କାବୁଲରେ କାଲି ପରେ କ’ଣ ହେବ ? ଆମେରିକାର ଆଭିମୁଖ୍ୟ ଉପରେ ସାରା ବିଶ୍ୱର ନଜର । ସେପଟେ ଆତଙ୍କୀଙ୍କ ରକେଟ୍ ମାଡକୁ ଆକାଶରେ ଅଚଳ କରିଦେଲା ଆମେରିକା ।

347

କନକ ବ୍ୟୁରୋ : ଦିନକ ପରେ ତାଲିବାନ ଆମେରିକାକୁ ଦେଇଥିବା ଡେଡ୍ ଲାଇନ ସରୁଛି । ଅଗଷ୍ଟ ୩୧ ପରେ କାବୁଲ ବିମାନ ବନ୍ଦର ଖାଲି କରିବାକୁ କଂଟ ଦେଇଥିଲା ଆଫଗାନର ନୂଆ ଶାସକ । ବିମାନ ବନ୍ଦରରେ ଛକାପଞ୍ଝା ଆରମ୍ଭ ହୋଇଛି ଓ କାବୁଲ ବିମାନ ବନ୍ଦରରେ ଆତଙ୍କବାଦୀ ଓ ଆମେରିକା ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୩୧ ତାରିଖ ପରେ ଆମେରିକା କଣ କରିବ ତା ଉପରେ ବିଶ୍ୱ ସମୁଦାୟର ନଜର ରହିଛି ।

ରବିବାର ବିସ୍ଫୋରକ ଭର୍ତ୍ତି ଗାଡିକୁ ଡ୍ରୋନ ଆକ୍ରମଣ ଦ୍ୱାରା ଆମେରିକା ଧ୍ୱଂସ କରିବା ପରେ ସୋମବାର ସକାଳୁ ରକେଟ୍ ମାଡ କରିଥିଲେ ଆତଙ୍କବାଦୀ । ହେଲେ ଆତଙ୍କବାତୀଙ୍କ ଏହି ଆକ୍ରମଣକୁ ପଣ୍ଡ କରିଦେଇଛି ଆମେରିକୀୟ ମିଜାଇଲ ଡିଫେନ୍ସ ବ୍ୟବସ୍ଥା । ଆତଙ୍କବାଦୀମାନେ ସକାଳୁ ସକାଳୁ କାବୁଲ ବିମାନବନ୍ଦରକୁ ଛାଡିଥିବା ୫ଟି ରକେଟକୁ ନିଷ୍କ୍ରିୟ କରିଛି ଆମେରିକା ସେନା ପକ୍ଷରୁ ଏୟାରପୋର୍ଟରେ ଲଗାଯାଇଥିବା ମିଜାଇଲ୍ ଡିଫେନ୍ସ ସିଷ୍ଟମ । ଫଳରେ ଏକ ବଡ ଅଘଟଣ ଟଳିଯାଇଛି ବୋଲି ପେଂଟାଗନ ପକ୍ଷରୁ କୁହାଯାଇଛି ।

କାବୁଲ ବିମାନବନ୍ଦରରେ ଆତ୍ମଘାତି ଆକ୍ରମଣରେ ପ୍ରାୟ ୨ଶହ ଲୋକଙ୍କ ଜୀବନ ଯିବା ପରେ ସତର୍କ ହୋଇଯାଇଛି ଆମେରିକା । ବିଶ୍ୱର ସବୁଠାରୁ ଦକ୍ଷ ଗୁଇନ୍ଦା ବ୍ୟବସ୍ଥା କୁହାଯାଉଥିବା ଆମେରିକା ଇଣ୍ଟେଲିଜେନ୍ସିର ତଥ୍ୟ ଆଧାରରେ ଆତଙ୍କବାଦୀଙ୍କ ସମସ୍ତ ଷଡଯନ୍ତ୍ରକୁ ପଣ୍ଡ କରିବାରେ ଲାଗିଛି ।

ଅଗଷ୍ଟ ୩୧ରେ ସରୁଛି ଆମେରିକାର ଆଫଗାନ ଡେଡଲାଇନ୍ । ଏଥିପାଇଁ ଉଦ୍ଧାର କାର୍ଯ୍ୟକୁ ଆମେରିକା ଜୋରଦାର କରିଛି । ଆମେରିକୀୟ ସେନା ସେମାନଙ୍କ ନିଜ ନିଜ ଜିନିଷ ଧରି ଏବେ ଘରକୁ ଫେରୁଛନ୍ତି । ହେଲେ, ପରସ୍ଥ୍ିତି ଜଟିଳ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ଏହାରି ଭିତରେ କାବୁଲ ଏୟାରପୋର୍ଟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କାବୁଲ ବିମାନବନ୍ଦରକୁ କବଜା କରିବାକୁ ଜଗି ରହିଛନ୍ତି ତାଲିବାନୀ । କିନ୍ତୁ କାବୁଲ ଏୟାରପୋର୍ଟରେ ଆମେରିକୀୟ ସେନା ଥିବା ପର୍ଯ୍ୟନ୍ତ ତାଲିବାନୀମାନେ ଏହାକୁ ନିଜ ନିୟନ୍ତ୍ରଣକୁ ନେଇ ପାରୁନାହାନ୍ତି ।

ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁସାରେ ଆମେରିକା ସେନା କାବୁଲ ଛାଡନ୍ତୁ ବୋଲି ତାଲିବାନୀମାନେ ଦାବି କରୁଛନ୍ତି । କିନ୍ତୁ ଜଣେ ବି ଆମେରିକୀୟ ଆଫଗାନରେ ଥିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି କହି ଆସୁଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ।

ଆଫାଗାନିସ୍ତାନରେ ଭାରତୀୟ ଦୂତାବାସ ସୁରକ୍ଷା ଦାୟିତ୍ୱରେ ଥିବା ଓଡ଼ିଆ ଯବାନ ଦିପକ ଚୌଧୁରୀ ସୁରକ୍ଷିତ ଦିଲ୍ଲୀ ଫେରିଆସିଛନ୍ତି । ଫେରିବା ପରେ ବଖାଣିଛନ୍ତି କେମିତି ଥିଲା କାବୁଲର କାହାଣୀ । ତାଲିବାନମାନେ କାବୁଲ ଦଖଲ କରିବା ପରେ କେମିତି ଭୟ ଆଉ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା । ତେବେ ରବିବାର ଆତଙ୍କବାଦୀଙ୍କ ଗାଡି ଉପରକୁ ଆମେରିକା କରିଥିବା ଡ୍ରୋନ ଆକ୍ରମଣରେ ୪ଶିଶୁଙ୍କ ସମେତ ୬ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଆଉ ମୃତ ଶିଶୁମାନଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି ।