କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ରାଜ୍ୟର ବିଧାୟକଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ଏବେ ପଶ୍ଚିମବଙ୍ଗର ବିଧାୟକମାନେ ୪୦ ହଜାର ଟଙ୍କା ମାସିକ ଅଧିକ ଦରମା ପାଇବେ । ହେଲେ ନିଜ ଦରମାର କୌଣସି ବୃଦ୍ଧି ହୋଇନଥିବା କଥା କହିଛନ୍ତି ମମତା ବାନାର୍ଜୀ । କାରଣ ଦୀର୍ଘବର୍ଷ ହେବ ମମତା ବାନାର୍ଜୀ ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀ ପଦରେ ଥିଲେ ବି ରାଜକୋଷରୁ ଦରମା ନେଇନଥାନ୍ତି ।

Advertisment

ମମତା କହିଛନ୍ତି କି, ଅନ୍ୟ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗରେ ବିଧାୟକଙ୍କ ଦରମା ବହୁତ କମ୍ । ଏହି କାରଣରୁ ଏବେ ସେମାନଙ୍କର ମାସିକ ଦରମା ୪୦ ହଜାର ଟଙ୍କା ବୃଦ୍ଧି କରାଯାଇଛି । କେବଳ ବିଧାୟକ ନୁହଁନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀମାନଙ୍କର ଦରମା ମଧ୍ୟ ବୃଦ୍ଧି ପାଇଛି । ଏବେ ରାଜ୍ୟର ମନ୍ତ୍ରୀମାନଙ୍କର ଦରମା ୧୦,୯୦୦ ଟଙ୍କା ବୃଦ୍ଧି ପାଇ ୫୦,୯୦୦ ଟଙ୍କାରେ ପହଂଚିଛି । ସେହିଭଳି କ୍ୟାବିନେଟ ମନ୍ତ୍ରୀମାନଙ୍କର ଦରମା ୧୧ ହଜାର ଟଙ୍କା ବୃଦ୍ଧି ପାଇ ୫୧ ହଜାର ଟଙ୍କାରେ ପହଂଚିଛି ।

ପଶ୍ଚିମବଙ୍ଗ ସରକାରଙ୍କର ଜଣେ ଅଧିକାରୀଙ୍କ କହିବା ମୁତାବକ ଏବେ ବିଧାୟକମାନେ ମାସିକ ଦରମା ଓ ଭତାକୁ ମିଶାଇ ମୋଟ ୧.୨୧ ଲକ୍ଷ ଟଙ୍କା ପାଇବେ । ସେହିଭଳି ମନ୍ତ୍ରୀମାନେ ଦରମା ଓ ଭତାକୁ ମିଶାଇ ମାସିକ ୧.୫୦ ଲକ୍ଷ ଟଙ୍କା ପାଇବେ ।