କରୋନା ବେଳେ ଚାଲିଥିଲା ଧୂମଧାମରେ ବାହାଘର । ଏକାଠି ହୋଇଥିଲେ ୨୦୦ରୁ ଅଧିକ ଲୋକ । ହଠାତ ପହଞ୍ଚିଲା ପୋଲିସ, ପାଚେରୀ ଡେଇଁ ଦୌଡି ପଳାଇଲେ ବର-କନ୍ୟା ।

373

କନକ ବ୍ୟୁରୋ : ପୋଲିସ ପହଞ୍ଚିଲା, ବାହାଘର ଅଧାରେ ଅଟଳିଲା । ପାଚେରୀ ଡେଇଁ ଦୌଡି ପଳାଇଲେ ବର-କନ୍ୟା । ଧୂମଧାମରେ ଚାଲିଥିଲା ବାହାଘର । ହଠାତ ପହଂଚିଗଲା ପୋଲିସ । ମଣ୍ଡପ ଛାଡି ପାଚେରୀ ଡେଇଁ ଦୌଡି ପଳାଇଲେ ବରକନ୍ୟା । କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ, ଅନେକ ରାଜ୍ୟରେ ବିବାହ ଉତ୍ସବ ଉପରେ କଟକଣା ଜାରି କରାଯାଇଛି । କିନ୍ତୁ ଅନେକ ସ୍ଥାନରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି । ଆଉ ପଞ୍ଜାବରୁ ଆସିଛି କିଛି ରୋଚକ ଘଟଣା ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବରେ ବିବାହ ଉତ୍ସବ ଉପରେ କଟକଣା ଜାରି କରାଯାଇଛି । ଉଭୟ ବର ଓ କନ୍ୟାଙ୍କ ପକ୍ଷରୁ ମାତ୍ର ୨୦ଜଣଙ୍କୁ ନେଇ ବିବାହ ଉତ୍ସବକୁ ଅନୁମତି ଥିବା ବେଳେ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଆଣିବା ପାଇଁ ବି ନିୟମ କରାଯାଇଛି । କିନ୍ତୁ ପଟିଆଲାର ରାଜପୁରା ଟାଉନରେ କୋଭିଡ୍ ନିୟମର ଧଜିଆ ଉଡିଯାଇଛି ।

ପ୍ରଶାସନର ବିନା ଅନୁମତିରେ ଚାଲିଥିଲା ବାହାଘର । ଆଉ ବାହାଘରରେ ସାମିଲ ହୋଇଥିଲେ, ୨ ଶହରୁ ଅଧିକ ଲୋକ । ସାମାଜିକ ଦୂରତା ତ ଦୂରର କଥା, କାହାରି ମୁହଁରେ ମାସ୍କ ବି ନଥିଲା । ତେବେ ପୋଲିସ ଏବାବଦରେ ଖବର ପାଇବା ପରେ ପୂରା ଫୋର୍ସ ବିବାହ ମଣ୍ଡପରେ ପହଂଚିଯାଇଥିଲା । ଆଉ ଯେମିତି ପୋଲି୍ସ ମଣ୍ଡପରେ ପହଂଚିଛି, ପୋଲିସ ଦେଖିବା ମାତ୍ରେ ହିଁ ଇଆଡେ ସିଆଡେ ଦୌଡିବାକୁ ଲାଗିଲେ ଉଭୟ ବର ଓ କନ୍ୟା ପକ୍ଷ । କେବଳ ଏତିକି ନୁହେଁ, ବର ଓ କନ୍ୟା ମଧ୍ୟ ମଣ୍ଡପରୁ ଉଠି ପାଚେରୀ ଡେଇଁ ଦୌଡି ପଳାଇଥିଲେ ।

ତେବେ ପୋଲିସର କହିବା ଅନୁଯାୟୀ, ବିବାହ ଉତ୍ସବରେ କେହି କରୋନାର କିଛି ବି ନିୟମ ପାଳନ କରିନଥିଲେ । ୨୦୦ରୁ ଅଧିକ ଲୋକ ଏକାଠି ହୋଇଥିବା ବେଳେ, କୋଭିଡ୍ ନିୟମର ଧଜିଆ ଉଡିଯାଇଥିଲା । ତେବେ ଉଭୟ ବର ଓ କନ୍ୟାପକ୍ଷଙ୍କ ବିରୋଧରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ଏବଂ ପୋଲିସର ବରିଷ୍ଠ ଅଧିକାରୀ କହିଛନ୍ତି, ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ସାରା ଦେଶରୁ ବିବାହ ଉତ୍ସବରେ ପ୍ରବଳ ଭିଡ ଜମୁଥିବାର ଅନେକ ଖବର ସାମ୍ନାକୁ ଆସୁଛି । କରୋନା ସଂକ୍ରମଣ ଦିନକୁ ଦିନ ଅଧିକ ସକ୍ରିୟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଆଉ ଏତିକିବେଳେ ସମସ୍ତଙ୍କୁ ଅଧିକ ସତର୍କ ଓ ସଚେତନ ହେବାର ଆଶଙ୍କା ମଧ୍ୟ ରହିଛି । ଯଦି ଆମେ ନିୟମକୁ ନମାନିବା ତେବେ କ୍ଷତି ଆମର ହିଁ ହେବ । କୋଭିଡ୍ ନିୟମର ସଠିକ ଭାବେ ପାଳନ କରନ୍ତୁ, ସୁରକ୍ଷିତ ରୁହନ୍ତୁ । ମୁହଁରେ ସବୁବେଳେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ ।