ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ନବୀନ ନିବାସ ପହଞ୍ଚିଲେ ବିଜେପି ବିଧାୟକ । ଜାଣନ୍ତୁ, ନବୀନ ନିବାସ ଭିତରେ କ’ଣ ହେଲା?

242

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବିଜେପି ବିଧାୟକ ଦଳ ନବୀନ ନିବାସକୁ ଚାଲିବା ଆରମ୍ଭ କରିଥିଲେ । ଆଉ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ପାଦକୁ ଧୋଇ ସ୍ୱାଗତ କରାଯାଇଥିଲା । ଜଣଙ୍କ ପରେ ଜଣେ ବିଧାୟକଙ୍କୁ ଓଡିଆ ସଂସ୍କୃତି ଅନୁସାରେ ସ୍ୱାଗତ କରାଯିବା ସହ ଦିଆଯାଇଥିଲା ସାନିଟାଇଜର ଆଉ ନୁଆ ମାସ୍କ ।

ସୂଚନା ଅନୁସାରେ, ବିଜେଡି କର୍ମୀ ସମସ୍ତ ବିଜେପି ବିଧାୟକଙ୍କ ମୁଣ୍ଡରେ ଚନ୍ଦନ ଟିପା ମାରି ଆଲୋଚନା ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ନେଇ ଯାଇଥିଲେ । ଏହି ସବୁ ଘଟଣାମାନ ଘଟିବା ସମୟରେ ସାଥୀରେ ବିଜେଡି ବିଧାୟକ, ନେତା, ମନ୍ତ୍ରୀ ସବୁ ଉପସ୍ଥିତ ଥିଲେ । ନବୀନ ନିବାସର ପରିସର ଭିତରେ ଥିବା ଖୋଲା ସ୍ଥାନରେ ସମସ୍ତ ବିଧାୟକଙ୍କର ବସିବା ପାଇଁ ବ୍ୟବସ୍ଥା ହୋଇଥିଲା । ଯେଉଁଠି ମୁଖ୍ୟମନ୍ତ୍ରୀ ବସି ସେମାନଙ୍କ ସହ ଆଲୋଚନା କରିଥିଲେ ।

କେଇ ମିନିଟର ଆଲୋଚନା ଭିତରେ ମୁଖ୍ୟମନ୍ତ୍ରୀ କହିଥିଲେ, ସର୍ବଦଳୀୟ ବୈଠକ ଜରିଆରେ ସମସ୍ୟା ସମାଧାନର ରାସ୍ତା ଫିଟିବ । ଆଲୋଚନା ବେଳେ କିଛି ମନ୍ତ୍ରୀଙ୍କୁ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଖାସ କରି ଖାଦ୍ୟ ଯୋଗାଣ ମନ୍ତ୍ରୀ, ଯାହାଙ୍କ ବିଭାଗକୁ ନେଇ ସରଗରମ ରହିଛି ପ୍ରସଙ୍ଗ, ସେ ମଧ୍ୟ ଉପସ୍ଥିତ ଥିଲେ । ନବୀନ ନିବାସ ଭିତରେ ବିଜେପି ବିଧାୟକଙ୍କ ପାଇଁ ଘୋଳଦହି, ପଇଡ ପାଣି, କୋଲଡ୍ରିଙ୍କସ ଆଦି ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ବିଜେଡି ନେତା, ବିଜେପି ବିଧାୟକଙ୍କୁ ଆପ୍ୟାୟିତ କରିଥିଲେ । ଆଉ ଏହାପରେ ବାହାରକୁ ବାହାରିଥିଲେ ମୁଖ୍ୟମନ୍ତ୍ରୀ ଖୋଜିବାକୁ ଆସିଥିବା ବିଜେପି ବିଧାୟକ ।