କୁଆଡେ ଗାଏବ ହୋଇଗଲା ନବଙ୍କ ଦେହରେ ବାଜିଥିବା ଗୁଳି ? ଏବେ ବି ହାତରେ ଲାଗିନି ବନ୍ଧୁକରୁ ଫୁଟିଥିବା ବୁଲେଟ୍

ଗୋପାଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଗୁଳି ମିଳିବା ଗୁରୁତ୍ୱପୂର୍ଣ୍ଣ

774

କନକ ବ୍ୟୁରୋ: ଅଦୃଶ୍ୟରେ ନବ ଦାସଙ୍କ ଦେହରେ ବାଜିଥିବା ଗୁଳି । ହତ୍ୟାକାଣ୍ଡର ଚାରି ଦିନ ପରେ ବି ନବ ଦାସଙ୍କ ଦେହରେ ବାଜିଥିବା ଗୁଳି ମିଳିନାହିଁ । କେବଳ ସେହି ଗୁଳି ନୁହେଁ ଅନ୍ୟ ଗୁଳି ବି ମିଳିନାହିଁ । ଯାହାକୁ ଖୋଜିବାରେ ଲାଗିଛି କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍ ଟିମ୍ ।

  • ମିଳୁନି ଗୁଳି
  • ଖୋଜୁଛି କ୍ରାଇମବ୍ରାଞ୍ଚ

ଯେଉଁ ଗୁଳି ମନ୍ତ୍ରୀ ନବ ଦାସଙ୍କ ଜୀବନ ନେଇଗଲା, ସେହି ଗୁଳି ହତ୍ୟାର ଚାରି ଦିନ ପରେ ବି ମିଳୁନି । କ୍ରାଇମ୍ ସ୍ପଷ୍ଟରେ କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍ ଟିମର ତନାଘନା ସତ୍ୱେ ବି ଗୁଳି ମିଳିନଥିବା ସୂଚନା ମିଳିଛି । କ୍ରାଇମ୍ ସ୍ପଷ୍ଟରେ ଗୁଳି ନମିଳିବା ପରେ, ନବ ଦାସଙ୍କ କାରରେ ତନ ତନ କରି ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ନିଖୋଜ ଥିବା ଗୁଳିକୁ ଖୋଜା ଚାଲିଛି ।

କେବଳ ମନ୍ତ୍ରୀଙ୍କ ଦେହରେ ବାଜିଥିବା ଗୁଳି ନୁହେଁ, ଗୋପାଳ ଚଳାଇଥିବା ଅନ୍ୟ ଗୁଳିକୁ ବି ଖୋଜା ଚାଲିଛି । ସେଦିନ ନବ ଦାସଙ୍କ ଉପରକୁ ଗୁଳି ମାଡ କରି ଖସି ଯିବା ସମୟରେ ଗୋପାଳକୁ ଧରିବାରୁ ସେ ଯେଉଁ ଫାୟାରିଙ୍ଗ କରିଥିଲେ, ସେହି ଗୁଳି ପଛ ଗାଡିରେ ବାଜିଥିଲା । ତେବେ ଯେଉଁ ଗାଡିରେ ଗୁଳି ବାଜିଥିଲା । ଗୁଳିଟି ଗାଡିକୁ କଣା କରି ଚାଲି ଯାଇଥିଲା । କିନ୍ତୁ ସେହି ଗୁଳି ବି ମିଳିଥିବାରୁ ସେ ଗାଡିରେ ଖୋଜାଖୋଜି କରୁଛି ତଦନ୍ତକାରୀ ଟିମ୍ ।

ସୂଚନା ଅନୁସାରେ ଘଟଣାସ୍ଥଳରୁ ଦୁଇଟି ଖୋକା ମିଳିଛି କିନ୍ତୁ ମିଳିନି ଗୁଳି । ହେଲେ, ଗୋପାଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଗୁଳିଟି ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଯେଉଁ ଗୁଳି ଗୋପାଳ ଦାସଙ୍କ ବନ୍ଧୁକରେ ଲୋଡ ହୋଇଥିଲା, ସେହି ଗୁଳି ହିଁ ନବ ଦାସଙ୍କ ଦେହରେ ବାଜିଥିଲା ବୋଲି ପ୍ରମାଣିତ କରିବାକୁ ପଡିବ । ନଚେତ ହୁଏତ ପରବର୍ତ୍ତୀ ସମୟରେ କୋର୍ଟରେ ଗୁଳି କରିଥିବା କଥାକୁ ଅସ୍ୱୀକାର କରିପାରେ ଗୋପାଳ । ପ୍ରଶ୍ନ ଉଠୁଛି, କୁଆଡେ ଗଲା ଗୁଳି? ଅଦୃଶ୍ୟ ଗୁଳିର ରହସ୍ୟ କ’ଣ?