ଅଗ୍ନିପଥ ଯୋଜନା କ’ଣ? କାହିଁକି ହେଉଛି ଏହାର ବିରୋଧ? ଜାଣନ୍ତୁ

422

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ବିଶେଷକରି ବିହାର, ଉତରପ୍ରଦେଶରେ ଯୁବକ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ସେନାରେ ମାତ୍ର ଚାରିବର୍ଷକୁ ବିରୋଧ କରି ଯୁବକ ଆନ୍ଦୋଳନ କରୁଛନ୍ତି । ପ୍ରତିବାଦ କରୁଥିବା ଯୁବକଙ୍କ କହିବା ଅନୁସାରେ ୪ ବର୍ଷର ଚାକିରି ପରେ ସେମାନେ କ’ଣ କରିବେ । ୨୧ ବର୍ଷର ଯୁବକ ଚାକିରି କଲା ପରେ ସଶସ୍ତ୍ର ତାଲିମ ନେଇ ଯେତେବେଳେ ଫେରିବେ, ସେତେବେଳେ ତାଙ୍କୁ ଚାକିରି ମିଳିବ କି ନାହିଁ, ତାକୁ ନେଇ ମଧ୍ୟ ଯୁବବର୍ଗ ଆଶଙ୍କା କରିଛନ୍ତି ।

ଅଗ୍ନିପଥ ଯୋଜନା କ’ଣ?
– ସେନାରେ ନିଯୁକ୍ତି ପାଇଁ ‘ଅଗ୍ନିପଥ‘ ଯୋଜନା
– ସାଢ଼େ ୧୭ରୁ ୨୩ ବର୍ଷର ଯୁବକଙ୍କୁ ମିଳିବ ଚାକିରି
– ଏହି ଯୋଜନାରେ ପ୍ରତିବର୍ଷ ଦୁଇଥର ନିଯୁକ୍ତି ମିଳିବ
– ୪ ବର୍ଷ ପାଇଁ ସେନାରେ ହେବେ ଭର୍ତି
– ପ୍ରତିବର୍ଷ ଦୁଇଥର ଲେଖାଏଁ ତିନି ସେନାରେ ୪୫ରୁ ୫୦ ହଜାର ନିଯୁକ୍ତି ଦିଆଯିବ
– ପ୍ରାରମ୍ଭିକ ୬ ମାସ ଟ୍ରେନିଂ, ବାକି ସାଢ଼େ ୩ ବର୍ଷ ଅନ୍ୟାନ୍ୟ ପଦରେ ରହିବେ
– ଏମାନଙ୍କ ୨୫ ପ୍ରତିଶତଙ୍କୁ ସେନାରେ ସ୍ଥାୟୀ ନିଯୁକ୍ତି ମିଳିବ
– ୪ ବର୍ଷ ପରେ ସେବା ନିବୃତ୍ତି

କେନ୍ଦ୍ର ସରକାର ସେନାରେ ନିଯୁକ୍ତି ପାଇଁ ‘ଅଗ୍ନିପଥ‘ ଯୋଜନା ଲଂଚ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ଯୁବବର୍ଗଙ୍କୁ ୪ ବର୍ଷ ପାଇଁ ସେନାରେ ଭର୍ତି କରାଯିବ । ଯେଉଁମାନେ ଏଥିରେ ଯୋଗଦେବେ, ସେମାନଙ୍କୁ ‘ଅଗ୍ନିବୀର’ କୁହାଯିବ । ନୂଆ ଯୋଜନା ଆଧାରରେ ପ୍ରତିବର୍ଷ ତିନି ସେନା ବିଭାଗରେ ପାଖାପାଖି ୪୫ରୁ ୫୦ ହଜାର ନିଯୁକ୍ତି ପାଇବେ । ପୂର୍ବରୁ ସେନାରେ ନିଯୁକ୍ତି ବୟସସୀମା ୧୫ ବର୍ଷ ଯାଏଁ ଧାର୍ଯ୍ୟ ଥିବା ବେଳେ ଏବେ ୪ ବର୍ଷ ହେବାରୁ ଏହାକୁ ବିରୋଧ କରାଯାଉଛି । ବିହାରରେ ଏହି ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ସେଠାକାର ବିରୋଧକାରୀଙ୍କ ଅଭିଯୋଗ ହେଲା, ଯଦି ଜଣେ ବିଧାୟକ ୫ ବର୍ଷ ରହିବା ପରେ ତାଙ୍କୁ ପେନସନ୍ ମିଳିପାରିବ, ତେବେ ସେନାରେ ଭର୍ତି ଯୁବକଙ୍କୁ କାହିଁକି ପେନସନ୍ ମିଳିବନି ।

ଦରମା ଓ ଅବସରକାଳୀନ ଭତ୍ତା
– ପ୍ରଥମ ବର୍ଷ- ମାସିକ ୩୦ହଜାର ଟଙ୍କା, ଦ୍ୱିତୀୟ ବର୍ଷ- ମାସିକ ୩୩ ହଜାର, ତୃତୀୟ ବର୍ଷ- ମାସିକ ୩୬ ହଜାର ଟଙ୍କା, ଚତୁର୍ଥ ବର୍ଷ- ମାସିକ ୪୦ହଜାର ଟଙ୍କା ମିଳିବ
– ଅବସର ପରେ ମିଳିବ ‘ସେବାନିଧି’ ପ୍ୟାକେଜ୍
– ଅବସର ପରେ ପ୍ରତି ଯବାନଙ୍କୁ ମିଳିବ ୧୧ ଲକ୍ଷ ୭୧ହଜାର ଟଙ୍କା

ଅଗ୍ନିବୀର ପ୍ରମାଣପତ୍ର
– ପ୍ରତି ଅଗ୍ନିବୀରଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରମାଣପତ୍ର
– ପ୍ରମାଣପତ୍ର ଦେଖାଇ ପାଇପାରିବେ ଲୋନ୍
– ପ୍ରମାଣପତ୍ର ଦେଖାଇ ସରକାରୀ ଚାକିରି ଆବେଦନ କରିପାରିବେ
– ନିଯୁକ୍ତିରେ କୌଣସି ରେଜିମେଣ୍ଟକୁ ଗୁରୁତ୍ୱ ଦିଆଯିବନି
– ମେରିଟ୍ ବେସିସରେ ଦିଆଯିବ ନିଯୁକ୍ତି

ଅଗ୍ନିପଥ ଯୋଜନା ଦ୍ୱାରା ସେନା ଆହୁରି ଶକ୍ତିଶାଳୀ ହେବ । ଅଗ୍ନିପଥ ଯୋଜନା ସେନା ବାହିନୀର ପ୍ରଭାବକୁ ପ୍ରଭାବିତ କରିବ ନାହିଁ ବୋଲି ସରକାର କହିଛନ୍ତି । ସାରା ଦୁନିଆରେ ଯୁବଗୋଷ୍ଠୀଙ୍କ ଉପରେ ସେନା ନିର୍ଭର କରୁଛି । ତେଣୁ ୨୧ ବର୍ଷ ବୟସର ଯୁବଗୋଷ୍ଠୀ ସେନାରେ କାମ କରିପାରିବା ଉପରେ ଯେଉଁ ପ୍ରଶ୍ନ ଉଠୁଛି ତାହାର ଆଧାର ନାହିଁ ବୋଲି ସରକାର ସ୍ପଷ୍ଟୀକରଣ ରଖିଛନ୍ତି ।
ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ଚାଲିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଥମ ବର୍ଷ ପାଇଁ ସର୍ବାଧିକ ବୟସ ସୀମାକୁ ବଢାଇ ୨୧ରୁ ୨୩ ବର୍ଷ କରିଛନ୍ତି । ସେପଟେ ସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ କହିଛନ୍ତି ଯେ ଆସନ୍ତା ଶୁକ୍ରବାର ଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଆସନ୍ତା ଦୁଇଦିନ ଭିତରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହେବ ।