କୋଟିଅର ଜିଲ୍ଲାପରିଷଦ ଆସନ ପାଇଁ ଇଲେକ୍ସନ ହେବ ନା ସିଲେକ୍ସନ୍, ବଢିଲା ଦ୍ୱନ୍ଦ୍ୱ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀଙ୍କ ସହ ନାମାଙ୍କନ ପତ୍ର ଦାଖଲ କଲେ ଆଉ ୨ ସ୍ୱାଧୀନ ପ୍ରାର୍ଥୀ 

99

କନକ ବ୍ୟୁରୋ : କୋରାପୁଟ କୋଟିଆରେ ଜିଲ୍ଲା ପରିଷଦ ଆସନ ପାଇଁ ଇଲେକ୍ସନ ହେବ ନା ସିଲେକ୍ସନ । କାରଣ ସର୍ବଦଳୀୟ କମିଟି ଯେଉଁ ପ୍ରାର୍ଥୀଙ୍କୁ ମନୋନୟନ କରିଥିଲା ଗତକାଲି ସେ ନାମାଙ୍କନ ଦାଖଲ କରିଛନ୍ତି । ନିଷ୍ପତି ଅନୁସାରେ ଆଉ କେହି ପ୍ରତିଯୋଗୀ ମଇଦାନକୁ ଓହ୍ଲାଇବା କଥା ନୁହଁ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ କାଲି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ଆଉ ଦୁଇ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଯାହାକୁ ନେଇ ପୁଣି ରାଜନୀତି ଜୋର ଧରିଛି ।

ସର୍ବଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ମମତା ଜାନୀ । ହେଲେ ଶେଷ ମୁହୂର୍ତରେ ଅନ୍ୟ ଦୁଇ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପୂରା ଘଟଣାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି, ପ୍ରାର୍ଥିପତ୍ର ଦାଖଲରେ ବିଜେପି କେଁ ପୂରାଇଛି । ସର୍ବଦଳୀୟ ବୈଠକରେ ବିଜେପି ନେତା ଜୟରାମ ପାଙ୍ଗୀ ମମତାଙ୍କ ନାଁରେ ସମ୍ମତି ପ୍ରକାଶ କରିଥିଲେ । ହେଲେ ଅନ୍ୟ ଏକ ଗୋଷ୍ଠୀ ସଂଧ୍ୟାରେ ପ୍ରାର୍ଥୀ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ସର୍ବଦଳୀୟ ନେତା ତୀବ୍ର ବିରୋଧ କରିଥିଲେ । ତାରା ପ୍ରସାଦ ବାହିନୀପତି ଓ ଡିସିସି ସଭାପତି ମୀନାକ୍ଷୀ ବାହିନୀପତି ପହଂଚି ଆଲୋଚନା କରିଥିଲେ । ପରେ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିବା ଦୁଇ ଜିଲ୍ଲା ପରିଷଦ ପ୍ରାର୍ଥୀ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି କୁହାଯାଉଛି ।

ତେବେ ଦଳୀୟ ଅସନ୍ତୋଷରୁ ଏହି ଦୁଇ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ଏବଂ ସର୍ବଦଳୀୟ କମିଟିର ନିଷ୍ପତିକୁ ନମାନିଲେ କୋଟିଆରେ କ’ଣ ହେବ । ମଇଦାନରେ ତିନି ପ୍ରାର୍ଥୀ ରହିଲେ ମତଦାନ  କରିବାକୁ ବାଧ୍ୟ ନିର୍ବାଚନ କମିଶନ । ଏପରି ସ୍ଥିତିରେ ସର୍ବଦୀଳୟ କମିଟିର ପ୍ରାର୍ଥୀଙ୍କ ଜିତାପଟ ନେଇ ଗ୍ୟାରେଣ୍ଟି କିଏ ଦେବ ।