ଧର୍ମେନ୍ଦ୍ରଙ୍କ ‘ନେତୃତ୍ୱ’ ବୟାନ ବଢାଇଲା ଉତ୍କଣ୍ଠା । ଅପରାଜିତାଙ୍କୁ ନେଇ ଚାଲିଛି କି ଭିତିରି ଅଙ୍କକଷା

ଉଠିଲା ପ୍ରଶ୍ନ, ଅପରାଜିତା ହେବେ କି ଓଡିଶାର ବିଜେପି ଚେହେରା?

548

କନକ ବ୍ୟୁରୋ: କିଏ ହେବ ଓଡ଼ିଶା ବିଜେପିର ଚେହେରା ? କାହା ନେତୃତ୍ୱରେ ବିଜେପି ଲଢ଼ିବ ୨୦୧୯ ନିର୍ବାଚନ? ଏହି ସବୁ ପ୍ରଶ୍ନର ଉତର, ଜଟିଳ ହୋଇଯାଉଛି ଯେତେବେଳେ ବିଜେପିର ବରିଷ୍ଠ ନେତାମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି । କେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପରାଜିତାଙ୍କୁ ନେତୃତ୍ୱ ନେବା ପାଇଁ ଆହ୍ୱାନ ଦେଉଛନ୍ତି, ତ ଆଉ କେତେବେଳେ ସାମୂହିକ ନେତୃତ୍ୱରେ ଲଢ଼ିବା କଥା କହୁଛନ୍ତି । ଏପଟେ ଜୁଏଲ ଓରାମ, ଧର୍ମେନ୍ଦ୍ରଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହି ସାରିଛନ୍ତି । ଏସବୁ ଭିତରେ ଅପରାଜିତାଙ୍କ ଉର୍ଦ୍ଦେଶ୍ୟରେ ଧର୍ମେନ୍ଦ୍ର ରଖିଥିବା ବୟାନ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।

୨୦୧୯ ନିର୍ବାଚନରେ ଓଡ଼ିଶା ବିଜେପିର ଚେହେରା କିଏ ହେବ, ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ମନ୍ତବ୍ୟ ହୁଏତ ବେଶ ଗୁରୁତ୍ୱ ରଖୁଛି । କାରଣ ତୃଳମୂଳସ୍ତରରେ ସଂଗଠନକୁ ମଜବୁତ କରିବାରେ ଓଡ଼ିଶା ବିଜେପିର ଉଦ୍ୟମ ଏବଂ ଏଥିରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ବେଶ ଗୁରୁତ୍ୱ ଦିଆଯାଏ । ଏତିକି ବେଳେ ଏହି ବୟାନ କି ବାର୍ତା ଦେଉଛି ?

ଦୀର୍ଘ ବର୍ଷର ପ୍ରଶାସନିକ ଅଭିଜ୍ଞତା ନେଇ ଅପରାଜିତା ଯେତେବେଳେ ବିଜେପିରେ ସାମିଲ ହୋଇଥିଲେ, ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ହୋଇଥିଲା ଏକ ଭବ୍ୟ ସମ୍ବର୍ଦ୍ଧନା । ଆଉ ଏହି ଅବସରରେ ଅପରାଜିତାଙ୍କୁ ଓଡ଼ିଶାର ବୋହୂ କରିବା ସହ ରାଜ୍ୟ ପାଇଁ ଗୌରବ କହିଥିଲେ ଧର୍ମେନ୍ଦ୍ର । ଆଉ ନେତୃତ୍ୱ ନେବାକୁ ଆହ୍ୱାନ ଦେଇଥିଲେ ।

ଅବଶ୍ୟ ଏହି ବୟାନର ଠିକ୍ ଗୋଟିଏ ଦିନ ପରେ ଧର୍ମେନ୍ଦ୍ରଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ଆଉ ଏକ ଭିନ୍ନ କଥା । ଧର୍ମେନ୍ଦ୍ର କହିଲେ, ବିଜେପି ସାମୂହିକ ନେତୃତ୍ୱରେ ନିର୍ବାଚନ ଲଢ଼ିବ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯେତେବେଳେ ଧର୍ମେନ୍ଦ୍ରଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କହିଥିଲେ, ଧର୍ମେନ୍ଦ୍ର ଉଠାଇଥିଲେ ସାମୂହିକ ନେତୃତ୍ୱର କଥା ।

ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ବିଜେପିର ସବୁଠୁ ବଡ ଚେହେରା ବୋଲି ଚର୍ଚ୍ଚା ହେଉଥିଲା । ଏବେ ଧର୍ମେନ୍ଦ୍ର ଖୋଦ୍ ଅପରାଜିତାଙ୍କୁ ନେତୃତ୍ୱ ନେବା ପାଇଁ ଆହ୍ୱାନ ଦେବା ଏବଂ ପରବର୍ତୀ ସମୟରେ ସାମୂହିକ ନେତୃତ୍ୱର କଥା କହିବା, ପୁରା ସମୀକରଣକୁ ଓଲଟପାଲଟ କରିଦେଇଛି । ପ୍ରକୃତରେ ୨୦୧୯ ନିର୍ବାଚନରେ କିଏ ହେବ ରାଜ୍ୟ ବିଜେପିର ଚେହେରା?