ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଆଙ୍କ ସହ ଥିଲା ଆରୟନ ଖାନଙ୍କ ସମ୍ପର୍କ ? ଜାଣନ୍ତୁ କୋର୍ଟରେ କ’ଣ କହିଲା ଏନସିବି ।

278

କନକ ବ୍ୟୁରୋ : ମୁମ୍ବାଇ ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ମାରାଥନ ପ୍ରଶ୍ନ କରୁଛି ତଦନ୍ତକାରୀ ସଂସ୍ଥା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆରୟନଙ୍କ ହ୍ୱାଟ୍ସଆପ ଚାଟରୁ ଡ୍ରଗ୍ସ ନେଇ ଠୋସ୍ ପ୍ରମାଣ ମିଳିଥିବା ଦାବି କରିଛି ଏନସିବି । ସେ ଡ୍ରଗ୍ସ ପେଡଲର୍ ଓ ସପ୍ଲାର୍ୟସଙ୍କ ସମ୍ପର୍କରେ ଥିଲେ, ସାଙ୍କେତିକ ଭାଷାରେ କଥା ହେଉଥିଲେ । ଡ୍ରଗ୍ସ ପାଇଁ ଟଙ୍କା ଦେଣନେଣ ହୋଇଥିବା ନେଇ ହ୍ୱାଟ୍ସଆପ୍ ଚାଟରୁ ଜଣାପଡିଛି ।

ମୁମ୍ବାଇ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି । ଗିରଫ ପରେ ଆରୟନଙ୍କ ବିରୋଧରେ କିଛି ଠୋସ ପ୍ରମାଣ ମିଳିଛି । ହ୍ୱାଟ୍ସଅପ ଚାଟରେ ଆରୟନ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କରେ ଥିବା ଏନସିବି ପ୍ରମାଣ ପାଇଛି ।

ରବିବାରଦିନ ଗିରଫ ହେବା ପରେ ଆରୟନ ଖାନ ଓ ତାଙ୍କ ବନ୍ଧୁ ଇସମାଇଲ ମର୍ଚାଣ୍ଟଙ୍କ ଫୋନକୁ ଯାଞ୍ଚ କରାଯାଇଥିଲା । ଆଉ ଯାଞ୍ଚବେଳେ ଜଣାପଡିଥିଲା,

-ଆରୟନ କିଛି ଡ୍ରଗ୍ସ ପେଡଲର ଓ ସପ୍ଲାୟର୍ସଙ୍କ ସହ ସମ୍ପର୍କରେ ଥିଲେ
-ଏହି ଆଧାରରେ ଆରୟନ-ଇସମାଇଲଙ୍କୁ ମୁହାଁମୁହିଁ ଜେରା କରିଥିଲା ଏନସିବି
-ହ୍ୱାଟ୍ସଅପ ଚାଟରେ ଡ୍ରଗ୍ସ କାରବାର ନେଇ ସୂଚନା ଆଦାନପ୍ରଦାନ ହୋଇଥିଲା
– ଚାଟ ବେଳେ କୋଡୱାର୍ଡ (ସାଙ୍କେତିକ ଭାଷା)ରେ କଥାବାର୍ତ୍ତା ହେଉଥିଲେ

ଏନସିବିର କହିବା କଥା ହେଲା ଏହି ମାମଲାରେ ଅନ୍ତର୍ଜାତୀୟ ଡ୍ରଗ୍ସ ନେଟୱର୍କ କାମ କରୁଛି ଏବଂ ଏଥିରେ ବଡ ବଡ ସଂଭ୍ରାନ୍ତ ପରିବାରର ଲୋକ ଅଛନ୍ତି । ଏ ନେଇ ତାଙ୍କ ପାଖରେ ପ୍ରମାଣ ରହିଥିବା ଦାବି କରିଛି ଏନସିବି । ମୁ୍ମ୍ବାଇ କୋର୍ଟରେ ଆରୟନଙ୍କ ଓକିଲ ସତୀଶ ମାନସିନେ୍ଧ ଯୁକ୍ତି ରଖିଥିଲେ । ସେ କହିଥିଲେ, ହ୍ୱାଟ୍ସଅପ ଚାଟ ଏକ ପ୍ରମାଣ ନୁହେଁ, ଯେଉଁଥିପାଇଁ ୨୩ ବର୍ଷିୟ ଯୁବକ ବିରୋଧରେ ଏଭଳି ଆରୋପ ଲଗାଯାଇପାରିବ ।

ଆରୟନ୍ ଅତିଥିଭାବେ ଯାଇଥିଲେ । ଆରୟନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳିନାହିଁ । ତାଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ବି ନାହିଁ । ଓକିଲ କହିଛନ୍ତି ଆରୟନ କ୍ରୁଜରେ କାହିଁକି ଡ୍ରଗ୍ସ ବିକ୍ରି କରିବେ, ସେ ଚାହିଁଲେ କ୍ରୁଜ୍ କିଣିପାରିବେ । ଏନସିବି ରିମାଣ୍ଡରେ ଆରୟନ ୭ ତାରିଖ ଯାଏଁ ରହିବେ । ଏହି ସମୟରେ ଏନସିବି, ଗୁଡାଇତୁଡାଇ ଯାଞ୍ଚ କରିବ । ସେପଟେ ଗିରଫ ହୋଇଥିବା ୧୧ଜଣଙ୍କ ମଧ୍ୟରେ ଜଣେ ଓଡିଆ ଯୁବକ ମଧ୍ୟ ଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।