କ’ଣ ରହିବ ରାଜ୍ୟ ବଜେଟର ରୂପରେଖ ? ବଜେଟରେ କାହାକୁ ମିଳିବ କେତେ ? ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟର ଚିଠା ପ୍ରସ୍ତାବକୁ ଅନୁମୋଦନ ।

161

କନକ ବ୍ୟୁରୋ : କ’ଣ ରହିବ ବଜେଟର ରୂପରେଖ ? ବଜେଟରେ କାହାକୁ ମିଳିବ କେତେ ? ଆସନ୍ତା ୨୨ ତାରିଖରେ ଆସିବାକୁ ଯାଉଛି ରାଜ୍ୟ ବଜେଟ । କରୋନା ଯୋଗୁଁ ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତି ଦୋହଲିଯାଇଛି, କେନ୍ଦ୍ରୀୟ ଅଂଶଧନ ମଧ୍ୟ କମିଛି । ଆଉ ଏପରି ସମୟରେ ବିଧାନସଭାରେ ବଜେଟ ଉପସ୍ଥାପିତ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷର ବଜେଟ ୧ଲକ୍ଷ ୭୦ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି । ଆଉ ଚଳିତ ବର୍ଷର ବ୍ୟୟବରାଦର ଭରଣା ପାଇଁ ରୁଣ ଭାରରେ ଛନ୍ଦି ହେବେ ରାଜ୍ୟ ସରକାର ।

ମାର୍ଚ୍ଚ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ଦୋହଲି ଯାଇଥିଲା ଓଡ଼ିଶାର ଅର୍ଥନୀତି । ରାଜସ୍ୱ ସଂଗ୍ରହ ଉପରେ ପଡ଼ିଥିଲା କରୋନା ମାଡ଼ । ଅର୍ଥନୀତିକୁ ପୁଣି ଥରେ ବାଟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଏକାଧିକ ପ୍ୟାକେଜ୍ ମଧ୍ୟ ଘୋଷଣା କରିଥିଲେ । ଆଉ ଏଭଳି ସ୍ଥିତି ଭିତରେ ଆସନ୍ତା ୨୨ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବାକୁ ଯାଉଛି ବଜେଟ୍ । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟର ଚିଠା ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଏଥର ବଜେଟର ପରିମାଣ ପ୍ରାୟ ଏକ ଲକ୍ଷ ୭୦ ହଜାର କୋଟି ଛୁଇଁପାରେ ।

ଋଣ ଯନ୍ତାରେ ଓଡ଼ିଶା ! ୧ ଲକ୍ଷ କୋଟି ଟପିପାରେ ରାଜ୍ୟର ଋଣ ବୋଝ । ଏତେ ବଡ଼ ପରିମାଣର ଋଣ ବୋଝ ଭିତରେ ଆଗାମୀ ବଜେଟ୍ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବାକୁ ଯାଉଛି । ଗୋଟିଏ ପଟେ କେନ୍ଦ୍ରୀୟ ଅନୁଦାନର ଅଂଶଧନ କମିଛି, ଆଉ ଗୋଟିଏ ପଟେ କରୋନା ଯୋଗୁଁ ରାଜ୍ୟର ରାଜସ୍ୱ ଆୟ ସଂକୁଚିତ ହୋଇଛି । ତେଣୁ କେଉଁ ବିଭାଗକୁ ମିଳିବ କେତେ ଗୁରୁତ୍ୱ ?

କରୋନା କାଳରେ ସବୁଠାରୁ ଅଧିକ ନିର୍ଭରଶୀଳ ଥିବା ବିଭାଗ, ସ୍ୱାସ୍ଥ୍ୟ ବିଭାଗକୁ ଆଗାମୀ ବଜେଟରେ ଅଧିକ ପ୍ରାଧାନ୍ୟ ମିଳିପାରେ । ୧୦ ହଜାର କୋଟିରୁ ଉଦ୍ଧ୍ୱର୍ ସ୍ୱାସ୍ଥ୍ୟ ବଜେଟ ହୋଇପାରେ । ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ଓ ସ୍ୱାସ୍ଥ୍ୟ ସେବାକୁ ଆହୁରି ପ୍ରଭାବୀ କରିବା ପାଇଁ ଗୁରୁତ୍ୱ ଦିଆଯାଇପାରେ । ନଗର ଉନ୍ନୟନ ଓ ପଂଚାୟତିରାଜ ବିଭାଗକୁ ମିଳିପାରେ ଗୁରୁତ୍ୱ । ଯେହେତୁ ଆଗକୁ ପୌରନିର୍ବାଚନ ଓ ପଂଚାତୟ ନିର୍ବାଚନ ରହିଛି, ତେଣୁ ଏଥିରେ ଅଧିକ ବ୍ୟୟବରାଦ କରିପାରନ୍ତି ରାଜ୍ୟ ସରକାର । ଏହା ସହିତ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ବ୍ୟବସ୍ଥା କରାଯାଇପାରେ । ମହାନଗର ନିଗମ ଓ ପୌରାଞ୍ଚଳର ଗରିବ ଲୋକଙ୍କ ପାଇଁ ମନରେଗା ଭଳି କାମ ଯୋଗଇବା ପାଇଁ ଏକ ବଡ଼ ଯୋଜନା ଆଣିପାରନ୍ତି ରାଜ୍ୟ ସରକାର । ସେହିପରି ପାନୀୟ ଜଳ, ଗ୍ରାମାଞ୍ଚଳ ବିକାଶ, ଶିକ୍ଷା, କୃଷି, କ୍ଷୁଦ୍ରଶିଳ୍ପ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ କରିପାରନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ବଜେଟର ପରିମାଣ ୧ଲକ୍ଷ ୫୦ ହଜାର କୋଟିକୁ ଛୁଇଁଥିଲା । ଯାହା, ପୂର୍ବ ବର୍ଷ ତୁଳନାରେ ୧୧.୫ ପ୍ରତିଶତ ଅଧିକ ଥିଲା । ଆଉ ଆସନ୍ତା ୨୨ ତାରିଖରେ ଉପସ୍ଥାପିତ ହେବାକୁ ଥିବା ବଜେଟର ପରିମାଣ ଗତବର୍ଷ ତୁଳନାରେ ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି ।