ଓଡ଼ିଶା ରାଜନୀତି ଉପରେ କ’ଣ ପ୍ରଭାବ ପକାଇବ ସେମିଫାଇନାଲ? ରାଜ୍ୟରେ ବଦଳିବ କି କଂଗ୍ରେସର ସମୀକରଣ ?

238

କନକ ବ୍ୟୁରୋ : ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ୨୦୧୯ରେ ଓଡିଶା ରାଜନୀତି ଉପରେ କଣ ପ୍ରଭାବ ରହିବ । କଣ ଓଡିଶାରେ କଂଗ୍ରେସର ସମୀକରଣ ବଦଳିବ । ଆଂଟି ଇନକମବାନ୍ସି ଫ୍ୟାକ୍ଟର କାମ କରିବ କି ଓଡିଶାରେ । ଫାଇଦାରେ କିଏ ରହିବ କଂଗ୍ରେସ ନା ବିଜେପି । ନା ଆଂଚଳିକ ଦଳ ତାର ଦବଦବା ଜାରି ରଖିବ । ଏବେ ଏହି ପ୍ରଶ୍ନ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

୨୦୧୯ ନିର୍ବାଚନ ପୂର୍ବରୁ ଏହି ସେମିଫାଇନାଲ ରେଜଲ୍ଟ ଆଗକୁ ଓଡିଶା ରାଜନୀତିକୁ ପ୍ରଭାବିତ କରିବ ନା ନାହିଁ ସେନେଇ ରାଜନୀତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । ବିଜେଡି କହିଛି ଏକ ସାମ୍ପ୍ରଦାୟିକ ଶକ୍ତିକୁ ଲୋକେ କ୍ଷମତାରୁ ହଟାଇଛନ୍ତି । ଆଂଚଳିକ ଦଳ ପ୍ରତି ଲୋକଙ୍କ ସମର୍ଥନ ବଢିଛି । ତେଣୁ ୨୦୧୯ରେ ଓଡିଶାରେ ବିଜେଡିକୁ ଜନତାଙ୍କ ସମର୍ଥନ ରହିବ ।

impact on odisha

ସେପଟେ କଂଗ୍ରେସ କହିଛି ମୋଦି କହିଥିବା କଂଗ୍ରେସ ମୁକ୍ତ ଭାରତ ଭୁଲ ପ୍ରମାଣିତ ହୋଇଛି । ଧିରେ ଧିରେ ବିଜେପି ମୁକ୍ତ ଭାରତ ହେବାକୁ ଯାଉଛି । ଏହି ଫଳାଫଳର ପ୍ରଭାବ ଓଡ଼ିଶାରେ ପଡିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳ ଏକାଠି ଅଛି । ୨୦୧୯ରେ ଏକାଠି ଲଢି ନିର୍ବାଚନୀ ବୈତରଣୀ ପାର କରିବ ବୋଲି କହିଛନ୍ତି ନିରଞ୍ଜନ ।

ଅନ୍ୟପକ୍ଷରେ ବିଜେପିର ପରାଜୟ କାହିଁକି ହେଲା ସେନେଇ ସମୀକ୍ଷା ହେବ ବୋଲି କହିଛି ବିଜେପି । ତେବେ ୨୦୧୯ରେ ଓଡିଶାରେ ଆଂଟି ଇନକମବାନ୍ସି ଫ୍ୟାକ୍ଟର ବା ସରକାର ବିରୋଧି ସ୍ୱର କାମ କରିବ । ଯାହାର ଫାଇଦା କଂଗ୍ରେସ ନୁହେଁ ବିଜେପିକୁ ମିଳିବ । ଫଳାଫଳକୁ ନେଇ ରାଜନୈତିକ ବୟାନବାଜି ଭିତରେ ଏବେ ଦେଖିବାର କଥା ୨୦୧୯ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ପାଖରେ ପହଂଚିବାକୁ ଏହି ପ୍ରମୁଖ ରାଜନୈତିକ ଦଳ ଗୁଡିକ କିପରି ଗୋଟିଚାଳନା କରୁଛନ୍ତି ।

ଓଡିଶାରେ ମଧ୍ୟ ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ ଥିବା କଂଗ୍ରେସ ଶିବିରରେ ଆଜି ହଠାତ୍ ଆନନ୍ଦ ଖେଳିଯାଇଛି । ୫ଟି ରାଜ୍ୟର ବିଧାନସଭା ଫଳାଫଳ ରାଜ୍ୟ କଂଗ୍ରେସ ଶିବିରରେ ଉତ୍ସାହ ଆଣିଦେଇଛି । ଆଜି କଂଗ୍ରେସ ନେତା ଓ କର୍ମୀ ଉଲ୍ଲସିତ ହୋଇଉଠିଛନ୍ତି । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ବାଣ ଫୁଟିଛି, ମିଠା ବଂଟା ଯାଇଛି । କର୍ମୀ ଶୁଭେଚ୍ଛା ଜଣାଇଛନ୍ତି । ଏପରିକି ୨୦୧୯ରେ କଂଗ୍ରେସ କମିଂର ନାରା ଦିଆଯାଇଛି ।