ରୋହିତଙ୍କୁ ପ୍ରଂଶସାରେ ପୋତିଲେ ବୋଲର । କହିଲେ, ରୋହିତଙ୍କ ଭଳି କ୍ୟାପଟେନ୍ କେବେ ବି ଦେଖିନି

ସବୁଠି ଏବେ ଭାରତ-ବାଂଲାଦେଶ ଟେଷ୍ଟକୁ ନେଇ ଚର୍ଚ୍ଚା । ଟିମ୍ ଇଣ୍ଡିଆ ଏବେ ଏହି ସିରିଜରେ ୧-୦ରେ ଆଗୁଆ ଥିବାବେଳେ, ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ହେଲେ ଏହାରି ଭିତରେ କିନ୍ତୁ ଭାରତୀୟ ଦ୍ରୁତ ବୋଲର ଆକାଶ ଦୀପ, କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ନେଇ ଦେଇଛନ୍ତି ଏକ ବଡ ବୟାନ ।

ନିଜ ବୟାନରେ ଆକାଶ ଦୀପ ରୋହିତଙ୍କୁ ପ୍ରଂଶସାରେ ପୋତି ପକାଇ ଥିବାବେଳେ, ରୋହିତଙ୍କ ଭଳି କ୍ୟାପଟେନ୍ ସେ କେବେ ବି ଦେଖିନାହାଁନ୍ତି ବୋଲି କହିଛନ୍ତି । ତେବେ ଅନେକ ସମୟରେ ରୋହିତଙ୍କ କ୍ୟାପଟେନ୍ସିଂକୁ ନେଇ ଖୁବ୍ ଚର୍ଚ୍ଚା ହୁଏ । ଖାସ୍ କରି ତାଙ୍କ ମଜାଳିଆ ଅନ୍ଦାଜ, ଆଉ ବୋଲରମାନଙ୍କ ସହ ତାଙ୍କ ଭଲ ସମ୍ପର୍କକୁ ନେଇ ଅଧିକାଂଶ ଟିମ୍ ପ୍ଲେୟାର ତାଙ୍କ ପ୍ରଂଶସା କରନ୍ତି । ଆଉ ଏହି ଲିଷ୍ଟରେ ଏବେ ସାମିଲ ହେଇଛନ୍ତି ଦ୍ରୁତ ବୋଲର ଆକାଶ ଦୀପ ।

ଭାରତ ଆଉ ବାଂଲାଦେଶ ଭିତରେ ଚାଲିଥିବା ଚେନ୍ନାଇ ଶେଷ ହେଲା ପରେ, ଆକାଶ ଦୀପ କହିଥିଲେ ଯେ, ରୋହିତ ଶର୍ମା ହେଉଛନ୍ତି ବେଷ୍ଟ କ୍ୟାପଟେନ୍, ଯାହାଙ୍କ ଅଣ୍ଡରରେ ମୁଁ ଖେଳୁଛି । ରୋହିତ ଶର୍ମାଙ୍କ ଅଣ୍ଡରରେ ଖେଳୁଥିବାରୁ ନିଜକୁ ଲକି ବୋଲି କହିଥିଲେ ଆକାଶଦୀପ । ଖାଲି ସେତିକି ନୁହେଁ, ସେ ଦେଖିଥିବା କ୍ୟାପଟେନମାନଙ୍କ ଭିତରୁ ରୋହିତ ଶର୍ମା ବହୁତ ଅଲଗା ବୋଲି ସେ କହିଛନ୍ତି ।

ଭାରତ-ବାଂଲାଦେଶ ଚେନ୍ନାଇ ଟେଷ୍ଟରେ ପ୍ଲେଇଙ୍ଗ୍ ଇଲେଭେନରେ ସ୍ଥାନ ପାଇଥିଲେ ଆକାଶ ଦୀପ । ଜଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କ ସହ ତୃତୀୟ ପେସ୍ ବୋଲର ଭାବେ ତାଙ୍କୁ ଦଳରେ ସ୍ଥାନ ଦେଇଥିଲେ କ୍ୟାପଟେନ୍ ରୋହିତ ଶର୍ମା । ତେବେ ରୋହିତଙ୍କ ଡିସିସନକୁ ସତ ସାବ୍ୟସ୍ତ କରି, ଆକାଶ ଦୀପ ନେଇଥିଲେ ଲଗାତାର ଦୁଇ ଓ୍ୱିକେଟ୍ । ଚେନ୍ନାଇ ଟେଷ୍ଟର ପ୍ରଥମ ଇଂନିସରେ ଧୂଆଁଧାର ବୋଲିଂ କରି ଆକାଶ ଦୀପ ବାଂଲାଦେଶର ଅଣ୍ଟା ଭାଙ୍ଗି ଦେଇଥିଲେ ।

ବାଂଲାଦେଶ ଟେଷ୍ଟ ପୂର୍ବରୁ ଆକାଶ ଦୀପ ଇଂଲଣ୍ଡ ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ । ରାଂଚିରେ ଖେଳାଯାଇଥିବା ଏହି ମ୍ୟାଚରେ ସେ ମୋଟ ୩ଟି ଓ୍ୱିକେଟ୍ ନେଇଥିଲେ । ଆଉ ବର୍ତମାନ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ୨ ଓ୍ୱିକେଟ୍ ନେବା ସହ ମୋଟ ୨ଟି ମ୍ୟାଚରୁ ନେଇଛନ୍ତି ୫ ଓ୍ୱିକେଟ୍ ।

ଆକାଶ ଦୀପ ଘରୋଇ କ୍ରିକେଟରେ ଜଣେ ସଫଳ ଦ୍ରୁତ ବୋଲର । ଆଜି ପର୍ୟ୍ୟନ୍ତ ସେ ଘରୋଇ କ୍ରିକେଟରେ ୩୩ଟି ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳିବା ସହ ୨୮ଟି ଲିଷ୍ଟ ଏ ମ୍ୟାଚ୍ ଆଉ ୪୨ଟି ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି । ଫାଷ୍ଟା କ୍ଲାସ୍ ମ୍ୟାଚରେ ସେ ୧୧୮ଟି ଓ୍ୱିକେଟ୍ ନେଇସାରିଥିବାବେଳେ, ଲିଷ୍ଟ ଏରେ ୪୨ ଓ୍ୱିକେଟ୍ ନେଇସାରିଛନ୍ତି । ଆଉ ଏବେ ଭାରତୀୟ ଟିମରେ ମଧ୍ୟ ସଫଳ ହେଇଚାଲିଛନ୍ତି ଦ୍ରୁତ ବୋଲର ଆକାଶ ଦୀପ ।