ରୋଚକ ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ, ପ୍ରତି ଘଣ୍ଟାରେ ବଦଳୁଛି ଟ୍ରେଣ୍ଡ । କିଏ ଦଖଲ କରିବ ହ୍ୱାଇଟ ହାଉସ, ପୂରା ବିଶ୍ୱର ରହିଛି ନଜର ।

877

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ଅଛନ୍ତି ଡେମୋକ୍ରାଟ ଜୋ ବାଇଡେନ୍ । କିନ୍ତୁ ପ୍ରତି ଘଂଟାରେ ବଦଳିବାର ସମ୍ଭାବନା ରହିଥିବା ଏହି ଟ୍ରେଣ୍ଡ କାହାକୁ ରାଷ୍ଟ୍ରପତି ଆସନରେ ବସାଇବ ତାକୁ ନେଇ ସାରା ବିଶ୍ୱରେ ଉତ୍କଣ୍ଠା ଦେଖା ଦେଇଛି । ଏହାରି ଭିତରେ ଭୋଟ ଗଣତି ଚାଲିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଠାତ ଘୋଷଣା କରିଦେଲେ, ସେ ନିର୍ବାଚନ ଜିତି ଯାଇଛନ୍ତି, ଏବଂ ଭୋଟ ଗଣତି ବନ୍ଦ କରାଯାଉ । ଏହି ଘଟଣାକୁ ନେଇ ଚାରିଆଡେ ପ୍ରତିକ୍ରିୟା ସୃଷ୍ଟି ହେଲା । ନିର୍ବାଚନ ଜିତିବା ପାଇଁ ୨୭୦ ଇଲେକଟୋରାଲ କଲେଜ ଭୋଟ ଆବଶ୍ୟକ । ରାଷ୍ଟ୍ରପତି ଟ୍ରମ୍ପ ଓହିଓ, ଲୋଆ, ଫ୍ଲୋରିଡା ଭଳି ବଡ ବଡ ରାଜ୍ୟରେ ଲୋକଙ୍କ ସମର୍ଥନ ହାସଲ କରିଛନ୍ତି । ସେହିପରି ବାଇଡେନ୍ ମିଚିଗାନ, ୱିସକନସିନ୍, ଓ ପେନସିଲ-ଭାନିଆ ଭଳି ରାଜ୍ୟରେ ଭଲ ସ୍ଥିତିରେ ଅଛନ୍ତି ।

ରାଜନୀତିର ଏତେ ବଡ଼ ରୋଚକ ପରିଣାମ ହୁଏତ, ପୂର୍ବରୁ କେବେ ଦେଖିନଥିଲା ବିଶ୍ୱର ସବୁଠାରୁ ପୁୁରୁଣା ଗଣତନ୍ତ୍ର । ପ୍ରତି ମୁହୂର୍ତରେ ଗଣନାର ଗଣିତ ବଦଳିବା ସ୍ପଷ୍ଟ କରିଦେଉଛି ଯେ, ଏଥର ଆମେରିକାରେ ପ୍ରତିଯୋଗିତା କେତେ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ଥିଲା । ଫଳାଫଳ ଆସିବା ପୂର୍ବରୁ ଡୋନାଲ ଟ୍ରମ୍ପ ବିଜୟୀ ହେବା ନେଇ ଘୋଷଣା କରିବା ଏବଂ ଚୁଡାନ୍ତ ଫଳାଫଳ ଆସିବା ଯାଏଁ ସମର୍ଥକଙ୍କୁ ଧେର୍ଯ୍ୟ ଧରିବା ପାଇଁ ଜୋ-ବାଇଡେନ୍ କହିବା ନିର୍ବାଚନର ଗମ୍ଭୀରତାକୁ ପ୍ରମାଣିତ କରୁଛି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଥର ପାଇଁ ଏଭଳି ହେଉଛି, ଯେତେବେଳେ ପ୍ରାୟ ୧୦ କୋଟି ଭୋଟର, ପୋଷ୍ଟାଲ ବାଲାଟ୍ କିମ୍ବା ଇମେଲ୍ ଜରିଆରେ ମତଦାନ କରିଛନ୍ତି । ପ୍ରାରମ୍ଭିକ ମତ ଗଣନାରେ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍, ତାଙ୍କ ରିପବ୍ଲିକେନ୍ ପ୍ରାର୍ଥୀଙ୍କଠାରୁ ଆଗରେ ରହିଥିଲେ । ହେଲେ ପ୍ରାରମ୍ଭିକ ପରିଣାମକୁ ନେଇ ଚୁଡାନ୍ତ ଆକଳନ କରିବା ଏତେ ସହଜ ନଥିଲା । କାରଣ, ଆମେରିକାର ୫୦ଟି ରାଜ୍ୟରୁ ୬ଟି ସୁଇଙ୍ଗ୍ ଷ୍ଟେଟର ପରିଣାମ ଆସିବା ପରେ ଲଢ଼େଇ ଆହୁୁରି ରୋଚକ ମୋଡ଼ ନେଇଥିଲା । କୁହାଯାଉଛି-ଏହି ୬ଟି ରାଜ୍ୟର ସମର୍ଥନ ପାଉଥିବା ପ୍ରାର୍ଥୀଙ୍କ ପାଇଁ ହାଇଟ୍ ହାଉସର ରାସ୍ତା ସହଜ କରିଦିଏ ।

ଏଥର ଆମେରିକା ନିର୍ବାଚନରେ କରୋନା ପରିଚାଳନା, ଅର୍ଥନୀତି, ଜାତୀୟ ସୁରକ୍ଷା, ବର୍ଣ୍ଣବୈଷମ୍ୟ ଓ ଅଣଆମେରିକୀୟ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା । ଜର୍ଜ ଫ୍ଲଏଡ୍ ଓ ଅନ୍ୟଜଣେ ଆଫ୍ରିକୀୟ ଆମେରିକୀୟଙ୍କ ହତ୍ୟା ପରେ ଦେଶରେ ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନ ଜୋରଦାର ହୋଇଥିଲା । କରୋନା ପ୍ରସଙ୍ଗରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରକୁ ଅଙ୍ଗୁଳି ଉଠୁଥିଲା । ଜାତୀୟ ସୁରକ୍ଷା ଓ ଅର୍ଥନୀତିକୁ ନେଇ ବିରୋଧୀ ସରକାରଙ୍କ ଉପରେ ନିଶାଣ ସାଧୁଥିଲେ । ତେଣୁ ଏହି ସବୁ ପ୍ରସଙ୍ଗ ଆମେରିକାବାସୀଙ୍କ କିଭଳି ପ୍ରଭାବିତ କରିଛି, ତାହା ରାଷ୍ଟ୍ରପତି ନିର୍ବଚନର ଏହି ଟକରା-ଟକରିରେ ପ୍ରତିଫଳିତ ହେଉଛି ।

Comments are closed.