ଜୁଲାଇ ୧୬ ପରେ ଆଂଶିକ ନା ସଂପୂର୍ଣ୍ଣ ଅନଲକ୍ । ଆସନ୍ତାକାଲି ଆସିପାରେ ନୂଆ ଗାଇଡଲାଇନ୍ । ଚାରିଆଡୁ ଆସୁଛି ଦୁର୍ଦ୍ଦଶାର ଚିତ୍ର ।

434

କନକ ବ୍ୟୁରୋ: କରୋନାର ସଂଘର୍ଷ ଭିତରେ ଅର୍ଥନୀତିର ଅଣ୍ଟା ଦୋହଲି ଯାଇଛି, ଜୀବନକୁ ସୁରକ୍ଷା ଦେବାକୁ ଯାଇ ଜୀବିକା ଉଜୁଡ଼ିବାକୁ ବସିଲାଣି । ଜୀବନ-ଜୀବିକାର ଦୋଛକିରେ ଆଗକୁ କ’ଣ ହେବ ତାକୁ ନେଇ ଏବେ ଚର୍ଚ୍ଚା । ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି । ଏହି ଅବଧି ସରିବା ପରେ ଯଦି ଅର୍ଥନୀତିକୁ ଖୋଲିବା ପାଇଁ ନିଷ୍ପତ୍ତି ନହୁଏ, ତେବେ ଭୂତାଣୁ ଠାରୁ ଅଧିକ ଲୋକ ଭୋକରେ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ, କଟକଣା ଭିତରେ କେତେ ଦିନ ଓ କେମିତି ଜୀବିକା ନିର୍ବାହ କରିବ ସାଧାରଣ ମଣିଷ ତାହା ହିଁ ଏବେ ବଡ ପ୍ରଶ୍ନ ।

ପିତବାସ ସାହୁ ନାମକ ଜଣେ ବ୍ୟକ୍ତି କଟକଣାର ଭାଷାରେ କ୍ୟାଟାଗୋରୀ-ବି ଜିଲ୍ଲାର ବାସିନ୍ଦା । କଟକରେ ଚା’ ଦୋକାନଟିଏ କରି ବହୁ କଷ୍ଟରେ ସେ ପରିବାର ଚଳାନ୍ତି । ଏବେ ଲକଡାଉନ୍ କାରଣରୁ ଗାଡ଼ି ମଟର ଚାଲୁନି, ୨ଟା ପରେ ବଜାର ବନ୍ଦ । ସେଥିରେ କେତେ ବା ରୋଜଗାର ହେବ? ଖାଲି ଏକା ପିତବାସ ନୁହଁନ୍ତି ତାଙ୍କ ପରି ଅନ୍ତନ୍ତଙ୍କ କାହାଣୀ ମଧ୍ୟ ସମାନ । ଅନ୍ତନ୍ତ ପେଶାରେ ଜଣେ ଫଳବେପାରୀ । ଆଉ ଏହି କଟକଣା ସମୟରେ ସପ୍ତାହାନ୍ତ ହେଲେ ଦୁଇ ଦିନ ଫଳ ଦୋକାନ ବନ୍ଦ ରହୁଛି ତେଣୁ ଏହି ଦୁଇ ଦିନରେ ବଳକା ରହୁଥିବା ଫଳ ପଚିସଢି ଯାଉଥିବା ସେ କୁହନ୍ତି ।

ତେବେ ଏମିତି ଘଟଣା କେବଳ ପୀତବାସ କିମ୍ବା ଅନ୍ତନଙ୍କର ନୁହେଁ । ଛୋଟ ଛୋଟ ଦୋକାନ କରି ଚଳୁଥିବା ଜନସଂଖ୍ୟାର ଏକ ବଡ ଭାଗ ଲୋକ, କଟକଣା ଯୋଗୁଁ ସଂଘର୍ଷ କରୁଛନ୍ତି । ଏତିକି ବେଳେ ମନକୁ ଆସିଛି ୧୬ ତାରିଖ ପରେ ଏମାନଙ୍କର କ’ଣ ହେବ?

ସୂଚନା ଅନୁସାରେ ଖୋର୍ଦ୍ଧା ଓ କଟକ ଜିଲ୍ଲା ଉପରେ ରହିଛି ସରକାରଙ୍କ ନଜର । ଅବଶିଷ୍ଟ ୨୮ଟି ଜିଲ୍ଲାରେ ଆହୁରି କୋହଳ ହୋଇପାରେ ତାଲାବନ୍ଦ କଟକଣା । ତେବେ ଦିନ ଦୁଇଟା ବଦଳରେ ସନ୍ଧ୍ୟା ୬ ଯାଏଁ କଟକଣା କୋହଳ ହୋଇପାରେ । ନାଇଟ୍ କର୍ଫ୍ୟୁ ହଟାଇବା ଉପରେ ମଧ୍ୟ ବିଚାର ଚାଲିଛି । ବସ୍ ଚଳାଚଳ କରିପାରେ ଏବଂ ଜିମ୍ ଏବଂ ସ୍ପା ଖୋଇବା ସପକ୍ଷରେ ନିଷ୍ପତ୍ତି ନେଇପାରନ୍ତି ସରକାର । ମଲ୍ ଖୋଲିବା ନିଷ୍ପତ୍ତି ଜିଲ୍ଳା ପ୍ରଶାସନ ନେଇପାରନ୍ତି । ତେବେ ଚୂଡାନ୍ତ ନିଷ୍ପତ୍ତି କଣ ହେବ ତାକୁ ହିଁ ଅପେକ୍ଷା ରହିଛି ।

ଅନ୍ୟପଟେ ଟିକାକୁ ଭରସା କରି ବିଶ୍ୱ ଖୋଲୁଛି । ଅର୍ଥନୀତିକୁ ବାଟକୁ ଫେରାଇ ଆଣିବାକୁ ଉଦ୍ୟମ ହେଉଛି । ଠିକ୍ ସେତେବେଳେ ପ୍ରଶ୍ନ ଆସୁଛି ରାଜଧାନୀ ଭୁବନେଶ୍ୱର ଖୋଲିବାରେ ପଛଘୁଞ୍ଚା କାହିଁକି? ମଙ୍ଗଳବାର ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୫ ଲକ୍ଷ ୫୫ ହଜାର ୫୯୫ ଡୋଜ୍ ଟିକା ଦିଆସରିଛି । ୧୦ ଲକ୍ଷ ୩ ହଜାର ୮୯୦ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଦୁଇଟି ଯାକ ଡୋଜ୍ ଦିଆଯାଇଛି । ୯୦% ଲୋକଙ୍କୁ ଅନ୍ତତଃ ଗୋଟିଏ ଡୋଜ୍ ଟିକା ଦିଆସରିଛି । ଏଭଳି ସ୍ଥିତିରେ ଭୁବନେଶ୍ୱରକୁ ଖୋଲିବରେ କୌଣସି ଅସୁବିଧା ହେବା ଉଚିତ ନୁହେଁ । କଟକ ମଧ୍ୟ ଓଡ଼ିଶା ଅର୍ଥନୀତିର ଅନ୍ୟତମ ପ୍ରାଣ କେନ୍ଦ୍ର । ସମସ୍ତେ ଆଶା ରଖିଛନ୍ତି ସରକାର, ଲୋକଙ୍କ ଦୁଃଖକୁ ବୁଝିପାରିବେ ।