କାଳିଆ ପାଇଁ କିଏ ଗଢ଼ିଛି କେମିତି ରଥ? କେଉଁଠି ଆଇସ୍କ୍ରିମ୍ କାଠିରେ ତ କେଉଁଠି ବାଉଁଶ ପାତିଆରେ ତିଆରି ହୋଇଛି ରଥ

84

କନକ ବ୍ୟୁରୋ: ମହାପ୍ରଭୁଙ୍କ ଯାତ ଦୀର୍ଘ ୨ ବର୍ଷ ପରେ ଆସନ୍ତାକାଲି ଭକ୍ତଙ୍କ ଗହଣରେ ହେବ । ଆଉ ଏହାକୁ ନେଇ ଜଗନ୍ନାଥ ପ୍ରେମୀ ଉକ୍ରଣ୍ଠାର ସହ ଚାହିଁରହିଛନ୍ତି । ମହାପ୍ରଭୁଙ୍କ ପାଇଁ ଆଇସକ୍ରିମ୍ କାଠିରେ ରଥ ନିର୍ମାଣ କରି ଚର୍ଚାରେ ଜୟପୁର ସହରର ଅମିତାଭ ମଲ୍ଲିକ । ପେଶା ଶିକ୍ଷକତା, କିନ୍ତୁ କାଳିଆ ଠାକୁରଙ୍କ ପାଇଁ ନନ୍ଦିଘୋଷ ରଥ ନିର୍ମାଣ କରିବା ତାଙ୍କ ନିଶା । ସୁତା ରିଲ ଓ ଆଇସ କ୍ରିମ କାଠିରେ ନନ୍ଦିଘୋଷ ରଥ ଭଳି ରଥ ତିଆରି କରିଛନ୍ତି ଅମିତାଭ । ଗୋଟିଏ ରଥରେ ଶ୍ରୀ ଜଗନ୍ନାଥ ବିରାଜମାନ କରିଥିବାବେଳେ ଅନ୍ୟ ଏକ ରଥରେ ଇଙ୍ଗ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ । ଖାଲି ସେତିକି ନୁହେଁ ରଥର ଚକ ସହ ଟାଣିବା ପାଇଁ ଦୌଡିର ବ୍ୟବସ୍ତା ମଧ୍ୟ କରିଛନ୍ତି ଏହି ଯୁବଶିଳ୍ପୀ ।

ରଥ ଯାତ୍ରା ଆସିଲେ ଅନେକଙ୍କ ପାଇଁ ଉତ୍ସବ ଆସେ । ଆଉ ଏହି ଉତ୍ସବ ଆସିଲେ ଭିନ୍ନ ଭିନ୍ନ ଢଙ୍ଗରେ ରଥ ନିର୍ମାଣ କରନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା । ଚଳିତ ବର୍ଷ ରଥ ଯାତ୍ରା ପାଇଁ ବାଉଁଶରେ ନନ୍ଦିଘୋଷ ରଥ ତିଆରି କରିଛନ୍ତି ସତ୍ୟ ମହାରଣା । ୨୦ ଇଂଚ ବିଶିଷ୍ଟ ନନ୍ଦିଘୋଷ ରଥରେ ୧୬ଟି ଚକ ମଧ୍ୟ ରହିଛି । ସେହପରି ପତିତପାବନ ବାନା ଓ ୪ଟି ସାରଥି ଘୋଡାକୁ ଅତି ସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ।

କୁନି ହାତର କୁନି ରଥ । ଜଗନ୍ନାଥଙ୍କ ଭକ୍ତିରେ ବିଭୋର ଥାଲାସେମିଆ ରୋଗରେ ପୀଡିତ ୧୨ ବର୍ଷୀୟ ପୀୟୁଶ୍ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଶଙ୍ଖେ ଗାଁର କାହ୍ନୁଚରଣ ମିଶ୍ରଙ୍କ ପୁଅ ପୀୟୁଶ । ଛୁଆଟି ଦିନରୁ ଥାଲାସେମିଆ ରୋଗରେ ପୀଡିତ ପିୟୁଶ୍ । ଅଷ୍ଟମ ଶ୍ରେଣୀରେ ପଢୁଥିବା ପୀୟୁଶ୍ ବିଭିନ୍ନ ପ୍ରକାର କଳାକୃତି କରୁଥିବା ବେଳେ ଚଳିତବର୍ଷ ଜଗନ୍ନାଥଙ୍କ ରଥ ତିଆରି କରିଛି । ଆଉ ବିଶ୍ୱାସ ରଖିଛି, ଏହି କୁନି ରଥରେ ବସି ଶ୍ରୀଜିଉ ଗାଁ ଦାଣ୍ଡରେ ବୁଲିଲେ, ତା ଦେହ ଭଲ କରିଦେବେ । ଖାଲି ରଥ ତିଆରି ନୁହେଁ ଘରେ ଅନେକ କାଗଜ କଳାକୃର୍ତି କରି ଘରକୁ ସଜାଇଛି ପିୟୁଶ୍ ।