ବହୁ ପୁରୁଣା ଚୀନ୍-ତାଇୱାନ୍ ବିବାଦ । ପଢନ୍ତୁ, ଏହି ବିବାଦ କେତେ ପୁରୁଣା ଓ ଏହା ପଛର କାରଣ କଣ?

255

କନକ ବ୍ୟୁରୋ: ପୁଣି ଥରେ ମୁହାଁମୁହିଁ ସ୍ଥିତିରେ ଚୀନ ଓ ତାଇୱାନ । ତେବେ ଦୁଇ ଦେଶ ମଧ୍ୟରେ ଏହି ବିବାଦ କିଛି ନୂଆ ନୁହେଁ ବଂର ବେଶ ପୁରୁଣା । ବହୁ ବର୍ଷ ପୂର୍ବରୁ ଚୀନରେ କୁଇଙ୍ଗ ରାଜବଂଶ ଶାସନ କରୁଥିଲା । କ୍ୱିଙ୍ଗ ରାଜବଂଶ ଦୁର୍ବଳ ହେବାରୁ ଜାପାନ ଚୀନ ଉପରେ ଆଖି ପକାଇଥିଲା । ଏହାପରେ ୧୮୯୪-୯୫ରେ ଜାପାନ ଚୀନ୍ ଆକ୍ରମଣ କଲା ଆଉ ଏହି ଯୁଦ୍ଧରେ ଜାପାନ ଚୀନ ସୀମାକୁ ଲାଗିଥିବା କୋରିଆ, ଚୀନର ସମୁଦ୍ର ତଟବର୍ତୀ ଅଞ୍ଚଳ ଏବଂ ତାଇୱାନକୁ ଦଖଲ କରିନେଲା ।

ତାଇୱାନର ସେତେବେଳର ନାଁ ଥିଲା ‘ଫରମୋସା’ । ପ୍ରଥମ ଚୀନ-ଜାପାନ ଯୁଦ୍ଧରେ ଚୀନ ହାରିଗଲା । ଜାପାନ ଠାରୁ ହାରିଲା ପରେ କ୍ୱିଙ୍ଗ ରାଜବଂଶ ଦୁର୍ବଳ ହେଲା । ଛୋଟ ଛୋଟ ରାଜବଂଶ ଖଣ୍ଡ ବିଖଣ୍ଡିତ ଚୀନ ଶାସକ ବନିଗଲେ । ୧୯୧୨ରେ ସନ୍-ୟାତ୍-ସେନ୍ ଚୀନର ବଡ ନେତା ପାଲଟିଗଲେ । ସନ୍-ୟାତ୍-ସେନ୍ ‘ରିପବ୍ଲିକ ଅଫ୍ ଚୀନ’ ନାଁରେ ଚୀନକୁ ଗୋଟିଏ ଦେଶ କରିବାକୁ ଉଦ୍ୟମ କଲେ । ୧୯୨୫ରେ ସନ୍-ୟାତ୍-ସେନଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ କୌମିନ୍ ଟଙ୍ଗ ପାର୍ଟି ଦୁଇ ଭାଗ ହୋଇଗଲା । ପରେ ନ୍ୟାସନାଲିଷ୍ଟ ପାର୍ଟି ଓ କମ୍ୟୁନିଷ୍ଟ ପାର୍ଟିରେ ବିଭକ୍ତ ହୋଇଗଲା ।

ନ୍ୟାସନାଲିଷ୍ଟ ପାର୍ଟିର ନେତୃତ୍ୱ ନେଇଥିଲେ ଚାଙ୍ଗ-କାଇ-ସେକ୍ । ସେ ଗଣତନ୍ତ୍ରର ଉଦାରବାଦ ଉପରେ ବିଶ୍ୱାସ କରୁଥିଲେ । କମ୍ୟୁନିଷ୍ଟ ପାର୍ଟିର ନେତୃତ୍ୱ ନେଇଥିଲେ ମାଓ ଜେଡଙ୍ଗ । ସାମ୍ୟବାଦ, ଗୋଟିଏ ପାର୍ଟି ହେବ, ସେମାନେ ନେତା ବାଛିବେ, ଲୋକଙ୍କର କିଛି ଅଧିକାର ରହିବ । ଦୁଇ ଦଳର ବିପରୀତ ଆଭିମୁଖ୍ୟ ଯୋଗୁଁ ଆରମ୍ଭ ହେଲା ଘମାଘୋଟ ଲଢେଇ ।

ଦୁଇ ଦଳର ଆଭିମୁଖ୍ୟ ଥିଲା ଚୀନକୁ ଏକାଠି କରିବା କିନ୍ତୁ ନିଜ ଦଳ ହିସାବରେ ଚୀନରେ ଶାସନ ହେବ ବୋଲି ଲକ୍ଷ୍ୟ ରଖିଥିଲେ । ୧୯୨୭ ଚୀନର ସବୁଠୁ ବଡ ସହର ସାଂଘାଇରେ ନରସଂହାର କଲେ ନ୍ୟାସନାଲିଷ୍ଟ ପାର୍ଟି । ପରେ ଚୀନରେ ଆରମ୍ଭ ହେଲା ଭୟାନକ ଗୃହଯୁଦ୍ଧ । ଏହାର ଫାଇଦା ଉଠାଇଲା ଜାପାନ । ପୁଣିଥରେ ଚୀନର ବଡ ସହର ‘ମଞ୍ଚୁରିଆ’କୁ ୧୯୩୧ରେ ଆକ୍ରମଣ କଲା ଏବଂ ଦଖଲ କରି ଶାସନ କଲା । ଚୀନରେ ଆତଙ୍କର ଲୀଳା ରଚିଲା ଜାପାନ, ଫଳରେ ନ୍ୟାସନାଲିଷ୍ଟ ପାର୍ଟି ଓ କମ୍ୟୁନିଷ୍ଟ ପାର୍ଟିର ନେତା ଏକାଠି ହୋଇ ଜାପାନ ବିରୋଧରେ ଲଢେଇ କରିବାକୁ ସ୍ଥିର କଲେ । ଜାପାନ ଭୟରେ ଦୁଇ ଦଳ ଏକାଠି ହେଲେ ସତ, କିନ୍ତୁ ଜିତି ପାରିଲେ ନାହିଁ । ୧୯୩୭-୪୫ ଚୀନ ଉପରେ ପୁଣି ଆକ୍ରମଣ କଲା ଜାପାନ । ସେତେବେଳେ ଜାପାନ ଏକ ମହାଶକ୍ତି ଥିଲା । ୧୯୪୫ରେ ଜାପାନ ଉପରେ ପରମାଣୁ ବୋମା ପକାଇଲା ଆମେରିକା । ଜାପାନ ହାରିବା ପରେ ଚୀନର ଯେଉଁ ଅଞ୍ଚଳ ଦଖଲ କରିଥିଲା ତାହା ସ୍ୱାଧିନ ହୋଇଗଲା ।

ନ୍ୟାସନାଲିଷ୍ଟ ପାର୍ଟିର ନେତା ଓ ସମର୍ଥକଙ୍କୁ ହତ୍ୟା କରି ଚାଲିଲେ କମ୍ୟୁନିଷ୍ଟ ପାର୍ଟିର ସମର୍ଥକ । ମୂଳ ଭୂଖଣ୍ଡ ଛାଡି ନ୍ୟାସନାଲିଷ୍ଟ ପାର୍ଟିର ନେତା ଓ କର୍ମୀ ଚୀନର ତଟବର୍ତ୍ତୀ ଅଞ୍ଚଳ ଚାଲିଆସିଲେ । ୧୯୪୯ ବେଳକୁ ‘ଫରମୋସା’ ନାମକ ଦ୍ୱୀପକୁ ଚାଲିଆସିଲେ ନ୍ୟାସନାଲିଷ୍ଟ ପାର୍ଟିର ନେତା, କର୍ମୀ ସେମାନଙ୍କ ପରିବାର ।

୧୯୫୦ ପରଠାରୁ ନ୍ୟାସନାଲିଷ୍ଟ ପାର୍ଟିର ମାତ୍ର ୨୦ ଲକ୍ଷ ଲୋକ ତାଇୱାନରେ ବସବାସ କଲେ । ଚାଙ୍ଗ କାଇ ସେକ୍, ନ୍ୟାସନାଲିଷ୍ଟ ପାର୍ଟି ମୁଖ୍ୟ ତାଇୱାନକୁ ରିପବ୍ଲିକ ଅଫ ଚାଇନା ଘୋଷଣା କଲେ । ୧୯୭୧ରେ ଚାଇନା ମେନ୍ ଲ୍ୟାଣ୍ଡ ବା ମୂଳ ଭୂ-ଖଣ୍ଡ ଯେଉଁଠି କମ୍ୟୁନିଷ୍ଟ ଶାସନ କରୁଥିଲେ ତାକୁ ମାନ୍ୟତା ଦେଲା ଜାତିସଂଘ । ତାଇୱାନ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ହରାଇଲା । କୌଣସି ବଡ ଦେଶ ମଧ୍ୟ ତାଇୱାନକୁ ମାନ୍ୟତା ଦେଲା ନାହିଁ । ଚୀନ ମଧ୍ୟ ତାଇୱାନକୁ ତାର ଅଂଶ ବୋଲି ଦାବି କଲା ।