ଦିନ ୧୦ଟାରୁ ୩ଟା ଭିତରେ ଖରାକୁ ବାହାରୁଥିଲେ ସାବଧାନ! ବିପଦଜନକ ସ୍ତରରେ ଅତି ବାଇଗଣୀ ରଶ୍ମିର ସ୍ତର, ଚର୍ମ କର୍କଟ ସହ ଆଖି ଉପରେ ପକାଇବ ଗୁରୁତର ପ୍ରଭାବ ।

715

କନକ ବ୍ୟୁରୋ : ସକାଳ ୧୦ଟାରୁ ପ୍ରାୟ ତିନିଟା ଯାଏ ଆପଣ ଖରାକୁ ବାହାରନ୍ତୁ ନାହିଁ । ଅନ୍ତତଃ ଆଉ ୫ ଦିନ ଏହି ସତର୍କତା ରକ୍ଷା କରିବା ଦରକାର । ଇଂଲଣ୍ଡସ୍ଥିତ ୱେଦର ଅନଲାଇନ୍ ନାମକ ଏକ ପାଣିପାଗ ସଂସ୍ଥାର ରିପୋର୍ଟ ଅନୁସାରେ ପୃଥିବୀପୃଷ୍ଠକୁ ବିପଦଜନକ ସ୍ତରରେ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ନି ପହଂଚି ଯାଉଛି । ଏହି ସଂସ୍ଥା କହିଛି ସକାଳ ୧୧ଟାରୁ ଗୋଟାଏ ଭିତରେ ସବୁଠାରୁ ଅଧିକ ପରିମାଣର ଅତି ବାଇଗଣୀ ରଶ୍ମି ଆସିବା ଆରମ୍ଭ କରିଛି ।

ଇଂଲଣ୍ଡସ୍ଥିତ ୱେଦର ଅନଲାଇନ୍ ନାମକ ଏକ ପାଣିପାଗ ସଂସ୍ଥାର ରିପୋର୍ଟ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ବିଭିନ୍ନ ସ୍ଥାନରେ ୧୧ ଓ ୧୨ ଲେଖାଯାଇଥିବା ଏହି ମ୍ୟାପ୍ ଏକ ଗୁରୁତ୍ୱପୂର୍ଣ୍ଣ କଥା କହୁଛି । ଏହି ସଂଖ୍ୟା ହେଉଛି ଅଲଟ୍ରା ଭାଓଲେଟ୍ ଲେଭଲ୍ ଅର୍ଥାତ ଅତି ବାଇଗଣୀ ରଶ୍ମିର ସ୍ତର ବା ମାତ୍ରା । ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ୫ରୁ ୬ ଯାଏଁ ଏହି ସ୍ତର ରହିଲେ, ଅତି ବାଇଗଣୀ ରଶ୍ମୀ ସହିପାରିବାର ମାତ୍ରା ଭିତରେ ଥାଏ । କିନ୍ତୁ ଏହା ଯେତେବେଳେ ୬, ୭, କିମ୍ବା ୮ ହୋଇଯାଏ, ତେବେ ଏହାକୁ ବିପଜ୍ଜନକ ବୋଲି କୁହାଯାଏ । କିନ୍ତୁ ଏହି ସଂସ୍ଥା କହୁଛି, ଗତ କିଛିଦିନର ଖରା ପରେ ଏବେ ଏହି ସ୍ତର ୧୧ରୁ ୧୨ ଯାଏଁ ପହଞ୍ଚି ଗଲାଣି । ଏହାର ଅର୍ଥ ହେଉଛି ଅତି ବାଇଗଣୀ ରଶ୍ମୀ ଅତି ବିପଜ୍ଜନକ ଭାବେ ପୃଥିବୀ ପୃଷ୍ଠକୁ ଆସୁଛି ।

ୱେଦର ଅନଲାଇନ୍ ଯେଉଁ ଆକଳନ କରିଛି, ଏଥିରେ କୁହାଯାଇଛି ଭୁବନେଶ୍ୱରରେ ଅତି ବାଇଗଣୀର ରଶ୍ମିର ମାତ୍ରା ୧୨ ପହଂଚିଗଲାଣି । ଅର୍ଥାତ୍ ଭୁବନେଶ୍ୱରରେ ଆପଣ ଯେତେବେଳେ ଖରାରେ ବାହାରକୁ ବାହାରୁଛନ୍ତି, ଆପଣ ସାବଧାନ ରହିବା ନିହାତି ହୋଇପଡ଼ିଛି । ଏହି ସଂସ୍ଥା ଆକଳନ କରି କହିଛି, ଆସନ୍ତା ୫ ଦିନ ଯାଏ ଅତି ବାଇଗଣୀ ରଶ୍ମୀର ମାତ୍ରା ଏହିଭଳି ୧୧, ୧୨ ଯାଏଁ ରହିପାରେ । ୱେଦର ଅନଲାଇନ୍ ଆକଳନ ଅନୁସାରେ ଦିନ ୧୦ଟାରୁ ୩ଟା ଯାଏଁ ଅଲଟ୍ରା ଭାଓଲେଟ-ରେ’ ଅର୍ଥାତ୍ ଅତି ବାଇଗଣୀ ରଶ୍ମିର ମାତ୍ରା ଅଧିକ ରହିବ । ସୋମବାର ସକାଳ ୯ଟାରେ ୟୁଭି ମାତ୍ରା ୮ ରହିଥିଲା, ହେଲେ ୧୦ଟା ବେଳେ ଏହା ବୃଦ୍ଧି ପାଇ ୧୧ରେ ପହଞ୍ଚିଥିଲା, ୧୧ଟାରୁ ୧୨ଟା ବେଳେ ଏହି ମାତ୍ରା ୧୨ ପହଞ୍ଚିଥିଲା ।

ତେବେ ଭାରତୀୟ ପାଣିପାଗ ସଂସ୍ଥା ବା ଆଇଏମଡିକୁ ଆମେ ଏ ସଂମ୍ପର୍କରେ ପ୍ରଶ୍ନ କରିଥିଲୁ । କିନ୍ତୁ ସେମାନେ କହିଥିଲେ ଅତି ବାଇଗଣୀ ରଶ୍ମିର ମାତ୍ରା ଗଣନା କରିବା ପାଇଁ ଆଇଏମଡିର ବ୍ୟବସ୍ଥା ନାହିଁ । ତେଣୁ ଏହି ସ୍ତର କେତେ ପହଂଚିଛି, ତାହା ଆଇଏମଡି ମାଧ୍ୟମରେ ଜଣାପଡ଼ିବ ନାହିଁ । କିନ୍ତୁ ସେମାନେ ସନ୍ଦେହ ପ୍ରକଟ କରିଛନ୍ତି ଯେ ୟୁଭି ମାତ୍ରା ୧୨ରେ ପହଂଚି ନଥିବ । କିନ୍ତୁ ସେମାନେ ବି ନିଶ୍ଚିତ ନୁହଁନ୍ତି ।  ଅତି ବାଇଗଣୀ ରଶ୍ମି ହେଉଛି ସୂର୍ଯ୍ୟ କିରଣରେ ଆସୁଥିବା ସବୁଠାରୁ କ୍ଷତିକାରକ ରଶ୍ମି । ବାୟୁମଣ୍ଡଳ ଉପରେ ଥିବା ଓଜନ ସ୍ତର ଅତି ବାଇଗଣୀ ରଶ୍ମିକୁ ପୃଥିବୀ ପୃଷ୍ଠକୁ ଆସିବାକୁ ଦିଏନାହିଁ । କିନ୍ତୁ ପ୍ରଦୂଷଣ କାରଣରୁ ଧୀରେ ଧୀରେ ଓଜନ ସ୍ତର କ୍ଷୟ ହେବାରେ ଲାଗିଛି । ଏବଂ ଅତି ବାଇଗଣୀ ରଶ୍ମି ସିଧା ଆମ ପାଖକୁ ପହଂଚିଗଲାଣି ।

ଆପଣ ଆଶ୍ଚର୍ଯ୍ୟ ହେବେ ଏହି କିଛିଦିନ ହେଲା ଅତ୍ୟନ୍ତ ଖରା ପାଇଁ ଲୋକଙ୍କ ସ୍କିନ୍ ପ୍ରଭାବିତ ହେଉଛି । ଏବଂ ଡାକ୍ତରଙ୍କ ପାଖରେ ଏଭଳି କେସ୍ ଆସିବା ଆରମ୍ଭ ହୋଇଗଲାଣି । ସକାଳ ୧୦ଟା, ସାଢ଼େ ୧୦ଟାରୁ ପ୍ରାୟ ୩ଟା ଯାଏଁ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଆଗାମୀ ୫ ଦିନ ଯାଏଁ ଏଭଳି ଅତି ବାଇଗଣୀ ରଶ୍ମିର ବିପଦ ରହିଛି ।