କେବେ ଗଡ଼ିବ ଓଡ଼ିଶାରେ ପାସେଞ୍ଜର ଟ୍ରେନ୍ । ଇଷ୍ଟକୋଷ୍ଟ ରେଲୱେ କହିଲା, ପରିସ୍ଥିତିରେ ସୁଧାର ଆସିଲେ ଏପ୍ରିଲରୁ ଚାଲିପାରେ ଟ୍ରେନ୍ ।

137

କନକ ବ୍ୟୁରୋ: କୋଭିଡ କଟକଣା ଯୋଗୁଁ ବନ୍ଦ ରହିଥିବା ପାସେଞ୍ଜର ଟ୍ରେନ ଲୋକଙ୍କ ଚିନ୍ତା ବଢାଇଦେଇଛି । ପାସେଞ୍ଜର ଟ୍ରେନ ନଚାଲିବା କାରଣରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାସେଞ୍ଜର ଟ୍ରେନ ଚାଲିବା ନେଇ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରିନାହିଁ । ଏପଟେ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ କୁହାଯାଇଛି, କୋଭିଡ ପରିସ୍ଥିତିରେ ସୁଧାର ଆସିଲେ ଏପ୍ରିଲ ମାସରୁ ସ୍ୱାଭାବିକ ହୋଇପାରେ ଟ୍ରେନ ଚଳାଚଳ । ରାଜ୍ୟ ସରକାର ଏବଂ ରେଳବାଇ ବୋର୍ଡ ଏ ସଂକ୍ରାନ୍ତୀୟ ନିଷ୍ପତି ନେବେ ।

କୋଭିଡ କଟକଣା ହଟିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ସତ କିନ୍ତୁ ରାଜ୍ୟରେ ସମସ୍ତ ପାସେଞ୍ଜର ଟ୍ରେନ ନଗଡିବା ଦୈନନ୍ଦିନ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ଏବେ ରାଜ୍ୟରେ ସମ୍ବଲପୁର-ଝାରସୁଗୁଡା, ପୁରୀ-ଅନୁଗୁଳ-ତାଳଚେର, ଗୁଣପୁର-ରାଉରକେଲା ପାସେଞ୍ଜର ଟ୍ରେନ କୋଭିଡ କଟକଣା ଲାଗୁ ହେବା ପରଠାରୁ ବନ୍ଦ ରହିଛି । ଏହିଭଳି ରାଜ୍ୟରେ ଚାଲୁଥିବା ଅନେକ ପାସେଞ୍ଜର ଟ୍ରେନ ଚଳାଚଳ ପ୍ରାୟ ବର୍ଷେ ହେବ ବନ୍ଦ ରହିଛି । ସେହିପରି ବନ୍ଦ ରହିଥିବା ଏକ୍ସପ୍ରେସ ଟ୍ରେନ ମଧ୍ୟରେ ରହିଛି, ହୀରାକୁଦ ଏକ୍ସପ୍ରେସ, ତପସ୍ୱିନୀ ଏକ୍ସପ୍ରେସ, ଇସ୍ପାତ ଏକ୍ସପ୍ରେସ, ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ଇଂଟରସିଟି ଏକ୍ସପ୍ରେସ । ଏଥିସହ ମେମୁ ଓ ଡିଏମୟୁ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହି ଟ୍ରେନଗୁଡିକ ବନ୍ଦ ରହିବା କାରଣରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି କାରଣରୁ ବସରେ ଯିବା ପାଇଁ ଯାତ୍ରୀଙ୍କ ପକେଟକୁ ବାଧୁଛି । ଏପରି ସ୍ଥିତିରେ ସାଧାରଣଲୋକଙ୍କ ଜୀବନ ରେଖା କୁହାଯାଉଥିବା ପାସେଞ୍ଜର ଟ୍ରେନ ବନ୍ଦ ହେବା ଯାତାୟାତରେ ବାଧା ସୃଷ୍ଟି କରିଛି । ପୁଣି ତତକାଳ ଟ୍ରେନରେ ଅଧିକ ଭଡା କାରଣରୁ ମଧ୍ୟ ଯାତ୍ରୀ ଯିବାକୁ ଠିକ ମଣୁନାହାନ୍ତି ।

ପାସେଞ୍ଜର ଟ୍ରେନ ଗଡିବା ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ରାଜ୍ୟ ସରକାର ଜଣାଇଥିଲେ ମଧ୍ୟ ସମନ୍ୱୟ ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଅନ୍ୟପଟେ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ କୁହାଯାଇଛି, କୋଭିଡ ପରିସ୍ଥିତିରେ ସୁଧାର ଆସିଲେ ଏପ୍ରିଲ ମାସରୁ ସ୍ୱାଭାବିକ ହୋଇପାରେ ଟ୍ରେନ ଚଳାଚଳ । ରାଜ୍ୟ ସରକାର ଏବଂ ରେଳବାଇ ବୋର୍ଡ ଏ ସଂକ୍ରାନ୍ତୀୟ ନିଷ୍ପତି ନେବେ । ପଡୋଶୀ ରାଜ୍ୟ ଛତିଶଗଡ, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡରେ କିଛି କିଛି ପାସେଞ୍ଜର ଟ୍ରେନ ଗଡୁଥିବା ବେଳେ କୋଭିଡ ଲେଉଟାଣିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାସେଞ୍ଜର ଟ୍ରେନ ଗଡିବା ନେଇ କୌଣସି ନିର୍ଣ୍ଣାୟକ ନିଷ୍ପତି ନେଇପାରୁନାହାନ୍ତି ।