କାହାର ବି କଟିବନି ରାସନ୍ କାର୍ଡ

ଆପଣ ଯଦି, ରାସନ୍ କାର୍ଡରେ ଚାଉଳ ପାଉଛନ୍ତି । ଆଉ ରାସନ୍ କାର୍ଡ କଟିଯିବ ବୋଲି ଦ୍ୱନ୍ଦ୍ୱରେ ଅଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଖୋଦ୍ ଯୋଗାଣ ମନ୍ତ୍ରୀ କହିଛନ୍ତି, କାହାର ବି କଟିବନି ରାସନ୍ କାର୍ଡ ।

ଗାଁ ମାନଙ୍କରେ ମାସକୁ ୧୦ ହଜାର ଆଉ ସହରରେ ମାସକୁ ୧୫ ହଜାର ଟଙ୍କା ଆୟ କରୁଥିଲେ ରାସନ୍ କାର୍ଡ କଟିଯିବ ବୋଲି ଯେଉଁ ଚର୍ଚ୍ଚା ହେଉଛି, ସେମିତି କିଛି ବି ହେବନି ବୋଲି କହିଛନ୍ତି ମନ୍ତ୍ରୀ ।

ଗୁରୁବାର ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ନେଇ ଆଲୋଚନା ହୋଇଥିଲା । ଏହି ସମୟରେ ବିଜେଡି ବିଧାୟକମାନେ କହିଥିଲେ, ରାଜ୍ୟରେ ଜଣେ ଶ୍ରମିକ ଦିନକୁ ୫୦୦ ଟଙ୍କାରୁ ଅଧିକ ରୋଜଗାର କରୁଛି । ଏମିତି ହେଲେ, ଜଣେ ଶ୍ରମିକର ମାସିକ ମଜୁରି ହିସାବ କଲେ, ସବୁ ରାସନ୍ କାର୍ଡ କଟିଯିବ ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି, ଆମେ କାହାର ରାସନ୍ କାର୍ଡ କାଟିବୁନି । ୧୦ ହଜାର ଓ ୧୫ ହଜାର ମାସିକ ଆୟ କଥା କେନ୍ଦ୍ର ଗାଇଡ୍‌ଲାଇନ୍‌ରେ ଅଛି । ହେଲେ କାହାର ବି ରାସନ୍ କାର୍ଡ କଟିବନି ବୋଲି ମନ୍ତ୍ରୀ କହିଥିଲେ ।