କନକ ବ୍ୟୁରୋ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ ଲିଙ୍ଗ ପରିବର୍ତ୍ତନ କରିବେ । ଏନେଇ ସେ ସେକ୍ସ ରିଓସାଇନମେଣ୍ଟ ଅପରେଶନ କରାଇବେ । କିଛିଦିନ ତଳେ ଏକ ସଭାକୁ ଉଦବୋଧନ ଦେଇ ସୁଚେତନା ନିଜକୁ ତୃତୀୟ ଲିଙ୍ଗୀ ବୋଲି ଘୋଷଣା କରିଥିଲେ । ଏହାସହ ସେ କହିଥିଲେ କି ଅପରେଶନ ପରେ ସେ ସୁଚେତନ ନାମରେ ପରିଚିତ ହେବେ ।

Advertisment

ତୃତୀୟଲିଙ୍ଗୀ କାର୍ଯ୍ୟକର୍ତ୍ତା ସୁପର୍ବା ରାୟ ଏକ ଫଟୋ ପୋଷ୍ଟ କରି କହିଥିଲେ କି ସୁଚେତନା ଜଣେ ତୃତୀୟ ଲିଙ୍ଗୀ ମହିଳା । ସୁଚେତନା ବି ଏହି ଖବରକୁ ସ୍ୱୀକାର କରିଥିଲେ ଓ କହିଥିଲେ କି ମହିଳାରୁ ସେ ପୁରୁଷ ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ମହିଳାରୁ ପୁରୁଷ ହେବାକୁ ଯେଉଁ ସବୁ ଆଇନ ରହିଛି ସେ ଅପରେଶନ ପୂର୍ବରୁ ତାହା ପାଳନ କରିବେ ।

ସୁଚେତନା କହିଛନ୍ତି କି ସେ ସ୍କୁଲରେ ପଢୁଥିବା ବେଳେ ତାଙ୍କ ଭିତରେ ପୁରୁଷର ଲକ୍ଷଣ ବିକଶିତ ହୋଇଥିଲା । ସମୟ ଗଡିବା ସହ ଏହି ଅନୁଭବ ତାଙ୍କ ଭିତରେ ବଢି ଚାଲିଥିଲା । ଏବେ ସେ ଶାରୀରିକ ଓ ମାନସିକ ଭାବେ ଜଣେ ପୁରୁଷ ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ଏନେଇ ସେ ପରିବାର ଲୋକଙ୍କ ସହ ମଧ୍ୟ ଆଲୋଚନା କରିସାରିଛନ୍ତି ।

ସୁଚେତନା ସମସ୍ତ ରାଜନୈତିକ ଦଳମାନଙ୍କୁ ତୃତୀୟ ଲିଙ୍ଗକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । ଏହା ଫଳରେ ସମାଜ ସେମାନଙ୍କୁ ଭଲଭାବେ ବୁଝିପାରିବ ଓ ବିଭିନ୍ନ ସମୟରେ ସେମାନେ ଯେଭଳି ଭାବେ କଟାକ୍ଷର ଶିକାର ହେଉଛନ୍ତି ତାହା ବନ୍ଦ ହେବ ବୋଲି ସୁଚେତନା କହିଛନ୍ତି ।