୬୭ ଜଣ ସାକ୍ଷ୍ୟ, ୧୫ ଜଣ ଡାକ୍ତରଙ୍କ ବୟାନ ଏବଂ ୪୯ ଡକ୍ୟୁମେଣ୍ଟ! ପିପିଲି ପୀଡିତାଙ୍କ ହତ୍ୟାକାରୀ କିଏ କହି ପାରିଲାନି ?

277

କନକ ବ୍ୟୁରୋ : କେମିତି ମରିଲା ପିପିଲି ପୀଡିତା? କିଏ ମାରିଲା, କାହଁକି ମାରିଲା? ଏସବୁ ପ୍ରଶ୍ନ, ପ୍ରଶ୍ନରେ ହିଁ ରହିଯାଇଛି । କାରଣ ୫ ବର୍ଷ ପରେ ମାମଲାର ରାୟ ପ୍ରକାଶ କରି କୋର୍ଟ, ଦୁଇ ଅଭିଯୁକ୍ତଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି । ପିପିଲି ପୀଡିତାଙ୍କୁ ହତ୍ୟା କରାଯାଇଥିବା ନେଇ କୋର୍ଟ, କୌଣସି ବି ପ୍ରମାଣ ପାଇନାହାନ୍ତି । ଫଳରେ ମୁକୁଳିଯାଇଛନ୍ତି ଦୁଇ ଅଭିଯୁକ୍ତ । କୁହାଯାଉଛି, କ୍ରାଇମବ୍ରାଂଚର ଢିଲା ତଦନ୍ତ ଏବଂ ପ୍ରମାଣର ଅଭାବ, ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛି ।

ବହୁଚର୍ଚ୍ଚିତ ପିପିଲି ଗଣବଳାକ୍ରାର ଓ ହତ୍ୟା ମାମଲାର ରାୟରେ କିଛି ଏଭଳି ନିଷ୍କର୍ସ ବାହାରୁଛି । ୬ ବର୍ଷ ହେଲା ଯେଉଁ ମାମଲାକୁ ନେଇ ସାରା ରାଜ୍ୟରେ ହଟଚମଟ ଚାଲିଥିଲା, ସେହି ମାମଲାରେ ତଥ୍ୟ ପ୍ରମାଣ ଅଭାବରୁ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ଦୁଇ ଭାଇ ସୁକାନ୍ତ ପ୍ରଧାନ ଓ ପ୍ର୍ରଶାନ୍ତ ପ୍ରଧାନଙ୍କୁ ନିର୍ଦୋଷ ବୋଲି କହିଛନ୍ତି, ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ତେବେ ପ୍ରଶ୍ନ ଉଠୁଛି, ପିପିଲି ପୀଡିତାଙ୍କୁ ମାରିଲା କିଏ?..

୬୭ ଜଣ ସାକ୍ଷ୍ୟ, ୧୫ ଜଣ ଡାକ୍ତରଙ୍କ ବୟାନ ଏବଂ ୪୯ ଡକ୍ୟୁମେଂଟକୁ ଆଧାର କରି କୋର୍ଟ ରାୟ ଶୁଣାଇଛନ୍ତି । ଚାର୍ଜସିଟ୍ ଦାଖଲ ପରେ ବଳାକ୍ରାର ଦଫା ହଟି ଯାଇଥିବା ବେଳେ ଏବେ ହତ୍ୟା ନେଇ କୋର୍ଟ କୌଣସି ମଜବୁତ୍ ପ୍ରମାଣ ପାଇନାହାଁନ୍ତି । ମାମଲାରେ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନରହିବା ଯୋଗୁଁ ପିପିଲି ପୀଡିତାଙ୍କୁ ହତ୍ୟା କରାଯାଇଥିବା ପ୍ରମାଣିତ ହୋଇପାରିନାହିଁ । କୁହାଯାଉଛି, କ୍ରାଇମବ୍ରାଂଚର ଢିଲା ତଦନ୍ତ ଏବଂ ପ୍ରମାଣର ଅଭାବ, ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛି ।

ପ୍ରଥମେ ପୋଲିସ, ତାପରେ କ୍ରାଇମବ୍ରାଂଚ୍ ମାମଲାର ତଦନ୍ତ କଲା । ଲାଇ ଡିଟେକ୍ସନ ଟେଷ୍ଟରେ ପିପିଲି ଯୁବତୀଙ୍କୁ ତଂଟି ଚିପି ମାରିଥିବା ପୋଲିସ ଆଗରେ ମାନିଥିଲେ ଅଭିଯୁକ୍ତ । ତେବେ ପୋଲିସ କଷ୍ଟଡିରେ ହୋଇଥିବା ଏଭଳି ସ୍ୱୀକାରକ୍ତିକୁ କୋର୍ଟ ଗ୍ରହଣ କରିବା ନେଇ କୌଣସି ଆଇନ ନାହିଁ । ଫଳରେ ମାମଲା ଆହୁରି ଜଟିଳ ହୋଇପଡିଥିଲା । ଅଭିଯୁକ୍ତ ସୁକାନ୍ତ ଓ ପ୍ରଶାନ୍ତଙ୍କ ବିରୋଧରେ ୩୦୨ , ୩୫୪, ୫୦. ୩୪୧ ଓ ୩୪ରେ ପୋଲିସ ଚାର୍ଜସିଟ କରିଥିଲା । ହେଲେ କିଛି ବି ପ୍ରମାଣିତ ହୋଇପାରିଲାନି ।

ସାରା ରାଜ୍ୟ ଆଗରେ ଯନ୍ତ୍ରଣାରେ ଛଟପଟ ହୋଇ ପିପିଲି ପୀଡିତା ପ୍ରାଣ ହରାଇଲେ । ହେଲେ ହତ୍ୟା ପ୍ରମାଣିତ ହୋଇପାରିଲାନି । ପିପିଲି ପୀଡିତାଙ୍କ ମୃତ୍ୟୁ ପରେ ବିବାଦକୁ ନେଇ ସେତେବେଳେ ତତକାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପଦ ଯାଇଥିଲା । କୋର୍ଟଙ୍କ ରାୟ ଆସିବା ପରେ ଆଜି ମହାରଥୀ କହିଛନ୍ତି ବର୍ତମାନ କ୍ଷୀର-ପାଣି ଅଲଗା ହୋଇଯାଇଛି, ସତ୍ୟ ସାମ୍ନାକୁ ଆସିଛି ।