ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-ଟ୍ୱେଣ୍ଟିଁରେ ଜବରଦସ୍ତ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ତେବେ ଏହି ମ୍ୟାଚ୍‌ରେ ଫାଷ୍ଟ ବୋଲର ମହମ୍ମଦ ସାମି ଖେଳିବା ନେଇ କ୍ରିକେଟ ଫ୍ୟାନ୍ସ ଆଶା ବାନ୍ଧିଥିଲେ । କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ମିଳିନଥିଲା ।

ଦୀର୍ଘ ଦିନର ଅନ୍ତରାଳ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି ମହମ୍ମଦ ସାମି । ଗୋଡ଼ରେ ଆଘାତ ଯୋଗୁଁ ଦୀର୍ଘ ଏକ ବର୍ଷ ହେଲା କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନାହାନ୍ତି ସାମି ।

ତେବେ ସର୍ଜରୀ ପରେ ଅନେକ ଘରୋଇ ମ୍ୟାଚ୍‌ ଖେଳିଛନ୍ତି ସାମି । ଏଣୁ ଏଥର ସେ ମ୍ୟାଚ୍‌ ଖେଳିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ତାହା ସମ୍ଭବ ହୋଇନି । ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟର୍‌ ।

ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମାଧ୍ୟମରେ କ୍ୟାପ୍‌ଟେନ୍‌ ସୂର୍ଯ୍ୟକୁମାର ଯାଦବ ଓ ଗୌତମ ଗମ୍ଭୀରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟର୍‌ । ସାମି ସମ୍ପୂର୍ଣ୍ଣ ଫିଟ୍‌ ନଥିବାରୁ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇନଥିବା କଥା କହିଥିଲେ କ୍ୟାପ୍‌ଟେନ୍‌ ।

ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଟି-ଟ୍ୱେଣ୍ଟିର ପ୍ରଥମ ମ୍ୟାଚ୍‌ରେ ଭାରତ ୭ ୱିକେଟ୍‌ରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୩୩ ରନ୍‌ର ଟାର୍ଗେଟ୍‌ ଦେଇଥିଲା ।

ଏହି ଟାର୍ଗେଟ୍‌କୁ ମାତ୍ର ୧୨.୫ ଓଭରରେ ହାସଲ କରି ନେଇଥିଲା ଭାରତ । ଏହି ମ୍ୟାଚ୍‌ରେ ସାମି ଖେଳିନଥିବା ବେଳେ ଫାଷ୍ଟ ବୋଲିଂ ଭାର ସମ୍ଭାଳିଥିଲେ ଅର୍ଶଦୀପ ସିଂହ । ସ୍ପିନ୍‌ ଡିପାର୍ଟମେଣ୍ଟ୍‌ରେ କମାଲ କରିଥିଲେ ରବି ବିଷ୍ଣୋଇ, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ।

ତେବେ ସାମି ନଖେଳିବାକୁ ନେଇ ଆକାଶ ଚୋପ୍ରା କହିଛନ୍ତି, ସାମିଙ୍କୁ ନେଇ କୌଣସି ବାହାନା ଚଳିବ ନାହିଁ । ଆଗକୁ ସେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯାଉଛନ୍ତି । କିନ୍ତୁ ଏକ ବର୍ଷ ହେଲା କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନାହାନ୍ତି । ଏହାକୁ ନେଇ ଚିନ୍ତା ପ୍ରକଟ ହେବା ସ୍ୱାଭାବିକ ।