କନକ ବ୍ୟୁରୋ : ଜଣେ ଚେହେରା ଦେଖି ଜଣଙ୍କର ମନ ପଢ଼ି ପାରିବେ କି ? ସାମ୍ନାରେ ଥିବା ବ୍ୟକ୍ତିଙ୍କ କ’ଣ ଭାବୁଛନ୍ତି, ତାଙ୍କ ପୃଷ୍ଟଭୂମି କ’ଣ କହିବା ସମ୍ଭବ କି ? କିଛି ଦିନ ହେଲା ଜଣେ ସାଧୁଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ଯିଏ ମନ ପଢ଼ିପାରଛନ୍ତି ଏବଂ ସବୁ ଠିକ୍ ଠିକ୍ କହୁଛନ୍ତି ବୋଲି ଦାବି କରାଯାଉଛି । ଏହି ଆତ୍ମଘୋଷିତ ବାବାଙ୍କ ନାଁ ହେଉଛି ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ବାବା ଧୀରେନ୍ଦ୍ର ବାଗେଶ୍ୱର ଧାମ୍’ର ସାଧୁ । ଚିରାଚରିତ ଢ଼ଙ୍ଗରେ ପ୍ରବଚନ ଦେଉଛନ୍ତି । ତାଙ୍କ ପାଖକୁ ହଜାର ହଜାର ଲୋକ ତାଙ୍କ ଭବିଷ୍ୟତ ଜାଣିବା ପାଇଁ ଯାଉଛନ୍ତି ।

Advertisment

ବାବା ବାଗେଶ୍ୱର ନାଁରେ ପରିଚିତ ଏହି ସାଧୁଙ୍କ ପାଖକୁ ବଡ଼ ବଡ଼ ନେତା, ଅଭିନେତା ଏବଂ ଶିଳ୍ପପତି ଆସି ତାଙ୍କ ଆର୍ଶୀବାଦ ନେଉଛନ୍ତି । ତେବେ ଏହି ବାବା ଜଣକ ଅନ୍ଧ ବିଶ୍ୱାସର ପ୍ରଚାର କରୁଛନ୍ତି ବୋଲି କିଛି ସଙ୍ଗଠନ ତାଙ୍କ ବିରୋଧରେ ପୁଲିସର ଆଶ୍ରୟ ନେଇଛନ୍ତି । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । ଏହାରି ଭିତରେ ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗୀୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ହିନ୍ଦୁ ସାଧୁଙ୍କ ଉପରେ ଲଗାଯାଉଥଇବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି କୈଳାଶ ବିଜୟବର୍ଗୀୟ ।

ଏଭଳି ଅଭିଯୋଗ ଆସିବା ପରେ ତାଙ୍କ ଶକ୍ତିର ଏକ ସିଧାସଳଖ ପ୍ରମାଣ ଦେଇଛନ୍ତି । ଲାଇଭ୍ ଡେମୋ ଜରିଆରେ ତାଙ୍କ ଶକ୍ତିର ପ୍ରଦର୍ଶନ କରିଛନ୍ତି । ବାବାଙ୍କ ଦରବାର ବସିଥିବା ସମୟରେ ସେ ଉପସ୍ଥିତ ଥିବା ଲୋକଙ୍କୁ ଖୋଲା ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନକୁ ଗ୍ରହଣ କରି ଦର୍ଶକଙ୍କ ମେଳରେ ଥିବା ଜଣେ ସାମ୍ବାଦିକ, ଧୀରେନ୍ଦ୍ର କୃଷ୍ଣଙ୍କ ପରୀକ୍ଷା ନେଇଥିଲେ । ସାମ୍ବାଦିକ ଜଣଙ୍କ ତାଙ୍କ ସମ୍ପର୍କରେ କହିବାକୁ ବାବାଙ୍କୁ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନକୁ ଗ୍ରହଣ କରି ସେହି ସାମ୍ବାଦିକଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରିଥିଲେ ।