ଶ୍ରୀମନ୍ଦିରକୁ କିଏ ଦାନ କଲା ୫ କେଜିର ସୁନା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ୭୫ ଲକ୍ଷ ।

881

କନକ ବ୍ୟୁରୋ: ବସନ୍ତ ପଂଚମୀରେ ଶ୍ରୀଜୀଉଙ୍କୁ ସୁନା ଅଳଙ୍କାର ଦାନ କରିଛନ୍ତି ଭକ୍ତ । ଏହି ଅଳଙ୍କାର ଭିତରେ ଅଛି ବଡଠାକୁର ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ସେହିପରି ମାଆ ସୁଭଦ୍ରାଙ୍କ ପାଇଁ ୨ଟି ତଡକି ଓ ୨ଟି ଝୋବା । ଏହି ଗହଣାରେ ମୋଟ୍ ୪ କେଜି ୮୫୮ ଗ୍ରାମର ସୁନା ଓ ୩ କେଜି ୮୭୬ ଗ୍ରାମର ରୁପା ବ୍ୟବହାର ହୋଇଛି ।ଯାହାର ଆନୁମାନିକ ମୁଲ୍ୟ ୨କୋଟି ୭୫ଲକ୍ଷ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ।

ତେବେ ଶ୍ରୀମନ୍ଦିରକୁ ଏତେ ପରିମାଣର ସୁନା ଦାନ କରିଥିବା ଏହି ଭକ୍ତ ଜଣଙ୍କ କିଏ । ଯେଉଁ ପେଟିରେ ଏହି ଗହଣା ଭର୍ତି କରି ଅଣାଯାଇଥିଲା, ସେଥିରେ ଲେଖାଅଛି, ରିଲାଏନ୍ସ ଜୁଏଲାରୀ ଜନପଥ ଭୁବନେଶ୍ୱର । ଚର୍ଚ୍ଚା ହେଉଛ, ମୁମ୍ବାଇର ଜଣେ ବିଶିଷ୍ଟ ଶିଳ୍ପପତି ଏହି ସୁନା ଦାନ କରିଛନ୍ତି । ଯଦିଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ନାମକୁ ଗୋପନ ରଖାଯାଇଛି । କିନ୍ତୁ ଏକଥା ଚର୍ଚ୍ଚା ହେଉଛି ଯେ, ଏହି ବିଶିଷ୍ଟ ଶିଳ୍ପପତି ପ୍ରଥମେ ଶ୍ରୀମନ୍ଦିରକୁ ସୁନା ଦାନ କରିବାକୁ ଚାହୁଁଥିଲେ, ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିଥିଲେ, ଆଉ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସୁନା ଗହଣା ଦେବା ପାଇଁ କୁହାଯାଇଥିଲା ।

ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ସୁନା ଅଳଙ୍କାର ସବୁ ବ୍ୟବହାର ହେବ ବୋଲି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦାନାରେ ମିଳିଥିବା ସୁବର୍ଣ୍ଣ ଅଳଙ୍କାରକୁ ଶ୍ରୀମନ୍ଦିର ଗୋଦାମ ଗୃହରେ ଯଉମୁଦ ଦିଆଯାଇ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।