ମରିଗଲା ମାନବିକତା : ଦେଖଣାହାରି ପାଲଟିଲେ ଲୋକେ; ଛଟପଟ ହୋଇ ଚାଲିଗଲା ଜୀବନ…ହେଲେ ପାଖକୁ ଆସିଲେନି କେହି

1,368

କନକ ବ୍ୟୁରୋ : ମରିଗଲା ମାନବିକତା । ଦେଖଣାହାରି ପାଲଟିଲେ ଲୋକେ । ଛଟପଟ ହୋଇ ଚାଲିଗଲା ଜୀବନ, ହେଲେ ପାଖକୁ ଆସିଲେନି କେହି । ଗତକାଲି ଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ଗୋହିରା ଛକ ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ତେଲ ଟ୍ୟାଙ୍କର ଧକ୍କାରେ ଜଣେ ବ୍ୟକ୍ତି ରୋଡ଼ ଉପରକୁ ଛିଟିକ ପଡ଼ିଥିଲେ । କିଛି ସମୟ ଭିତରେ ରାସ୍ତାରେ ଯାଉଥିବା ଲୋକେ ଓ ସ୍ଥାନୀୟ ଲୋକେ ଭିଡ଼ ଜମାଇଥିଲେ ।

ସମସ୍ତେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଦେଖି ଉଦବେଗ ପ୍ରକାଶ କରିଥିଲେ । ରାସ୍ତା ଉପରେ ଶହ ଶହ ଗାଡ଼ି ମଟର ଯାତାୟତ କରୁଥିଲେ ମଧ୍ୟ କେହି ଜଣେ ତାଙ୍କୁ ସାହସ କରି ଗାଡ଼ିରେ ମେଡ଼ିକାଲ ପଠାଇବାର ବ୍ୟବସ୍ଥା କରୁନଥିଲେ । ତେବେ ଆମ୍ବୁଲାନ୍ସ ଓ ପୋଲିସ ପ୍ରାୟ ଅଧଘଂଟା ପରେ ପହଂଚିଥିବା ଅଭିଯୋଗ ହୋଇଛି । ସେତେବେଳକୁ ଛଟପଟ ହୋଇ ବ୍ୟକ୍ତି ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସାଲିଆ ସାହି ନିରଙ୍କରୀ ନଗରର ଆନନ୍ଦ ପ୍ରଧାନ ବୋଲି ଜଣାପଡ଼ିଛି । ତେବେ ଦୁର୍ଘଟଣା ଘଟାଇଥିବା ତେଲ ଗାଡ଼ି ତମାଣ୍ଡୋ ପୋଲିସ ଷ୍ଟେସନରେ ଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଲୋକେ ଦେଖଣାହାରୀ ସାଜିଥିବା ବେଳେ କେହି ସାହାଯ୍ୟ କରିବାକୁ ଆସିନଥିଲେ । ଯାହାକୁ ନେଇ ପ୍ରଶ୍ନ ଉଠୁଛି ଯେ, ଏହି ସ୍ଥାନରେ ଆପଣ ବା ଆମେ ଥିଲେ କଣ କରିଥାନ୍ତେ ।