନୀପାଟଣା ଯାଇଥିଲେ । ଗତକାଲି ଭବାନୀପାଟଣାରୁ ସେ ଫେରିଥିଲେ । ଆଉ ଆଜି ତାଙ୍କର ମୃତଦେହ ସମ୍ବଲପୁର-ବୁର୍ଲା ମହାନଦୀ ବ୍ରିଜ ତଳୁ ଉଦ୍ଧାର କରାଯାଇଛି । ସିମରନଙ୍କ ବାପଘର ଲୋକେ ସ୍ୱାମୀଙ୍କ ଉପରେ ସନ୍ଦେହ ଉଠାଇଛନ୍ତି ।

୨୦ ବର୍ଷିୟା ସିମରନ ବଲାଙ୍ଗିର ବେଲପଡାର ୟୁଗୋଙ୍କୁ କରିଥିଲେ ପ୍ରେମ ବିବାହ । ତେବେ ୨ ମାସ ହେବ ଉଭୟଙ୍କ ଭିତରେ ଝଗଡା ଲାଗିରହିଥିଲା । ଏନେଇ ସିମରନ୍ ଝାରସୁଗୁଡା ଥାନାରେ ଅଭିଯୋଗ କରିଥିଲେ । ତେବେ ସିମରନ ଶାଶୁ ଘରକୁ ଯିବା ପାଇଁ ଦାବି କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ପୋଲିସ ସିମରନଙ୍କ ମୋବାଇଲ, ମନିପର୍ସ, ୨ହଜାର ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି କୌଣସି ସୁରାଗ ପାଇବା ଆଶାରେ ସିମରନଙ୍କ ମୋବାଇଲରୁ ତଦନ୍ତ ଆରମ୍ଭ କରିଛି ପୋଲିସ ।ସିମରନଙ୍କୁ ହତ୍ୟା କରାଯାଇଛି କି ନାହିଁ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଆଉ ଏବେ ସମସ୍ତେ ଅପେକ୍ଷା କରିଛନ୍ତି କଣ ଆସିବ ପୋଷ୍ଟମର୍ଟମ ରିପୋର୍ଟ ।