ହିଣ୍ଡେନବର୍ଗ କମ୍ପାନୀ କଣ? କେବେଠୁ ଆରମ୍ଭ ହେଲା ଏହି କମ୍ପାନୀ । ଅନ୍ୟର କ୍ଷତିରୁ କେମିତି କରେ ଲାଭ?

184

କନକ ବ୍ୟୁରୋ: ମାତ୍ର କେଇ ଦିନ ଭିତରେ ବିଶ୍ୱର ୩ ନମ୍ବର ଧନୀ ଗୌତମ ଆଦାନୀ ଏବେ ଧନୀ ତାଲିକାର ଟପ-୨୦ରୁ ବି ଆଉଟ୍ ହୋଇଯାଇଛନ୍ତି । ମାତ୍ର ଗୋଟିଏ ରିପୋର୍ଟ ତାଙ୍କ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିବାବେଳେ, ଏବେ ସେହି ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଉ ଆଲୋଚନା । ହିଣ୍ଡେନବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଗୌତମ ଆଦାନୀଙ୍କର ବଡ କ୍ଷତି ଘଟିଛି । ତେବେ ଏହି ହିଣ୍ଡେନବର୍ଗ ରିପୋର୍ଟ କଣ ଆପଣ ଜାଣିଛନ୍ତି କି?

ଆମେରିକାର ଏକ ଫାଇନାନସିଆଲ୍ ରିସର୍ଚ୍ଚ କମ୍ପାନୀ ହେଉଛି ହିଣ୍ଡେନବର୍ଗ । ୨୦୧୭ ମସିହାରେ ନାଥନ୍ ଏଣ୍ଡରସନ୍ ନାମକ ଜଣେ ବ୍ୟକ୍ତି ଏହି କମ୍ପାନୀର ଆରମ୍ଭ କରିଥିଲେ । ଏହି କମ୍ପାନୀର ମୁଖ୍ୟ କାମ ହେଉଛି ସେୟାର ମାର୍କେଟ, ଇକ୍ୱିଟି ଏବଂ କ୍ରେଡିଟ୍ ଉପରେ ରିସର୍ଚ୍ଚ କରିବା । ଆଉ ଏହି ରିସର୍ଚ୍ଚ ଜରିଆରେ ହିଣ୍ଡେନବର୍ଗ କମ୍ପାନୀ ସେୟାର ମାର୍କେଟରେ ହେଉଥିବା ପ୍ରତିିଟି ଭୁଲ କାମକୁ ଖୋଜି ବାହାର କରିଥାଏ  ଆଉ ବଡ ବଡ କମ୍ପାନୀକୁ ତଳି ତଳାନ୍ତ କରିଥାଏ । ତେବେ ଏହା ପଛରେ ହିଣ୍ଡେନବର୍ଗ କମ୍ପାନୀର ଲାଭ ମଧ୍ୟ ରହିଛି । ସର୍ଟ ସେଲିଂ ମାଧ୍ୟମରେ ଗୋଟିଏ କମ୍ପାନୀର ସେୟାରକୁ ତଳକୁ ଖସାଇ ଏହା ମାଧ୍ୟମରେ ଟଙ୍କା ରୋଜଗାର କରିଥାଏ ହିଣ୍ଡେନବର୍ଗ କମ୍ପାନୀ ।

ହିଣ୍ଡେନବର୍ଗ କମ୍ପାନୀ ଆଦାନୀ ଗ୍ରୁପ ବିଷୟରେ ବିସ୍ତୃତ ରିପୋର୍ଟ ଆଣିବା କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ବିଷୟରେ ରିପୋର୍ଟ ଆଣିସାରିଛି ହିଣ୍ଡେନବର୍ଗ । ଇଲେକ୍ଟ୍ରିକ୍ ଟ୍ରକ୍ ନିର୍ମାଣ କରୁଥଇବା କମ୍ପାନୀ ନିକୋଲାର ସେୟାର ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା । ଆଉ ଏତିକି ବେଳେ ୨୦୨୦ ମସିହାରେ ହିଣ୍ଡେନବର୍ଗ ଏକ ରିପୋର୍ଟ ଜାରି କରିଥିଲା । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ନିକୋଲା କମ୍ପାନୀର ସେୟାର ୮୦ ପ୍ରତିଶତ କମିଯାଇଥିଲା । ତେବେ ଖାଲି ଏତିକି ନୁହେଁ, ବିଶ୍ୱର ଆହୁରି ଅନେକ ନାମୀଦାମୀ କମ୍ପାନୀର ହେରଫେରକୁ ମଧ୍ୟ ବାହାର କରିସାରିଛି ହିଣ୍ଡେନବର୍ଗ କମ୍ପାନୀ ।

ସୂଚନାଯୋଗ୍ୟ ଯେ, ଲଗାତାର ଭାବେ ଖସିବାରେ ଲାଗିଛି ଆଦାମୀ ଗ୍ରୁପ୍ କମ୍ପାନୀ ଗୁଡିକର ସେୟାର ମୂଲ୍ୟ । ୨୪ ଜାନୁଆରୀରୁ ହିଣ୍ଡେନବର୍ଗ ରିପୋର୍ଟ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ ଲକ୍ଷ କୋଟି ଟଙ୍କାର ଘାଟା ଆଦାନୀ ଗ୍ରୁପକୁ ହୋଇ ସାରିଲାଣି । ଏଭଳି ସ୍ଥିତିରେ ଗତକାଲି ସାମ୍ନାକୁ ଆସି ବୟାନ ରଖିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ କହିଛନ୍ତି ଆଦାନୀ ଗ୍ରୁପ୍ ଠକେଇ ସହ ଭାରତର ଆର୍ଥିକ ସ୍ଥିତିର କୌଣସି ସମ୍ପର୍କ ନାହିଁ । ଭାରତର ଅର୍ଥନୀତି ଏଥିରେ ଆଦୌ ପ୍ରଭାବିତ ହୋଇନାହିଁ । ବରଂ ଗତ ଦୁଇ ଦିନ ଭିତରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୮ ମିଲିଅନ୍ ଡଲାର ବା ୬୫ କୋଟି ୭୮ ଲକ୍ଷ ୬୮ ହଜାର ଟଙ୍କା ବୃଦ୍ଧି ପାଇଛି ବୋଲି ଅର୍ଥମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ ।

ଜାଣିରଖିବା ଉଚିତ୍ ଯେ, ଜାନୁୟାରୀ ୨୪ରେ ହିଡେନବର୍ଗର ରିପୋର୍ଟରେ ଅଦାନୀ ଗ୍ରୁପ ଠକେଇ କରିଥିବା ଅଭିଯୋଗ ପ୍ରକାଶିତ ହୋଇଥିଲା । ତୁରନ୍ତ ଅଭିଯୋଗକୁ ଅମୂଳକ ଓ ଭିତ୍ତିହୀନ କହି ଖଣ୍ଡନ କରିଥିଲା ଆଦାନୀ ଗ୍ରୁପ । କିନ୍ତୁ ନିବେଶକ ଆଦାନୀ ଗ୍ରୁପର ସଫେଇ ବଦଳରେ ହିଡେନବର୍ଗର ରିପୋର୍ଟରେ ପ୍ରଭାବିତ ହୋଇଥିଲେ । ଯାହାର ପ୍ରଭାବ ସେୟାର ମାର୍କେଟରେ ଦେଖିବାକୁ ମିଳିଥିଲା ।