ମାଥିଲି ଡାକ୍ତରଖାନାରେ ଶିଶୁ ଚୋରି ଅଭିଯୋଗର ସତ କ’ଣ ? ଆଜି ପୁଣି ହେବ ମହିଳାଙ୍କ ଅଲଟ୍ରାସାଉଣ୍ଡ

99

କନକ ବ୍ୟୁରୋ : ମାଥିଲି ଡାକ୍ତରଖାନାରେ ଶିଶୁ ଚୋରି ଅଭିଯୋଗର ସତ କଣ? ଆଜି ପୁଣି ହେବ କୌଶଲ୍ୟାଙ୍କ ଅଲଟ୍ରାସାଉଣ୍ଡ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ କରାଯିବ । ଗତକାଲି ପ୍ରସବ ପାଇଁ ଆସିଥିବା ମହିଳାଙ୍କ ଅଲଟ୍ରାସାଉଣ୍ଡ କରାଯାଇଥିଲା । ଗର୍ଭରେ ଶିଶୁ ନଥିବା କହିଥିଲେ ଡାକ୍ତର । ଗର୍ଭରେ ପିଲା ନଥିବା ଡାକ୍ତର କହିବା ପରେ ପିଲା ଚୋରି ଅଭିଯୋଗ ଆଣିଲେ ଦମ୍ପତି ।

ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ପୁଲିସକୁ ଜଣାଇବା ସହ ଜିଲ୍ଲା ଚିକିତ୍ସାଳୟକୁ ଯାଂଚ ପାଇଁ ମହିଳାଙ୍କୁ ପଠାଇଛନ୍ତି ମାଥିଲି ଡାକ୍ତରଖାନା କର୍ତୃପକ୍ଷ । ସବୁଠୁ ବଡ଼ କଥା ହେଉଛି, ମହିଳାଙ୍କ ପାଖରେ ମମତା କାର୍ଡ ରହିଛି । ପ୍ରତି ମାସରେ ଗର୍ଭାବସ୍ଥାର ଯାଂଚ କରୁଥିଲେ ସ୍ୱାସ୍ଥ୍ୟ କର୍ମୀ । ପୂରା ଘଟଣା ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ରବିବାର ଗର୍ଭ ଯନ୍ତ୍ରଣା ହେବାରୁ ମାଥିଲି ସବଡିଭିଜନ ସ୍ୱାସ୍ଥ୍ୟକେନ୍ଦ୍ର ଆସିଥିଲେ ବୀରନପାଲି ଗାଁର କୌଶଲ୍ୟା ଭୂମିଆ ଓ ତାଙ୍କ ସ୍ୱାମୀ । ରାତିରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ପରେ ତାଙ୍କୁ ପ୍ରସୂତି କକ୍ଷକୁ ନେଇଥିଲେ ଡାକ୍ତରୀ ଟିମ୍ । କିଛି ସମୟ ପରେ ତାଙ୍କ ପେଟରେ ଶିଶୁ ନଥିବା କହିଥିଲେ ଡାକ୍ତର ।

ଯାହାକୁ ଗ୍ରହଣ କରିପାରିନାହାନ୍ତି ଏହି ଆଦିବାସୀ ଦମ୍ପତି । ତାଙ୍କ ଛୁଆ କେମିତି ଉଭାନ ହୋଇଗଲା ପ୍ରଶ୍ନ ଉଠାଇଛନ୍ତି । ଡାକ୍ତରଙ୍କ କହିବା କଥା, କୌଶଲ୍ୟା ୨ଟି ସନ୍ତାନର ମାଆ । ତାଙ୍କର ଫ୍ୟାମିଲି ପ୍ଲାନିଂ ଅପରେସନ୍ ହୋଇଛି । ପୂର୍ବ ସ୍ୱାମୀଙ୍କୁ ଛାଡ଼ି ସେ ଦ୍ୱିତୀୟ ବିବାହ କରିଛନ୍ତି । ଗର୍ଭଧାରଣର ଯାଂଚ ପାଇଁ ଅଲଟ୍ରାସାଉଣ୍ଡ ପାଇଁ ପରାମର୍ଶ ଦିଆଯାଇଥିଲେ ବି ସେ ଅଲଟ୍ରାସାଉଣ୍ଡ କରିନଥିଲେ । ବାରମ୍ବାର ଗର୍ଭଧାରଣ ନେଇ ଅଭିଯୋଗ କରିବାରୁ ଦିଆଯାଇଥିଲା ମମତା କାର୍ଡ ।