ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କ’ଣ ହେବ ବିଜେପିର ପ୍ଲାନ୍? ଆଜି ଫଡନାବୀସଙ୍କ ବଡ ଘୋଷଣା ।

226

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କର ପତନ ଘଟିଛି । ଏହାପରେ ବିଦ୍ରୋହୀ ବିଧାୟକଙ୍କ ମୁଖ୍ୟ ଏକନାଥ ସିନ୍ଦେ ଓ ବିଜେପି ନେତା ଦେବେନ୍ଦ୍ର ଫଡନାବୀସ ମିଶି ଯାହା ପଦକ୍ଷେପ ନେବେ ବୋଲି କହିଛନ୍ତି ବିଜେପି ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ । ଆଜି ଏ ନେଇ ଫଡନାବୀସଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଫଡନାବୀସ ବଡ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି ।
ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ବଡ ପରିବର୍ତ୍ତନ ଘଟିଛି । ଉଦ୍ଧବ ଠାକରେ ବୁଧବାର ଫ୍ଲୋର ଟେଷ୍ଟ ପୁର୍ବରୁ ହିଁ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେଇଥିବାବେଳେ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ଉଦ୍ଧବଙ୍କ ଇସ୍ତଫା ପରେ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବୀସ ଟ୍ୱିଟ କରି ଜଣାଇଛନ୍ତି ଯେ, ‘ଗୁରୁବାର ଆଗାମୀ ପଦକ୍ଷେପ ବାବଦରେ ସୂଚନା ଦିଆଯିବ’ । ଅନ୍ୟପଟେ ସିନ୍ଦେଙ୍କ ବିଦ୍ରେୀହୀ ବିଧାୟକଙ୍କ ଦଳ ଗୌହାଟିରୁ ଗୋଆରେ ପହଞ୍ଚିସାରିଛନ୍ତି ।

ଗଣମାଧ୍ୟମ ସୂଚନା ମୁତାବକ, ବିଜେପିର ପରବର୍ତ୍ତୀ ପଦକ୍ଷେପ ବାବଦରେ ପଚାରିବାରୁ ମହାରାଷ୍ଟ୍ର ବିଜେପି ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିିଲ କହିଛନ୍ତି ଯେ, ‘ଆଗାମୀ ପଦକ୍ଷେପ ଫଡନବୀସ ଓ ସିନ୍ଦେ ମିଳିତ ଭାବେ ଧାର୍ଯ୍ୟ କରିବେ’ । ଆଜି ସକାଳ ପାଖାପାଖି ୧୧ଟା ସମୟରେ ଫଡନବୀସଙ୍କ ସହ ବିଧାୟକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଫଡନବୀସ ଏକ ବଡ ଘୋଷଣା କରିପାରନ୍ତି’ ବୋଲି ସେ ସୂଚନା ଦେଇଛନ୍ତି । ।ଏହାସହ ବିଜେପି ନିଜର ସମସ୍ତ ବିଧାୟକଙ୍କୁ ମୁମ୍ବାଇରେ ଏକାଠି ହେବାକୁ କହିବା ସହ ସଂଯମତା ଆଚରଣ କରିବାକୁ ଅନୁରୋଧ କରିଛି । ଏହାପରେ ମୁମ୍ବାଇ ମହାନଗର ଉପରେ ନଜର ରଖିଛି ବିଜେପି ବୋଲି କୁହାଯାଉଛି ।