ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ଜଳକା । ସୁବର୍ଣ୍ଣରେଖା ଯୋଗୁଁ ବାଲେଶ୍ୱରର ୩ ବ୍ଲକରେ ବନ୍ୟା ସ୍ଥିତି । ବାଲିଆପାଳ, ଜଳେଶ୍ୱର, ଭୋଗରାଇରେ ବନ୍ୟା ସ୍ଥିତି ଦେଖା ଦେଇଛି । ପୂର୍ଣ୍ଣମୀ ଯୋଗୁଁ ହୋଇପାରୁନାହିଁ ଜଳ ନିଷ୍କାସନ । ସୁବର୍ଣ୍ଣରେଖାର ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଏବେ ୧୧.୬ ମିଟରରେ ଜଳ ପ୍ରବାହିତ ହେଉଛି । ଜଳକାର ମଟାନି ଠାରେ ବିପଦ ସଂକେତ ୬.୫ ମିଟର ଥିବା ବେଳେ ଏବେ ୬.୬ ମିଟର ରେ ଜଳ ପ୍ରବାହିତ ହେଉଛି। ଆଉ ଗୋଟିଏ ଦିନ ପରେ ଜଳ ସ୍ତର କମିବା ନେଇ ଜଳ ସମ୍ପଦ ବିଭାଗର ସୂଚନା।

ସେପଟେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳ। ଘରେ ପଶିଲାଣି ପାଣି। ବନ୍ଧ ଉପରେ ପାଲ ତଳେ ଜୀବନ କାଟୁଛନ୍ତି ଲୋକେ। ଗତକାଲି ରାତିରେ ସୁବର୍ଣ୍ଣରେଖା ନଦୀରେ ପାଣି ବଢିବା ପରେ ଟାପୁ ଭିତରେ ଥିବା ଲୋକଙ୍କ ଘରେ ପାଣି ପଶିଛି। ଫଳରେ ରାତିରେ ପିଲାଙ୍କୁ ନେଇ ବନ୍ଧ ଉପରକୁ ପଳାଇ ଆସିଛନ୍ତି ଗାଁ ଲୋକ। ରାସ୍ତାରେ ତମ୍ପୁ ଟାଣି ଜୀବନ ବିତାଉଛନ୍ତି। ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତର ୫୦ରୁ ଅଧିକ ପରିବାର ଏବେ ବନ୍ଧ ଉପରେ ଆଶ୍ରୟ ନେଉଛନ୍ତି। ସୁବର୍ଣ୍ଣରେଖା ନଦୀ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଭୋଗରାଇ ବ୍ଲକର ପୂର୍ବକୁହ୍ଲା ଗାଁରୁ ଉଦ୍ଧାର କାର୍ୟ୍ୟ ଚାଲିଛି। ପ୍ରସାଶନ ପକ୍ଷରୁ ନିୟୋଜିତ ହୋଇଥିବା ବୋଟ୍‌ରେ ଲୋକଙ୍କୁ ପାଣି ଘେରରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ସେପଟେ ପାଣିଘେରରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ଏନଡିଆରଏଫ।

ଉତ୍ତର ବାଲେଶ୍ଵରର ବନ୍ୟା। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ। ପାଣି ଘେରରେ ୩୦ରୁ ଅଧିକ ଗାଁ। ବାଲେଶ୍ଵରର ବୁଢାବଳଙ୍ଗ, ଜଳକା, ସୁବର୍ଣ୍ଣରେଖା ଏବଂ ପଳପଳା ନଦୀର ବନ୍ୟା ଜଳ ଆସି ସମଗ୍ର ଉତ୍ତର ବାଲେଶ୍ଵରକୁ ଦୋହଲାଇ ଦେଇଛି। ସମସ୍ତ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ସକାଳ ୬ ସୁଦ୍ଧା ୧୧ ଦଶମିକ ୫୫ ମିଟର ରହିଛି। ରାଜଘାଟ ଠାରେ ବିପଦ ସଂକେତ ରହିଛି ୧୦ ଦଶମିକ ୩୬ ମିଟର। ଜାମଶୋଳା ଘାଟ ନିକଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୫୧ ମିଟର ରହିଥିବା ବେଳେ ଏହାର ବିପଦ ସଂକେତ ୪୯ ଦଶମିକ ୧୬ ମିଟର। ଜଳସ୍ତର ବଢୁଥିବାରୁ ବାଲିଆପାଳ ବ୍ଲକର ୩୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ବସ୍ତା ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଏବଂ ସଦର ବ୍ଲକର ପାଖାପାଖି ୫ ଟି ପଞ୍ଚାୟତ ଜଳମଗ୍ନ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମି ରହିଥିବା ବେଳେ ଅନେକ ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି। ଯାତାୟତ ବାଧାପ୍ରାପ୍ତ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।

ଲଗାଣ ବର୍ଷା ପ୍ରଭାବରେ ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବଢିଛି। ବାଲେଶ୍ବର ଜିଲ୍ଲାର ବିଭିନ୍ନ ଗାଁରେ ପାଣି ପଶିଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ବର ଗସ୍ତରେ ଯାଇ ଜିଲ୍ଲାର ବନ୍ୟା ସ୍ଥିତିର ଅନୁଧ୍ୟାନ କରିବେ। ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ। ବାଲିଆପାଳ ଓ ଭୋଗରାଇ ବ୍ଲକର ବନ୍ୟା ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ। ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୁଚନା ଦେଇଛନ୍ତି।

ସେଥିପାଇଁ ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଛି। ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ବର ଜିଲ୍ଲାପାଳ, ବାଲିଆପାଳ ତହସିଲଦାର ଏବଂ ବିଡ଼ିଓ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହିତ ଆଲୋଚନା କରୁଛନ୍ତି। ଯାତାୟତ ପାଇଁ ଦେଶୀ ଡଙ୍ଗା, ଯନ୍ତ୍ର ଚାଳିତ ଡଙ୍ଗା ବ୍ୟବସ୍ଥା କରାଯାଇଛି। ଉଦ୍ଧାର କାର୍ୟ୍ୟ ପାଇଁ ଓଡ୍ରାଫ ଟିମ୍,ଏନଡିଆରଏଫ ଟିମ୍ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି।