କରୋନା କାଳରେ ଅନ୍ନଦାତାଙ୍କ ପାଇଁ ଖୁସି ଆଣିଲା ପାଣିପାଗ ବିଭାଗ ଆକଳନ । ସ୍ୱାଭାବିକ୍ ଠାରୁ କମ୍ ବର୍ଷା ଚାଷୀଙ୍କ ଚିନ୍ତାରେ ପକାଇଥିବାବେଳେ ଆସନ୍ତା ୪ରୁ ହୋଇପାରେ ଲଘୁଚାପ । ଫଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ର ।

193

କନକ ବ୍ୟୁରୋ: କରୋନା ଭିତରେ ଚାଷୀଙ୍କ ପାଇଁ ଖୁସି ଖବର । ସ୍ୱାଭାବିକ୍ ଠାରୁ କମ୍ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଉଥିବା ବେଳେ ପାଣିପାଗ ବିଭାଗର ଆକଳନ ଚାଷୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି । ଆସନ୍ତା ୪ ତାରିଖରେ ଉତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଆସନ୍ତା ୪ ଏବଂ ୫ ତାରିଖରେ ସାରା ଓଡ଼ିଶାରେ ବର୍ଷା ହେବାର ସଂଭାବନା ରହିଛି ।

ତେବେ ଆଁ କରିଥିବା ମାଟି ଏବଂ ମୁଣ୍ଡରେ ହାତ ଦେଇ ବସିଥିବା ଚାଷୀ, ନିରାଶାର ଏହି ଚିତ୍ର ଭିତରେ ଆଶ୍ୱସ୍ତି ଆଣିଛି ପାଣିପାଗ ବିଭାଗର ଆକଳନ । ଦିନକ ପରେ ଉତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ଏହି ଲଘୁଚାପ ପ୍ରଭାବରେ ସାରା ଓଡିଶାରେ ବର୍ଷା ହେବାର ସଂଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୩ ତାରିଖ ଓଡ଼ିଶାର ମାଲକାନଗିିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସଂଭାବନା ରହିଛି ।

ଅନ୍ୟପଟେ ୪ ତାରିଖରେ ଢ଼େଙ୍କାନାଳ, ଯାଜପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ମାଲକାନଗିିରି, କୋରାପୁଟ, ପୁରୀ, ଜଗତସିଂପୁର, କେନ୍ଦ୍ରପଡ଼ା, କେନ୍ଦୁଝର, ବୌଦ୍ଧ, ଅନୁଗୁଳ, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୫ତାରିଖରେ ସମ୍ବଲପୁର,ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସଂଭାବାନ ଥିବା ବେଳେ କଟକ, ଢ଼େଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁରରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ୬ ତାରିଖରେ ବରଗଡ଼, ଦେବଗଡ଼ ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି ।

ବଡ଼ କଥା ହେଉଛି ଜୁନ୍ ୧ ତାରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ଓଡ଼ିଶାର ୧୩ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ଗ୍ରାଫିକ୍ସ-ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ମୟୁରଭଞ୍ଜ, କେନ୍ଦୁଝର, ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର ଭଳି ୧୩ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ଏହି ଗୋଟିଏ ମାସ ଭିତରେ ଓଡ଼ିଶାରେ ୪୮୮.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୧୭% କମ । ପୁରୀ ଜିଲ୍ଲାରେ ସର୍ବନିମ୍ନ ୫୩% କମ ବର୍ଷା ହୋଇଛି । ଆଉ ଏସବୁ ଭିତରେ ପାଣିପାଗ ବିଭାଗ ବର୍ଷା ନେଇ କରିଥିବା ପୂର୍ବାନୁମାନ ଏବଂ ଲଘୁଚାପର ସଂଭାବନା ଓଡ଼ିଶାର ଚାଷୀକୂଳକୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି ।