ସଟଡାଉନ୍ ବେଳେ କଡ଼ାକଡ଼ି ଯାଞ୍ଚ : ଭୁବନେଶ୍ବରରେ ୪୩, କଟକରେ ୨୫ ଚେକ୍‌ ପୋଷ୍ଟ; ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

172

କନକ ବ୍ୟୁରୋ : ସଟ୍‌ଡାଉନ୍ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଭୁବନେଶ୍ବର ଓ କଟକରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିଠାରୁ ସଟ୍‌ଡାଉନ୍ ହେଲେ ମଧ୍ୟ ଗତକାଲି ରାତି ୯ଟାରୁ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ପାଇଁ ୨୫ଟି ଚେକ୍‌ ପୋଷ୍ଟ ହୋଇଥିବା ବେଳେ ସଟଡାଉନ୍ ପାଇଁ ଆହୁରି ୧୮ଟି ନୂଆ ଚେକ୍ ପୋଷ୍ଟ କରାଯାଇଛି । ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ଏହି ଚେକ୍‌ ପୋଷ୍ଟ ରହିଛି । ସୁରକ୍ଷା ବ୍ୟବସ୍ଥାରେ ୨୦ ପ୍ଲାଟୁନ୍ ଫୋର୍ସ ଓ ୧୫୦ ଅଫିସର ନିୟୋଜିତ  ।

ସେହିପରି କଟକରେ ମୋଟ ୨୫ଟି ଚେକ୍‌ ପୋଷ୍ଟ କରାଯାଇଛି । ଏଥିରେ ୧୨ ପ୍ଲାଟୁନ୍ ଫୋର୍ସ ଓ ୧୦୦ ଅଫିସର ମୁତୟନ ହୋଇଛନ୍ତି । ପିସିଆର୍‌ ଭ୍ୟାନ୍, ସବୁ ଥାନାର ଭ୍ୟାନ୍ ଓ ଜୋନ୍ ଏସିପିମାନେ ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ କରିବେ । ମେଡିକାଲ, ବିଦ୍ୟୁତ, ଜଳଯୋଗାଣ, ପେଟ୍ରୋଲ ପମ୍ପ, ଟେଲିକମ୍, କନଷ୍ଟ୍ରକସନ୍ ଭଳି ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ ବୋଲି ଗତକାଲି କମିସନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ଯେଉଁମାନେ ଅମାନିଆ ହେବେ କିମ୍ବା ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।