ଆଖୁରସ ନା’ ବେଲପଣା : ଖରାରେ କେଉଁଟା ପିଇବା ଭଲ ?

ଆଖୁରସରେ ପ୍ରାକୃତିକ ଚିନି ମହଜୁଦ ହୋଇଥାଏ,ଯାହା ଥକ୍କା ଶରୀରକୁ ତୁରନ୍ତ ଏନର୍ଜୀ ପ୍ରଦାନ କରେ । ଅନ୍ୟପକ୍ଷରେ ଗରମରେ ଆଖୁରସ ଶରୀରକୁ ଥଣ୍ଡା କରିବାରେ ସାହାଯ୍ୟ କରେ ଏବଂ ଲୁ’ ହେବାରୁ ବଞ୍ଚାଏ । ଏହା ଲିଭର୍ ପାଇଁ ମଧ୍ୟ ବହୁତ ଲାଭଦାୟକ । ଖାସ୍ କରି ଜଣ୍ଡିସ୍ ସମୟରେ ଆଖୁରସ ଦେହ ପାଇଁ ଭଲ ବୋଲି କୁହାଯାଏ ।

ଯଦି ଆପଣଙ୍କୁ ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଦେଉଛି ଯେମିତିକି ପାଚନ କ୍ରିୟାରେ ଅସୁବିଧା ତଥା ପେଟ ଜ୍ବଳନ ସମସ୍ୟା ହେଲେ ଆଖୁରସ ପିଇପାରିବେ । ଆଣ୍ଟିଅକ୍ସିଡେଣ୍ଟସରେ ଭରପୂର ଆଖୁ ତ୍ବଚାକୁ ଉଜ୍ଜ୍ବଳ କରିଥାଏ ।

ଖରାଦିନେ ଘରେ ଘରେ ପ୍ରସ୍ତୁତ ହେଉଥିବା ବେଲ ପଣା ପିଇବାକୁ ଯେତେ ସ୍ବାଦିଷ୍ଟ,ଦେହ ପାଇଁ ମଧ୍ୟ ସେତେ ଲାଭଦାୟକ । ଅନ୍ତଃନଳୀକୁ ସଫା କରିବାରୁ ଆରମ୍ଭ କରି ପେଟର ଗରମ,ଗ୍ୟାସ୍ ,କୋଷ୍ଠକାଠିନ୍ୟ ଏବଂ ଡାଇରିଆ ଭଳି ସମସ୍ୟାରୁ ମୁକ୍ତି ଦିଏ ବେଲ ପଣା ।

ଆଭ୍ୟନ୍ତରରୁ ଶରୀରକୁ ଥଣ୍ଡା ରଖିଥାଏ ବେଲ ପଣା । ଏହାକୁ ପିଇବା ଦ୍ବାରା ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ହୋଇଥାଏ ଏବଂ ବ୍ୟାକ୍ଟେରିଆରୁ ଲଢ଼ିବା ପାଇଁ ସାହସ ଦେଇଥାଏ । ଶରୀରରୁ ଟକ୍ସିନ୍ ବାହାର କରି ମେଟାବଲିଜ୍ଜମକୁ ଠିକ୍ ରଖିଥାଏ ।

ଗ୍ରୀଷ୍ମ ତଥା ଗରମରେ ଯଦି ଆପଣ ଲମ୍ବା ସମୟ ଧରି ବାହାରେ ରହୁଛନ୍ତି ଏବଂ ଥକ୍କାପଣ କିମ୍ବା ଏନର୍ଜୀ କମ୍ ହେଲା ଭଳି ଅନୁଭବ କରୁଛନ୍ତି ତା’ହେଲେ ଆଖୁରସ ଆପଣଙ୍କ ଶରୀର ପାଇଁ ଲାଭଦାୟକ ରହିବ ।

ଯଦି ଆପଣଙ୍କ ପେଟ ଗରମ ରହୁଛି ,ପାଚନ କ୍ରିୟା ଠିକରେ ହୋଇପାରୁନାହିଁ ,କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଉଛି କିମ୍ବା ଆପଣ ଆଭ୍ୟନ୍ତରରୁ ଶରୀରକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି ତା’ହେଲେ ବେଲ ପଣା ପିଇବା ଭଲ ।