କିଏ ଧରିବ ରାଜ୍ୟ କଂଗ୍ରେସ କମାଣ? ଚର୍ଚ୍ଚାରେ ୪ ନାଁ, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନେତାଙ୍କ ଅପେକ୍ଷା ।

380

କନକ ବ୍ୟୁରୋ : ବୁଡି ଯାଉଥିବା କଂଗ୍ରେସର କିଏ ଧରିବ ରାଜ୍ୟ ମଙ୍ଗ । ତାକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ । କଂଗ୍ରେସ ଭବନରେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ବିଧାୟକ ଏବଂ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଏହାରି ଭିତରେ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।

ମଙ୍ଗଳବାର ଦିନ ତମାମ ରାଜ୍ୟ କଂଗ୍ରେସ ଭବନ ଚଳଚଞ୍ଚଳ ଥିଲା, ନୂଆ ସଭାପତିଙ୍କ ସମ୍ପର୍କରେ ଆଲୋଚନା କରିବାକୁ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଭୁବନେଶ୍ୱର ଆସି ଅଙ୍କ କଷିଛନ୍ତି । ବୁଡିଯାଉଥିବା କଂଗ୍ରେସର ନୂଆ ମୁଖିଆ କିଏ ହେବ ସେ ନେଇ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ହୋଇଛି ମାନସ ମନ୍ଥନ । ଆଉ ସମସ୍ତଙ୍କ ସହ ଆଲୋଚନା ପରେ ଏବେ ଚେଲ୍ଲା କୁମାର ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ । ଏହାପରେ ନୂଆ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ବର୍ତମାନ ପିସିସି ସଭାପତି କିଏ ହେବ ତାକୁ ନେଇ କୌଣସି ଠୋସ ନିଷ୍ପତି ହୋଇନାହିଁ । କିନ୍ତୁ ଯେଉଁ ୪ ଜଣଙ୍କ ନାଁ ଚର୍ଚ୍ଚା ହେଉଛି ସେମାନେ ହେଲେ ଶରତ ପଟ୍ଟନାୟକ,ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ଭକ୍ତ ଦାସ । ଏହି ଦୌଡରେ ଶରତ ପଟ୍ଟନାୟକଙ୍କ ନାଁ ଆଗରେ ଥିଲେ ବି ଶେଷ ମୂହୂର୍ତରେ କଂଗ୍ରେସ ହାଇକମାଣ୍ଡ କଣ ନିଷ୍ପତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଚେଲ୍ଲାକୁମାର ୱାନ ଟୁ ୱାନ ଆଲୋଚନା କରିଛନ୍ତି । ସମସ୍ତଙ୍କୁ ୩ଟି ନାଁ ଦେବାକୁ କୁହାଯାଇଥିଲା । ନିରଞ୍ଜନ ପଟ୍ଟନାୟକ ଓ ନରସିଂହ ମିଶ୍ରଙ୍କ ସହ ଅଲଗା ଅଲଗା ଆଲୋଚନା କରିଛନ୍ତି ଚେଲ୍ଲାକୁମାର । ବିଧାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ ବି ହୋଇଛି । ଆଉ ବିଧାୟକ ବି ସେମାନଙ୍କ ମତ ରଖିଛନ୍ତି ।

ପିସିସି ସଭାପତି ପରିବର୍ତନ ନେଇ କାଂଉଟଡାଉନ ଆରମ୍ଭ ହୋଇଥିବାବେଳେ ଚର୍ଚ୍ଚା ହେଉଛି କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ନରସିଂହ ମିଶ୍ର । ତେବେ ଏ ନେଇ କିଛି ବିଧିବଦ୍ଧ ଘୋଷଣା ହୋଇନାହିଁ । କଂଗ୍ରେସ ବିଧାୟକ ନରସିଂହଙ୍କୁ ପଦରୁ ହଟାଇବାକୁ ଦୀର୍ଘଦିନ ହେଲା ଦାବି କରିଆସୁଥିଲେ କିଛି ବିଧାୟକ । ତେବେ ନରସିଂହ କହିଛନ୍ତି, ଉଚିତ ସମୟ ଆସିଲେ ସେ ଏ ବାବଦରେ କହିବେ । କୁହାଯାଉଛି, ମେ ମାସ ପ୍ରଥମ ସପ୍ତାହରେ ରାଜ୍ୟ କଂଗେସ୍ରର ନବକଳେବର ହେବ । ଆଉ ନୂଆ ସଭାପତିଙ୍କ ସହ ୩ କାର୍ଯ୍ୟକାରୀ ସଭାପତି ବି ନିଯୁକ୍ତି ହୋଇପାରନ୍ତି ।