ପଶ୍ଚିମବଙ୍ଗରେ ଖୁବଶୀଘ୍ର ଲଂଚ୍ ହେବାକୁ ଯାଉଛି ‘ଷ୍ଟୁଡେଣ୍ଟ କ୍ରେଡିଟ କାର୍ଡ’ । ଉଚ୍ଚଶିକ୍ଷା ପାଇଁ ତୁରନ୍ତ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

238

କନକ ବ୍ୟୁରୋ : ପଶ୍ଚିମବଙ୍ଗ କ୍ୟାବିନେଟ୍ ଗୁରୁବାର ଦିନ ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି   । ଏହି କାର୍ଡ ସହାୟତାରେ ଛାତ୍ର ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ ।

ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ନିର୍ବାଚନ ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ କରାଯାଇଛି । ଏହି ଷ୍ଟୁଡେଣ୍ଟ କ୍ରେଡିଟ କାର୍ଡ ମାଧ୍ୟମରେ ପଶ୍ଚିମବଙ୍ଗରେ ୧୦ ବର୍ଷ ଧରି ବସ ବାସ କରୁଥିବା କୌଣସି ବି ଛାତ୍ର ଛାତ୍ରୀ ଏହାର ଲାଭ ଉଠାଇ ପାରିବେ । ଭାରତ କିମ୍ବା ବିଦେଶରେ ଗ୍ରାଜୁଏସନ, ପୋଷ୍ଟ-ଗ୍ରାଜୁଏସନ,ଡକ୍ଟରେଟ୍ ଓ ଅନ୍ୟ ଉଚ୍ଚ ଶିକ୍ଷା ପାଇଁ ଏହି କ୍ରେଡିଟ କାର୍ଡ ମାଧ୍ୟମରେ ଛାତ୍ର ଛାତ୍ରୀମାନେ ଋଣ ନେଇ ପାରିବେ । ଜୁନ ୩୦ ତାରିଖରୁ ରାଜ୍ୟରେ ଏହି ଯୋଜନା ଲାଗୁ ହେବ ବୋଲି ମମତା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି, ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଏହି କାର୍ଡର ବ୍ୟବହାର କରିପାରିବେ । ଏବେ କୌଣସି ପିଲାକୁ ପାଠ ପଢାଇବାକୁ ଅବିଭାବକ ମାନଙ୍କୁ କାହା ପାଖରେ ହାତ ପାତିବା ବା ଘର ବାଡି ବିକ୍ରି କରିବାକୁ ପଡିବ ନାହିଁ । ଅନ୍ୟପଟେ ଏହି ଋଣ ପରିଶୋଧ କରିବାକୁ ପୁରା ୧୫ ବର୍ଷ ସମୟ ଦିଆଯିବ ବୋଲି ମମତା କହିଛନ୍ତି । ଏହାସହ ଏହି କାର୍ଡ ପାଇବାକୁ ଛାତ୍ର ଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।