ପଶ୍ଚିମବଙ୍ଗ : ପେଗାସସ୍ ମାମଲାର ଯାଂଚ ପାଇଁ ମମତା ସରକାର ଗଠନ କଲେ ପ୍ୟାନେଲ । ସମ୍ଭାବ୍ୟ ତାଲିକାରେ ରହିଛି ଅଭିଷେକ ବାନାର୍ଜୀଙ୍କ ନାମ

171

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ପେଗାସସ୍ ମାମଲାର ଯାଂଚ ପାଇଁ ଏକ ପ୍ୟାନେଲ ଗଠନ କରିଛନ୍ତି । ଅବସରପ୍ରାପ୍ତ ଜଷ୍ଟିସ ଏମବି ଲୋକୁର ଓ ଜ୍ୟୋର୍ତିମୟ ଭଟ୍ଟାଚାର୍ଯ୍ୟଙ୍କୁ ଏହି ପ୍ୟାନେଲର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ତୃଣମୂଳ କଂଗ୍ରେସର ସାଂସଦ ତଥା ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନର୍ଜୀଙ୍କ ନାମ ଏହି ତାଲିକାରେ ଆସିବା ପରେ ମମତା ବାନାର୍ଜୀ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏହି ପ୍ୟାନେଲ ଗଠନକୁ ନେଇ ମମତା ବାନାର୍ଜୀ କହିଛନ୍ତି କି ପେଗାସସ୍ ସ୍ପାଏୱୟର ମାଧ୍ୟମରେ କିଭଳି ଫୋନ ହ୍ୟାକିଂ ହୋଇଛି ତାହା ଉପରେ ଯାଂଚ ହେବ । ଏହାସହ ଏଭଳି ଛୋଟ ପଦକ୍ଷେପ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ସଜାଗ କରିବ ବୋଲି ସେ କହିଛନ୍ତି ।

କହିରଖୁ କି ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଏହି ମାମଲାକୁ ନେଇ ଉଭୟ ସଦନରେ ବିରୋଧୀମାନେ ସରକାରଙ୍କୁ ଘେରୁଛନ୍ତି । କଂଗ୍ରେସ ନେତା ପି. ଚିତାମ୍ବରମ କହିଛନ୍ତି କି ଏହି ମାମଲାରେ ଜଏଣ୍ଟ ପାଲ୍ୟାମେଣ୍ଟାରୀ କମିଟି (ଜେପିସି) ଗଠନ କରି ଯାଂଚ କରିବାର ଆବଶ୍ୟକତା ରହିଛି । ଏହାସହ ସୁପ୍ରିମକୋର୍ଟରେ ଯାଂଚ ପାଇଁ ସ୍ୱତନ୍ତ୍ର ଜଜ୍ ନିଯୁକ୍ତ କରିବାର ଆବଶ୍ୟକତା ରହିଛି । ଅନ୍ୟପଟେ ସିପିଆଇ (ଏମ)ର ଜଣେ କେରଳ ସାଂସଦ ଏନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି ।

ଅନ୍ୟପଟେ ଶିବସେନା ମୁଖପାତ୍ର ସଂଜୟ ରାୱତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି ଇଜ୍ରାଇଲରୁ ପେଗାସସ୍ ସଫ୍ଟୱେୟାର କିଣିବାରେ କିଏ ଅର୍ଥ ବିନିଯୋଗ କରିଛି ବୋଲି ସରକାର ପ୍ରଥମେ ପ୍ରମାଣ କରନ୍ତୁ ।