କଣ ହେବ ବିଧାୟକ ମହମ୍ମଦ ମୋକିମଙ୍କ ଭାଗ୍ୟ ? ୩ ବର୍ଷ ଜେଲ ଦଣ୍ଡାଦେଶ ପରେ ଉଠିଲା ପ୍ରଶ୍ନ, ପଦ ହରାଇବେ ନା ରହିବ?

108

କନକ ବ୍ୟୁରୋ: ‘ଓଆରଏଚଡିସି’ର ଋଣ ସ୍କାମରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଧାୟକ ମହମ୍ମଦ ମୋକିମଙ୍କ ଅଡୁଆ ବଢିଛି । ଏବେ ବିଧାୟକ ପଦରେ ସେ ରହିବେ କି ନାହିଁ ପ୍ରଶ୍ନ ଉଠିଛି । କାରଣ ନିୟମ କହୁଛି ଯଦି ଜଣେ ନିର୍ବାଚିତ ପ୍ରତିନିଧି କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବେ ଏବଂ ୨ ବର୍ଷ ବା ତାଠାରୁ ଅଧିକ ଜେଲ ଦଣ୍ଡାଦେଶ ପାଇବେ ତା ହେଲେ ସେ ସଦସ୍ୟତା ପଦ ହରାଇବେ । ଆଉ ଏହାକୁ ନେଇ ଆଇନଜୀବୀ ଭିନ୍ନ ଭିନ୍ନ ମତ ରଖିଛନ୍ତି ।

  • ବଢିଲା ମହମ୍ମଦ ମୋକିମଙ୍କ ଅଡୁଆ
  • ବିଧାୟକ ପଦ ଉପରେ ଝୁଲିଲା ଖଣ୍ଡା

‘ଓଆରଏଚଡିସି’ର ଋଣ ସ୍କାମରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଧାୟକ ମହମ୍ମଦ ମୋକିମ୍ଙ୍କ ଅଡୁଆ ବଢିଛି । ତାଙ୍କ ବିଧାୟକ ପଦ ରଦ୍ଦ ହେବା ନେଇ ଆଶଙ୍କା ଦେଖାଦେଇଛି । କୋର୍ଟଙ୍କ ରାୟ ପରେ ବିଧାୟକ ପଦ ହରାଇପାରନ୍ତି ମହମ୍ମଦ ମୋକିମ୍ । ୨୦୦୦ ମସିହାର ଏହି ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ କରିବା ପରେ ତାଙ୍କ ବିଧାୟକ ପଦ ତତକ୍ଷଣାତ ରଦ୍ଦ ହେବ ନା ନାହିଁ ସେ ନେଇ ଓକିଲଙ୍କ ମଧ୍ୟରେ ଭିନ୍ନମତ ପ୍ରକାଶ ପାଇଛି ।

ନଜର ପକାନ୍ତୁ, ଏ ବାବଦରେ ଆଇନ କଣ କହୁଛି?

  • ‘ରିପ୍ରେଜେଂଟେସନ୍ ଅଫ୍ ପିପୁଲ୍ସ ଆକ୍ଟ’ ୧୯୫୧ରେ ସଦସ୍ୟତା ରଦ୍ଦ ନେଇ ଉଲ୍ଲେଖ ରହିଛି
  • ଜଣେ ଜନ ପ୍ରତିନିଧି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ବା ତା ଠାରୁ ଅଧିକ ଜେଲ ଦଣ୍ଡାଦେଶ ପାଇଲେ ସଦସ୍ୟତା ହରାଇବେ
  • ଦଣ୍ଡାଦେଶ ଶେଷ ହେବାର ୬ବର୍ଷ ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ନିର୍ବାଚନ ଲଢିପାରିବେ ନାହିଁ
  • ୨୦୨୩ରେ ସୁପ୍ରିମକୋର୍ଟ ଏ ନେଇ ସ୍ପଷ୍ଟ ରାୟ ଦେଇଛନ୍ତି
  • ଉପର ଅଦାଲତରେ ଦୋଷୀ ସାବ୍ୟସ୍ତ ଉପରେ ସ୍ଥଗିତାଦେଶ ମିଳିଲେ ସଦସ୍ୟତା ରଦ୍ଦ ହୋଇପାରିବନି

୨୦୧୩ ମସିହାର ଲିଲି ଥୋମାସ ବନାମ ଭାରତ ସରକାର ମାମଲାର ବିଚାର କରି ବିଧାୟକ, ସାଂସଦଙ୍କ ସଦସ୍ୟତା ରଦ୍ଦ ନେଇ ରାୟ ଶୁଣାଇଥିଲେ । ରାୟ ଅନୁଯାୟୀ, ଯଦି ବିଧାୟକ ସାଂସଦ କୌଣସି ମାମଲାରେ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୁଅନ୍ତି, ତେବେ ରାୟ ପ୍ରକାଶ ପାଇବା ସମୟରୁ ହିଁ ତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଯିବ ।

ତେବେ ମୋକିମ କହିଛନ୍ତି, ଭିଜିଲାନ୍ସ କୋର୍ଟ ତାଙ୍କୁ ଦଣ୍ଡିତ କରିବା ପରେ ସେ ଜାମିନ ପାଇଛନ୍ତି । ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ । ତାଙ୍କ ସଦସ୍ୟତା ସୁରକ୍ଷିତ ରହିବ କି ନାହିଁ, ତାହା କୋର୍ଟରେ ସ୍ପଷ୍ଟ ହୋଇଯିବ । ତେବେ ବର୍ତ୍ତମାନ ମହମ୍ମଦ ମୋକିମ ଉପର କୋର୍ଟକୁ ଯିବେ । ଆଉ ସମସ୍ତଙ୍କ ନଜର ଏବେ କୋର୍ଟ କି ରାୟ ଦେଉଛନ୍ତି ।